ଦେଶରେ ୪୦ ଜଣ କରୋନା ଡେଲ୍‍ଟା ପ୍ଲସ୍‍ ସଂକ୍ରମିତ ଚିହ୍ନଟ

ଦେଶରେ ପ୍ରାୟ ୪୦ ଜଣଙ୍କ ନିକଟରେ ଡେଲ୍‍ଟା ପ୍ଲସ୍‍ ଭାରିଆଣ୍ଟ୍‍ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଭାରିଆଣ୍ଟ୍‍ ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶରେ ଦେଖାଦେଇଛି। ଦେଶରେ ଏପର୍ଯ୍ୟନ୍ତ ୪୫ ହଜାରରୁ ଊର୍ଦ୍ଧ୍ବ ନମୁନା ପରୀକ୍ଷା କରାଯାଇ ସାରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ୍‍ ଭୂଷଣ ମଧ୍ୟପ୍ରଦେଶ, କେରଳ ଓ ମହାରାଷ୍ଟ୍ରର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ସେଠାରେ ଦେଖାଦେଇଥିବା ଡେଲ୍‍ଟା ପ୍ଲସ୍‍ ଭାରିଆଣ୍ଟ୍‍ ସଂକ୍ରମଣକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାଲାଗି ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, ଏହି ୩ଟି ରାଜ୍ୟର କେତେକ ଜିଲ୍ଲାରେ ଡେଲ୍‍ଟା ପ୍ଲସ୍‍ ଭାରିଆଣ୍ଟ୍‍ ଚିହ୍ନଟ ହୋଇଛି। ତେଣୁ ସେଠାରେ ତୁରନ୍ତ କଣ୍ଟେନ୍‍ମେଣ୍ଟ୍‍ ଜୋନ୍‍ କରିବା ସହ ଜନଗହଳି ଯେଭଳି ନ ହେବ, ସେଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ନମୁନା ପରୀକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ସହ ଚିହ୍ନଟ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ଭୂଷଣ କହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କ ନମୁନା କେନ୍ଦ୍ର ସରକାରଙ୍କଦ୍ୱାରା ଅନୁମୋଦିତ ପରୀକ୍ଷାଗାରକୁ ତୁରନ୍ତ ପଠାଇବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ୩ଟି ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କହିଛନ୍ତି।

Comments are closed.