କରୋନା ତାଲାବନ୍ଦ – କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

ପ୍ରବାସୀଙ୍କୁ ଓଡ଼ିଶା ନଆଣି ସହାୟତା ଦିଆଯାଉ
ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କୁ ନଆଣି ସେମାନେ ଥିବା ଜାଗାରେ ସେମାନଙ୍କୁ ଚିହ୍ନଟ କରି ସେହିଠାରେ ସହାୟତା ଯୋଗାଇ ଦିଆଯାଉ। ସରକାର ସେମାନଙ୍କୁ ଓଡ଼ିଶା ଆଣିବା ଓ ସଙ୍ଗରୋଧରେ ରଖିବା ବାବଦରେ କରୁଥିବା ଖର୍ଚ୍ଚ ସେମାନଙ୍କ କରୋନା ପରୀକ୍ଷା ବା ଚିକିତ୍ସା ଏବଂ ଖାଦ୍ୟପେୟ ପାଇଁ ଦେଲେ ଭଲ ହୁଅନ୍ତା। ବିଭିନ୍ନ ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କଠାରେ ଏବେ କରୋନା ସଂକ୍ରମଣ ଦେଖିବାକୁ ମିଳୁଛି। ସେମାନେ ଓଡ଼ିଶା ଆସିବା ବେଳେ ରାସ୍ତା ଦୁର୍ଘଟଣା, ସଙ୍ଗରୋଧ କେନ୍ଦ୍ରରେ ମାରପିଟ୍‍ ଆଦିକୁ ପ୍ରତିହତ କରିବା ପାଇଁ ଏହି ପଦକ୍ଷେପ ଉପଯୋଗୀ ହୋଇପାରନ୍ତା।
ଭୀମସେନ ପଣ୍ଡା, ଅଣ୍ଡିଲୋ, ହଂସପାଳ, ଭୁବନେଶ୍ୱର

କାର୍ଡ ଥାଇ ବି ରେସନ ମିଳୁନାହିଁ
ମୁଁ ଜଣେ ଅନୁସୂଚୀତ ଜାତିର ଗରିବ ମହିଳା। ମୋ ନାମରେ ରେସନ କାର୍ଡ ଇସ୍ୟୁ ହୋଇ ରାସନ ପାଉଥିଲି। ମାତ୍ର ଦୀର୍ଘ ଦିନ ହେବ ମୋତେ ଆଉ ରେସନ ମିଳିଲା ନାହିଁ। ଏନେଇ ଅଧିକାରୀମାନଙ୍କୁ ଜଣାଇଲେ ବି ଫଳ କିଛି ହେଲା ନାହିଁ। ଏବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କଟିଯାଇଥିବା ରେସନ କାର୍ଡକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦେଶନାମା ହୋଇଥିବା ସମ୍ପର୍କରେ ଜାଣି ମୋ ମନରେ ନୂତନ ଆଶା ସଞ୍ଚାର ହୋଇଥିଲା। ମୁଁ ସ୍ଥାନୀୟ ସରପଞ୍ଚ, ଡିଲର ଏ ବାବଦରେ ଜଣାଇଛି। ମୁଁ ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ପ୍ରଶାସନ ମୋ ପରିବାରକୁ କରୋନା ସହାୟତା ପ୍ରଦାନ ନିମନ୍ତେ ନିବେଦନ କରୁଛି।
ଦ୍ରୌପଦୀ ବେହେରା, ବନ୍ତଳା, ବୈରୀ, ବଡ଼ଚଣା, ଯାଜପୁର

ସଫେଇ କର୍ମଚାରୀଙ୍କୁ ପ୍ରୋତ୍ସାହନ ଦିଆଯାଉ
ସାରା ଦେଶରେ ଜନସାଧାରଣ ଚାରିକାନ୍ଥ ଭିତରେ ଆବଦ୍ଧ ଥିବା ବେଳେ ସହରାଞ୍ଚଳରେ ସଫେଇ କର୍ମଚାରୀମାନେ କରୋନା ସଂକ୍ରମଣକୁ ଖାତିର ନକରି ଗଳିକନ୍ଦି ବୁଲି ଅଳିଆ, ଆବର୍ଜନା ସଫା କରିବାରେ କୁଣ୍ଠାବୋଧ କରୁନାହାନ୍ତି। ସ୍ୱଳ୍ପ ଦରମା ପାଉଥିବା ଏହି କର୍ମଚାରୀମାନଙ୍କୁ ସରକାର ଅଧିକ ପ୍ରୋତ୍ସାହନ ପ୍ରଦାନ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଅଧିକ କାମ କରନ୍ତେ।
ବିଶ୍ୱଜିତ ପ୍ରଧାନ, ସତ୍ୟବାଦୀ, ପୁରୀ

ବିକ୍ରି ହୋଇପାରୁନି ପରିବା
କରୋନା ମହାମାରୀ କୃଷକ ସମାଜର ମେରୁଦଣ୍ଡକୁ ଭାଙ୍ଗିଦେଇଛି। କୃଷକମାନେ ଉତ୍ପାଦନ କରୁଥିବା ପରିବାଗୁଡ଼ିକ ବିଭିନ୍ନ ସ୍ଥାନରେ ପହଞ୍ଚି ପାରୁନାହିଁ। ତେଣୁ ଅଧିକାଂଶ ସ୍ଥାନରେ ପରିବା ଗଚ୍ଛିତ ହୋଇ ରହୁଥିବାରୁ ନଷ୍ଟ ହେଉଛି, ଯାହାକି କୃଷକମାନଙ୍କ ପାଇଁ ମାନସିକ ଦୁଶ୍ଚିନ୍ତାର କାରଣ ହୋଇଛି। କୃଷକମାନେ ପରିବା ନଷ୍ଟ ହେବା ଭୟରେ ନିର୍ଦ୍ଧାରିତ ଦରଠାରୁ କମ୍‍ରେ ଗ୍ରାହକମାନଙ୍କୁ ବିକ୍ରି କରିଦେଉଛନ୍ତି। ଯାହାଦ୍ୱାରା ସେମାନେ ଅନେକ କ୍ଷତି ସହୁଛନ୍ତି। ତେଣୁ ସରକାର କୃଷକମାନଙ୍କୁ ପରିବା ବିକ୍ରି ନିମନ୍ତେ ଯାତାୟାତର ଯଥାସମ୍ଭବ ବ୍ୟବସ୍ଥା କରନ୍ତୁ।
ପୁଷ୍ପଲତା ସାହୁ, ଖଳିସାହି, ଖଣ୍ଡପଡ଼ା, ନୟାଗଡ଼

ଭାଇଜାଗରୁ ଯିବୁ ପାରାଦ୍ବୀପ
ଆମେ ଜଗତସିଂହପୁର ଜିଲା ପାରାଦୀପଗଡ଼ ପଞ୍ଚାୟତ ଅଧୀନସ୍ଥ ନିମିଡିହି ଗ୍ରାମର ବାସିନ୍ଦା। ମାର୍ଚ୍ଚ ୧୧ ତାରିଖରେ ଦୁଇ ନାତିନାତୁଣୀଙ୍କୁ ଧରି ଭାଇଜାଗ ଝିଅ ଘରକୁ ବୁଲି ଆସିଥିଲୁ। ମାର୍ଚ୍ଚ ୨୨ ତାରିଖ ରାତି ୧୧ଟାରେ ଫେରିବା ପାଇଁ ଟ୍ରେନ ଟିକେଟ ସଂରକ୍ଷିତ ହୋଇଥିଲା। ମାତ୍ର ତାଲାବନ୍ଦ ଯୋଗୁଁ ରେଳ ଚଳାଚଳ ବନ୍ଦ ହେବାରୁ ସେହିଦିନଠାରୁ ପାରାଦୀପ ଯାଇପାରୁନାହୁଁ। ଏଠାରେ ତିନି ମହଲା ଉପରେ ଏକ ଛୋଟ ଘରେ ଝିଅର ପରିବାର ସହ ଆବଦ୍ଧ ରହି ଶାରୀରିକ ଓ ମାନସିକ ଅସୁସ୍ଥତା ଭିତରେ ଦିନ କାଟୁଛୁ। ସରକାର ଏଠାରୁ ଆମକୁ ନିଜ ଖର୍ଚ୍ଚରେ ସ୍ୱତନ୍ତ୍ର ଟ୍ୟାକ୍ସି ଯୋଗେ ଯିବାର ବ୍ୟବସ୍ଥା କରାଗଲେ ଉପକୃତ ହେବୁ।
ଶରଳାବାଳା ପଟ୍ଟନାୟକ, ଆଶ୍ରୟ ସସ୍ୱାଲା, ରାମନଗର, ବିଶାଖାପାଟଣା

ଭୟଭୀତ କରୁଛି ସଙ୍ଗରୋଧ କେନ୍ଦ୍ର
ପ୍ରବାସୀ ଓଡ଼ିଆଙ୍କ ପାଇଁ ପୁରୀ ଜିଲା ଗୋପ ପଞ୍ଚାୟତର ଗୋପ ବାଳିକା ଉଚ୍ଚ ବିଦ୍ୟାଳୟକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରର ଚତୁଃପାର୍ଶ୍ବକୁ ଲାଗି ଜନବସତି ରହିଥିବାରୁ ସ୍ଥାନୀୟ ଜନସାଧାରଣ ଏହି ସଙ୍ଗରୋଧ କେନ୍ଦ୍ର ପାଇଁ ଭୟଭୀତ ହେଉଛନ୍ତି। ଗୋପ କଲେଜ ଏକ ନିକାଞ୍ଚନ ସ୍ଥାନରେ ଥିବାରୁ ଏହି ବିଦ୍ୟାଳୟ ପରିବର୍ତ୍ତେ ସେଠାରେ ସଙ୍ଗରୋଧ କେନ୍ଦ୍ର କରାନଗଲା କାହିଁକି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂକ୍ରମଣ ଆଶଙ୍କା ଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ।
ଶେଖ ୟାକୁବ, ମସ୍‍ଜିଦ ମାର୍କେଟ, ଗୋପ, ପୁରୀ

ସ୍ୱଳ୍ପ ପାରିଶ୍ରମିକରେ କାମ କରୁଛନ୍ତି ବ୍ଲକ କମ୍ପ୍ୟୁଟର ପ୍ରୋଗ୍ରାମର
ରାଜ୍ୟର ପ୍ରତି ବ୍ଲକରେ ଆଡିସିନାଲ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ସ୍ୱଳ୍ପ ପାରିଶ୍ରମିକରେ ଅଧିକ କାର୍ୟ୍ୟ କରୁଛନ୍ତି। ପୁଣି କରୋନା ପାଇଁ ବିନା ଛୁଟିରେ ଅଫିସ କାର୍ୟ୍ୟ କରୁଥିଲେ ବି ଏମାନଙ୍କ ଚିକିତ୍ସା ବାବଦରେ କିମ୍ବା ଅଧିକ ଭତ୍ତାର ବ୍ୟବସ୍ଥା କରାଯାଉନାହିଁ। ଏହି କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କାମ କରିଚାଲିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରୁଛୁ।
ପଦ୍ମଚରଣ ସାହୁ, ଭେଜିପୁଟ, ଖଲ୍ଲିକୋଟ, ଗଞ୍ଜାମ

ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲାଗୁ
ରାଜ୍ୟର ସମସ୍ତ ଜୋନରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ସରକାର ପୁନର୍ବିଚାର କରି ବର୍ତ୍ତମାନ ସ୍ଥିତିରେ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ। କାରଣ ଦିଲ୍ଲୀରେ ଯେଭଳି ମାତ୍ରାରେ ମଦ ପାଇଁ ଭିଡ଼ ଲାଗିଥିଲା, ଏଥିରୁ ଜଣାଯାଏ ଯେ, ଯେପରି ଆମେ କରୋନା ଭୂତାଣୁ ନିମନ୍ତ୍ରଣ କରିଆଣୁଛୁ। ଏଥିସହ ଚୋରା ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଉ।
ପ୍ରତିମା ନାୟକ, ସାତଶଙ୍ଖ, ପୁରୀ

ବର୍ଷେ ହେବ ପାଉନି ରେସନ ସାମଗ୍ରୀ
ବଡ଼ ଦୁଃଖର ସହ କହିବାକୁ ପଡ଼ୁଛି ମୁଁ ଜଣେ ଗରିବ ଚାଷୀ ହୋଇଥିଲେ ବି ଏକ ବର୍ଷରୁ ଅଧିକ ହେବ କୌଣସି ରାସନ ସାମଗ୍ରୀ ପାଉନାହିଁ। ବ୍ଲକ ଯୋଗାଣ ଅଧିକାରୀଙ୍କଠାରୁ ଜାଣିବାକୁ ପାଇଲି ମୋର ରାସନ କୋରେଇ ବ୍ଲକରେ ଉଠାଣ ହେଉଛି। ମୋର ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ରର ନକଲ ଯୋଗାଣ ଅଧିକାରୀଙ୍କୁ ଦେଇଥିଲେ ବି ସମସ୍ୟାର ସମାଧାନ ହୋଇନାହିଁ। ଯଥାଶିଘ୍ର ମୋର ରାସନ ସାମଗ୍ରୀ ପାଇବା ଦିଗରେ ପ୍ରଶାସନ ବ୍ୟବସ୍ଥା କରିବାକୁ ଅନୁରୋଧ।
ରାମଚନ୍ଦ୍ର ମଲ୍ଲିକ, ନିତ୍ୟାନନ୍ଦପୁର, ବେରୁଦା, ଯାଜପୁର

ଯୁକ୍ତ ଦୁଇ ପରୀକ୍ଷା ବାତିଲ ନ ହେଉ
ଯୁକ୍ତ ଦ୍ୱିତୀୟ ବର୍ଷର ବାକିଥିବା ପରୀକ୍ଷାଗୁଡ଼ିକ ବାତିଲ ନହେଉ। ଯୁକ୍ତ ଦୁଇ ବିଜ୍ଞାନରେ ଜୀବବିଜ୍ଞାନ, ବାଣିଜ୍ୟରେ କଷ୍ଟିଂ ଓ କଳାରେ ଅର୍ଥନୀତି, ତର୍କଶାସ୍ତ୍ର ବିଷୟ ପରୀକ୍ଷା ହୋଇନାହିଁ। ଯଦି ଜଣେ ପରୀକ୍ଷାର୍ଥୀ କଳାରେ ପରୀକ୍ଷା ହୋଇନଥିବା ୩ଟି ବିଷୟ ରଖିଥାଏ ତେବେ ସେ ହାରାହାରି ନମ୍ବରରେ ଏତେ ସଫଳ ହେବ ନାହିଁ। ତେଣୁ ସରକାରଙ୍କୁ ଅନୁରୋଧ ତାଲାବନ୍ଦ ଶେଷ ପରେ ସାମାଜିକ ଦୂରତାରେ ପରୀକ୍ଷା କରାଗଲେ ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖିପାରିବେ।
ବିଶ୍ୱଭୂଷଣ ନାୟକ, ଛାତ୍ର, ହୃଦୟାନନ୍ଦ ମହାବିଦ୍ୟାଳୟ, ଚାନ୍ଦୋଳ, କେନ୍ଦ୍ରାପଡ଼ା

ସମ୍ବଲପୁର ମହାନଗର ନିଗମର ସଫେଇ କର୍ମଚାରୀ ଦରମା ପାଇନାହାନ୍ତି
ସମ୍ବଲପୁର ମହାନଗର ନିଗମର ଘରକୁ ଘର ବୁଲି ଅଳିଆ ଉଠାଇଥିବା ସଫେଇ କର୍ମଚାରୀମାନେ ଦୀର୍ଘ ୪ ମାସ ହେଲା ଦରମା ପାଇନଥିବା ନେଇ ଏକ ଆପତ୍ତି ମିଳିଛି। ବର୍ତ୍ତମାନ ପରିସ୍ଥିତିରେ କେହି ବାହାରକୁ ବାହାରୁ ନଥିବା ବେଳେ ଏମାନଙ୍କ ପରିବାରବର୍ଗ ବହୁ ଦୁଃଖକଷ୍ଟରେ ଅର୍ଦ୍ଧାହାରରେ ଚଳିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କୁ ଦରମା ପ୍ରଦାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କର୍ମଚାରୀଙ୍କ ପକ୍ଷରୁ ଜନୈକ ବ୍ୟକ୍ତି ପ୍ରାର୍ଥନା ଜଣାଇଛନ୍ତି।

ଗ୍ରୀନ୍‍ ଜୋନରେ ରହୁ ନାହିଁ ସାମାଜିକ ଦୂରତା
ଗ୍ରୀନଜୋନରେ ତାଲାବନ୍ଦ କୋହଳ ହେବା ଦିନଠାରୁ ସାହିବସ୍ତିରେ ଭୁଲିଯାଇଛନ୍ତି ସାମାଜିକ ଦୂରତା। ଖୋଲିଯାଇଛି କ୍ଲବ ଘର। ଶିକ୍ଷିତ ଯୁବପିଢ଼ି ବି ସାମାଜିକ ଦୂରତ୍ୱକୁ ବୁଝୁନାହାନ୍ତି। ବିଭିନ୍ନ ଆମୋଦପ୍ରମୋଦ ଖେଳ ଯଥା-କ୍ୟାରମ, ତାସ ଇତ୍ୟାଦି ଖେଳିବା ସହିତ ମେଳି ହୋଇ ବସାଉଠା କରୁଛନ୍ତି। ବଜାରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ତାଲାବନ୍ଦ ପୂର୍ବରୁ ବଜାର ଯେମିତି ଚଳଚଞ୍ଚଳ ଥିଲା ଏବେ ବି ସେମିତି ଚଳଚଞ୍ଚଳ। କେବଳ ସନ୍ଧ୍ୟା ୬ଟା ପରେ ଫାଙ୍କା ପଡ଼ିଯାଉଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।
ସୁମନ୍ତ ବେହେରା, କଟକ

Comments are closed.