କରୋନା ଆତଙ୍କ – ୬ବର୍ଷ ତଳୁ ଯୋଜନା କରିଥିଲେ ଚୀନ ବୈଜ୍ଞାନିକ

ବେଜିଂ: କରୋନା ଭୂତାଣୁ ଚୀନ ବିଜ୍ଞାନଗାର ପ୍ରସ୍ତୁତ ଏକ ଜୈବିକ ଅସ୍ତ୍ର ବୋଲି ବହୁଦିନ ହେଲା ଦାବି ହୋଇଆସୁଥିବେଳେ ଏବେ ପୁଣି ଏହା ଉଜ୍ଜୀବିତ ହୋଇଛି। ଆମେରିକା ସମେତ ବିଶ୍ବର ବିଭିନ୍ନ ରାଷ୍ଟ୍ର କରୋନା ଭୂତାଣୁ ଲାଗି ଚୀନକୁ ଦାୟୀ କରିଆସୁଛନ୍ତି। ୨୦୧୯ରେ ଚୀନରେ ଏହି ଭୂତାଣୁର ଉତ୍ପତ୍ତି ​ହୋଇ କ୍ରମେ ସମଗ୍ର ବିଶ୍ବକୁ ବ୍ୟାପୀଯାଇଥିଲା। ଏହି ଭୂତାଣୁ ଏବେ ଭାରତରେ କାୟାବିସ୍ତାର ପୂର୍ବକ ମହାମାରୀର ରୂପ ନେଇଛି। ଏହି ସମୟରେ ଚୀନ ବିରୋଧରେ ହୋଇଥିବା ଦାବି ଉଜ୍ଜୀବିତ ହୋଇଛି।

ଅଷ୍ଟ୍ରେଲିୟ ଖବରକାଗଜ ‘ଦ ୱିକ୍‌ଏଣ୍ଡ ଅଷ୍ଟ୍ରେଲିଆନ’ରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ବିଶ୍ବବାସୀଙ୍କ ବିରୋଧରେ କରୋନା (ସାର୍ସ) ଭୂତାଣୁକୁ ଜୈବିକ ଅସ୍ତ୍ର ରୂପେ ପ୍ରୟୋଗ କରିବା ୨୦୧୫ରେ ଚୀନର ବୈଜ୍ଞାନିକମାନେ ଯୋଜନା କରିଥିଲେ। ଚୀନ ବୈଜ୍ଞାନିକମାନେ ଯୋଜନା କରିଥିଲେ ଯେ ତୃତୀୟ ବିଶ୍ବଯୁଦ୍ଧକୁ ଜୈବିକ ଅସ୍ତ୍ର ଦ୍ବାରା ଲଢିବାକୁ ହେବ। ତେଣୁ ଚୀନର ସାମାରିକ ବୈଜ୍ଞାନିକମାନେ ସାର୍ସ ଭଳି ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବା ବିଷୟରେ ଯୋଜନା କରିଥିଲେ। ଏହି ଯୋଜନାରେ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ସହିତ ଜଡିତ ବୈଜ୍ଞାନିକ ଓ ଅସ୍ତ୍ର ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ କରୋନା ସାର୍ସ ଭୂତାଣୁ ପ୍ରକୃତି ଦ୍ବାରା ସୃଷ୍ଟି ନୁହେଁ। ଏହା ମନୁଷ୍ୟକୃତ ଭୂତାଣୁ। ଖବରକାଗଜର ଏହି ତଥ୍ୟ ଉପରେ ସାଇବର ସୁରକ୍ଷା ବିଶେଷଜ୍ଞ ରବର୍ଟ ପୋଟର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଏହି ତଥ୍ୟ ଜାଲ ନୁହେଁ ବୋଲି କହିଛନ୍ତି।

ଅଷ୍ଟ୍ରେଲିଆର ରଣନୀତି ପ୍ରସ୍ତତ ଅନୁଷ୍ଠାନ (ଏଏସପିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପିଟର ଜେନିଙ୍ଗସ୍‌ କହିଛନ୍ତି ଯେ ଏହି ତଥ୍ୟ ଧୂଆଁ ବାହାରୁଥିବା ବନ୍ଧୁକ ସହିତ ସମାନ। କରୋନା ଭୂତାଣୁର ବିଭିନ୍ନ ପ୍ରକାର (ଷ୍ଟ୍ରେନ) ସମ୍ପର୍କରେ ମଧ୍ୟ ଚୀନର ବୈଜ୍ଞାନିକମାନେ ଆଲୋଚନା କରିଥିଲେ। କରୋନା ନାମୀ ଜୈବିକ ଅସ୍ତ୍ରର ମୁତୟନ ସମ୍ପର୍କରେ ମଧ୍ୟରେ ସେମାନେ ବିଚାର କରିଥିଲେ। ସମ୍ଭବତଃ ଚୀନ ଏହି ଜୈବିକ ଅସ୍ତ୍ରକୁ ବିଶ୍ବ ବିରୋଧରେ ଉପଯୋଗ କରିସାରିଛି। କରୋନା ଭୂତାଣୁର ଉତ୍ପତ୍ତି ନେଇ ଚୀନ ବିରୋଧରେ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ଦାବି ହୋଇଥିବାବେଳେ ବେଜିଂ ଏହାକୁ ବିରୋଧ କରିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)ର ବୈଜ୍ଞାନିକମାନେ କରୋନା ଭୂତାଣୁର ଉତ୍ପତ୍ତି ନେଇ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟରେ ବୈଜ୍ଞାନିକମାନେ ଦର୍ଶାଇଥିଲେ ଯେ ୨୦୧୯ ଡିସେମ୍ବର ପୂର୍ବରୁ ଚୀନର ଉହାନରେ କରୋନା ଭୂତାଣୁ ନଥିଲା।

Comments are closed.