କରୋନା ତାଲାବନ୍ଦ – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

ଶୁଖିଲା ଖାଦ୍ୟ ଖାଇ ରହୁଛନ୍ତି ଦିଲ୍ଲୀ ବିଦ୍ୟାର୍ଥୀ
ପ୍ରବାସୀ ଭାରତୀୟଙ୍କୁ ସରକାର ଯେପରି ନିଜ ଦେଶକୁ ଆଣୁଛନ୍ତି ସେହିପରି ଦିଲ୍ଲୀରେ ଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଆଣିବାର ବ୍ୟବସ୍ଥା କରାଯାଉ। ଶୈକ୍ଷିକ ତାଲିମରେ ଦିଲ୍ଲୀ ଯାଇଥିବା ଏହି ବିଦ୍ୟାର୍ଥୀମାନେ ଦେଢ଼ ମାସ ହେଲାଣି ଶୁଖିଲା ଖାଦ୍ୟ ଖାଇ ବଞ୍ଚିଛନ୍ତି। ରାନ୍ଧି ଖାଇବା ପାଇଁ ସେମାନଙ୍କ ପାଖରେ କୌଣସି ସୁବିଧା ନାହିଁ। ସେମାନେ ଓଡ଼ିଶା ଆସିବା ପାଇଁ ଦିଲ୍ଲୀ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହେଉନାହିଁ। ଓଡ଼ିଶା ସରକାର ଏ ଦିଗରେ ପଦକ୍ଷେପ ନେଲେ ବିଦ୍ୟାର୍ଥୀମାନେ ଉପକୃତ ହୋଇପାରିବେ।
ନଳିନୀପ୍ରଭା ସାହୁ, ରାଉରକେଲା

ଅଗ୍ରିମ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ
ପୁରୀ ମ୍ୟୁନିସିପାଲିଟିରୁ ମୁଁ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ଏବେ କରୋନା ତାଲାବନ୍ଦ ଯୋଗୁଁ ଜଗତସିଂହପୁର ଜିଲା ବିରିଡ଼ି ବ୍ଲକ ଅନ୍ତର୍ଗତ ଗୋପିନାଥପୁରରେ ଅଟକି ରହିଛି। ପୁରୀ ଯାଇପାରୁନଥିବାରୁ ମୋର ଭତ୍ତା ପାଇପାରୁନାହିଁ। ଏପରିକି କରୋନା ପାଇଁ ଦିଆଯାଇଥିବା ଅଗ୍ରୀମ ଭତ୍ତା ମଧ୍ୟ ପାଇବାରୁ ବଞ୍ଚିତ ହୋଇଛି। ବର୍ତ୍ତମାନ ମୋର ବାର୍ଦ୍ଧକ୍ୟଜନିତ ସମସ୍ୟାରେ ଅର୍ଥର ଆବଶ୍ୟକତା ଥିବା ବେଳେ ତାହା ମୁଁ ପାଇପାରୁନାହିଁ। ମୋତେ ବିରିଡ଼ି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତରେ ମୋତେ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଗଲେ ମୁଁ ଉପକୃତ ହେବି।
ବିଷ୍ଣୁଚରଣ ସାହୁ, ୱାର୍ଡ-୩୧, ପେଣ୍ଠକଟା, ପୁରୀ

ବଜାରରେ ମିଳୁନି ଗହମ, କିରାସିନି
ତାଲାବନ୍ଦ ସମୟରେ ରାସନ କାର୍ଡ ଥିବା ପରିବାରକୁ ସରକାର ଚାଉଳ, ଗହମ, କିରାସିନି ଆଦି ଯୋଗାଇ ଦେଉଛନ୍ତି। ମାତ୍ର ଆମ ପରି ମଧ୍ୟବିତ୍ତ ପରିବାରର ଲୋକେ ଗହମ, କିରାସିନି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବଜାରରୁ ପାଇପାରୁନାହୁଁ। ତେଣୁ ସରକାର ସୁଲଭ ମୂଲ୍ୟରେ ଖୋଲା ବଜାରରେ ଏହି ସାମଗ୍ରୀ ଉପଲବ୍ଧ କରାଇଲେ ଆମମାନଙ୍କର ଆବଶ୍ୟକତା ପୂରଣ ହୋଇପାରନ୍ତା।
ମେଘମାଳା ପାଲ, ହିନ୍ଦୋଳ, ଢେଙ୍କାନାଳ

ପ୍ରବାସୀ ଓଡ଼ିଆଙ୍କୁ ପରିବାରଠାରୁ ଦୂରରେ ରଖାଯାଉ
ପ୍ରବାସୀ ଓଡ଼ିଆଙ୍କୁ ପରୀକ୍ଷା କରି ଓଡ଼ିଶା ଅଣାଯାଉ। ସେମାନେ ଓଡ଼ିଶା ପହଞ୍ଚିବା ପରେ ସେମାନଙ୍କ ପରିବାରଠାରୁ ଅତି କମ୍‍ରେ ୫୦-୬୦ କିଲୋମିଟର ଦୂରରେ ଥିବା କ୍ୱାରାଣ୍ଟାଇନ୍‍ କେନ୍ଦ୍ରରେ ୧୪ ଦିନ ରଖାଯାଉ। କାରଣ ନିଜ ଅଞ୍ଚଳରେ ରହିଲେ ସମ୍ପର୍କୀୟମାନେ ନିୟମ ଉଲ୍ଲଂଘନ କରି ଭିଡ଼ ଜମାଇ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ବୁଝିବିଚାରି ଦୃଢ଼ ନିଷ୍ପତ୍ତି ନେବା ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ।
ପ୍ରବୋଧ କୁମାର ସାହୁ, ଗୋବରା, ଗଞ୍ଜାମ

ବୁଣାକାରଙ୍କୁ ସହାୟତା ମିଳୁ
କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ତାଲାବନ୍ଦ। ହସ୍ତତନ୍ତ କୌଳିକ ବୃତ୍ତିକୁ ଆପଣେଇ ପେଟ ପୋଷୁଥିବା ବୁଣାକାର ପରିବାର ଏବେ ଦୁର୍ଦ୍ଦିନରେ। ଦୀର୍ଘ ଦିନ ଧରି ସେମାନଙ୍କର ବାଣିଜ୍ୟ ବେପାର ବନ୍ଦ ହୋଇଯାଇଛି। ସରକାର ନିର୍ମାଣ ଶ୍ରମିକ ଓ ରାସନ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେଉଥିବା ବେଳେ ଏହି ବୁଣାକାରମାନଙ୍କୁ ଭୁଲି ଯାଇଛନ୍ତି। ତୁରନ୍ତ ଏମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଅନୁରୋଧ।
ସ୍ୱର୍ଣ୍ଣପ୍ରଭା ଦକ୍ଷିଣରାୟ, ବଡ଼ମ୍ବା, କଟକ

ଦିନ ମଜୁରିଆ ପରିବାରକୁ ସହାୟତା ମିଳିନି
ମୋ ସ୍ୱାମୀ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଦିନେ କାମ ନ କଲେ ପରିବାର ଚଳାଇବା ମୁସ୍କିଲ ହୋଇପଡ଼େ। କରୋନା ତାଲାବନ୍ଦ ଯୋଗୁଁ ସେ କାମ କରିନପାରୁଥିବାରୁ ଆମର କୌଣସି ରୋଜଗାର ଏବେ ନାହିଁ। ଫଳରେ ଆମ ପରିବାର ୭ ଜଣ ସଦସ୍ୟଙ୍କୁ ଖାଦ୍ୟ ଦେବା ଅସମ୍ଭବ ହୋଇପଡ଼ିଛି। ସରକାର ଆମ ସମସ୍ୟା ସମାଧାନ କରିବାକୁ ମୁଁ ବିନୀତ ନିବେଦନ କରୁଛି।
ସବିତା ଯେନା, ଭଗତପୁର, ଯାଜପୁର

ଚିତ୍ରଶିଳ୍ପୀଙ୍କ କାମଧନ୍ଦା ବନ୍ଦ
ତାଲାବନ୍ଦ ସମୟରେ ସମଗ୍ର ଦେଶ ପ୍ରଭାବିତ ହୋଇଥିବା ବେଳେ ସରକାର ବିଭିନ୍ନ ବର୍ଗର ପରିବାରକୁ ସହାୟତା ଯୋଗାଇ ଦେଉଛନ୍ତି। ମୁଁ ଜଣେ ଚିତ୍ରଶିଳ୍ପୀ ଭାବେ ମୋ ପରିବାର ପ୍ରତିପୋଷଣ କରେ। ମାତ୍ର ଏବେ ମୋ ଭଳି ଚିତ୍ରଶିଳ୍ପୀମାନଙ୍କର କାମଧନ୍ଦା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଦୁର୍ଦିନ ମଧ୍ୟରେ ଆମମାନଙ୍କ ପରିବାର ଗତି କରୁଛନ୍ତି। ସରକାର ଆମ ପାଇଁ କିଛି ସହାୟତା ପ୍ରଦାନ କରିବା ଆବଶ୍ୟକ।
ଦେବେନ୍ଦ୍ର ରାଉଳ, ଜୁଣଗଡ଼ି, ରାଜନଗର, କେନ୍ଦ୍ରାପଡ଼ା

ମଦ ଦୋକାନ ବନ୍ଦ ରଖାଯାଉ
କରୋନା ସଂକ୍ରମଣ ଯୋଗୁଁ ସରକାର ତାଲାବନ୍ଦ ଅବଧିକୁ ମେ ମାସ ୧୭ ତାରିଖ ପର୍ୟ୍ୟନ୍ତ ବଢ଼ାଇ ଦେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏପରି ସ୍ଥିତିରେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି। ମଦ ଦୋକାନ ଖୋଲାଯିବା ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ବହୁ ଅଘଟଣ ମଧ୍ୟ ଘଟିବ। ତେଣୁ ରାଜସ୍ୱ ଆଦାୟ ପାଇଁ ଲୋକଙ୍କ ପ୍ରାଣ ନିଆ ନ ଯାଉ। ସରକାର ତାଲାବନ୍ଦ ଅବଧି ଥିବା ଯାଏ ମଦ ଦୋକାନଗୁଡ଼ିକୁ ବନ୍ଦ ରଖନ୍ତୁ।
ମନ୍ଦାକିନୀ ପରିଡ଼ା, ଗେଲପୁର, ଭଦ୍ରକ

ବ୍ୟାଙ୍କ ଓ ଏଟିଏମ୍‍ଗୁଡ଼ିକର ବିଶୋଧନ ଜରୁରୀ
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ତାଲାବନ୍ଦ ସମୟରେ ବ୍ୟାଙ୍କଗୁଡ଼ିକ ଅବିରତ ସେବା ଯୋଗାଇ ଆସୁଛନ୍ତି। ବ୍ୟାଙ୍କ ଓ ଏଟିଏମ୍‍ଗୁଡ଼ିକ ସମ୍ମୁଖରେ ଜନଗହଳି ଲାଗିରହୁଛି ଏବଂ ଏହିସବୁ ସ୍ଥାନଗୁଡ଼ିକରେ ସାମାଜିକ ଦୂରତା ନିୟମ ପାଳନ କରିବା ଖୁବ୍‍ କମ ପରିଲକ୍ଷିତ ହେଉଛି। ବ୍ୟାଙ୍କ ସେବା ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଏହିସବୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣର ଅଧିକ ଆଶଙ୍କା ରହିଛି। ତେଣୁ କରୋନା ଭୂତାଣୁ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ପାଇଁ ନିୟମିତ ସମୟ ବ୍ୟବଧାନରେ ଏଗୁଡ଼ିକୁ ବିଶୋଧନ କରାଯିବା ଜରୁରି ହୋଇପଡ଼ିଛି।
ଦିଲ୍ଲୀପ କୁମାର ସାହୁ, ବନପୁର, ସାକ୍ଷୀଗୋପାଳ, ପୁରୀ

ବାରିପଦାରୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳୁ
ନିଟ୍‍ ପ୍ରବେଶିକା ପରୀକ୍ଷା ଦେବା ପାଇଁ ମୁଁ ଭୁବନେଶ୍ୱରରେ ରହି ପ୍ରସ୍ତୁତ ହେଉଥିଲି। ତାଲାବନ୍ଦ ପରେ ଆମ ହଷ୍ଟେଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବାରୁ ଘରକୁ ଚାଲିଆସିଛି। ମାତ୍ର ମୋର ପାଠ୍ୟ ପୁସ୍ତକ ଆଦି ସାଙ୍ଗରେ ଆଣି ନାହିଁ। ମୁଁ ଜଣେ ଗରିବ ପରିବାରର ଛାତ୍ର ହୋଇଥିବାରୁ ଅନ୍‍ଲାଇନ୍‍ ପାଠପଢ଼ା ନିମନ୍ତେ ସକ୍ଷମ ହୋଇପାରୁନାହିଁ। ତେଣୁ ସରକାରଙ୍କୁ ଅନୁରୋଧ ମୋତେ ବାରିପଦାରୁ ଭୁବନେଶ୍ୱର ଯିବାଆସିବା ପାଇଁ ଅନୁମତି ପ୍ରଦାନ କରନ୍ତୁ। ଯାହାଦ୍ୱାରା ଭୁବନେଶ୍ୱରରୁ ମୋର ପଢ଼ା ସାମଗ୍ରୀଗୁଡ଼ିକୁ ଆଣି ଘରେ ରହି ପଢ଼ି ପାରିବି।
ସୁମିତ କୁମାର କର, ବାରିପଦା, ମୟୂରଭଞ୍ଜ

କାର୍ୟ୍ୟକ୍ଷମ ହେଉ ଜନ୍ମମୃତ୍ୟୁ ପ୍ରମାଣପତ୍ର କାର୍ୟ୍ୟାଳୟ
ଜନ୍ମମୃତ୍ୟୁ ପଞ୍ଜିକରଣ ଅଫିସଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କାର୍ୟ୍ୟକ୍ଷମ ହେବା ଦରକାର। ଏବେ ମୃତବ୍ୟକ୍ତିଙ୍କ ପରିବାର ଲୋକେ ମୃତ୍ୟୁ ପ୍ରମାଣପତ୍ର ପାଇପାରୁନଥିବାରୁ ସେମାନେ ତତ୍‍ସମ୍ପର୍କିତ କାର୍ୟ୍ୟ କରିପାରୁନାହାନ୍ତି। ଭୁବନେଶ୍ୱର ଭୀମଟାଙ୍ଗୀ ଏଚବି କଲୋନି ପ୍ଲଟ ନଂ ଏ/ଏମ ୩୯ର ବାସିନ୍ଦା ସମରେନ୍ଦ୍ର ସାହୁ ଜଣାଇଛନ୍ତି ଯେ ତାଙ୍କ ବାପାଙ୍କର ପୂର୍ବରୁ ପରଲୋକ ହୋଇଥିବା ବେଳେ ମାଆଙ୍କର ଗତ ମାର୍ଚ୍ଚ ୧୩ ତାରିଖରେ ମୃତ୍ୟୁ ହୋଇଛି। ମାଆଙ୍କ ମୃତ୍ୟୁ ପ୍ରମାଣପତ୍ରର ଜରୁରି ଆବଶ୍ୟକତା ଥିବା ବେଳେ ତାଲାବନ୍ଦ ଯୋଗୁଁ ଆବେଦନ କରିପାରୁନାହିଁ। ମୃତ୍ୟୁର ୨୧ ଦିନ ମଧ୍ୟରେ ଆବେଦନ କରିବାର ନିୟମ ଥିବା ବେଳେ ତାଙ୍କ କ୍ଷେତ୍ରରେ ଏହା ଶେଷ ହୋଇଗଲାଣି। ତେଣୁ ଏହି ଅବଧିକୁ ବଢ଼ାଯାଇ ତାଙ୍କୁ ମାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବାରେ ସହାୟକ ହେବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି।

Comments are closed.