କରୋନାର ଲମ୍ବ ଡିଆଁ : ଦିନକରେ ୮୩

ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭, ୩ ମୃତ

-ଗଞ୍ଜାମରେ ସଂଖ୍ୟା ଛୁଇଁଲା ୧୨୫, ଜଣେ ମୃତ, -ଅନୁଗୋଳ ଓ ବୌଦ୍ଧ ନୂଆ କରୋନା ଜିଲା 

ଭୁବନେଶ୍ବର : ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିବାରେ ସୁହାଇଛି । ଇତିମଧ୍ୟରେ ରାଜ୍ୟରେ ୩୭୭ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ତେବେ ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଏବଂ ସଙ୍ଗରୋଧରେ ଶୃଙ୍ଖଳିତ ଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ପ୍ରତିଦିନ ବିଭିନ୍ନ ଯାନବାହନରେ ଓଡ଼ିଶାକୁ ୫ରୁ ୬ହଜାର ପର୍ଯ୍ୟନ୍ତ ପ୍ରବାସୀ ଆସୁଛନ୍ତି । ଇତିମଧ୍ୟରେ ରାଜ୍ୟରେ ୫୫ହଜାରରୁ ଅଧିକ ପ୍ରବାସୀ ଓଡ଼ିଶାକୁ ଆସିଲେଣି। ଏହାବାଦ୍ ଆଉ ୫ଟି ଟ୍ରେନରେ ବିଭିନ୍ନ ରାଜ୍ୟରୁ ହଜାର ହଜାର ପ୍ରବାସୀ ରାଜ୍ୟକୁ ଆସୁଛନ୍ତି। ଆସନ୍ତାକାଲି ସୁଦ୍ଧା ସେମାନେ ଓଡ଼ିଶା ମାଟି ଛୁଇଁବେ। କିଭଳି ସେମାନଙ୍କ ନମୁନା ପରୀକ୍ଷା କରାଯିବ ତାହା ଏବେ ସରକାରଙ୍କ ପାଇଁ ବଡ ଆହ୍ବାନ ପାଲଟିଛି।
ରବିବାର ଗୋଟିଏ ଦିନରେ ୮୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡ଼ିଶାରେ କରୋନା ଚିତ୍ର ଏବେ ଗାଢ଼ ନାଲି ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲାକୁ କରୋନା ଭୂତାଣୁ ଡେଇଁ ଚାଲିଛି, ଆଖିରେ ଆଉ ୯ ଜିଲା ବାକି ରହିଛି। ଗତକାଲି ନୟାଗଡରେ କରୋନା ପାଦ ଥାପିଥିବାବେଳେ ଆଜି ଅନୁଗୋଳରେ ଗୋଟିଏ ଦିନରେ ୧୫ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଜିଲା ଏବେ ହଟସ୍ପଟକୁ ଚାଲି ଯାଇଛି। ସେହିପରି ବୌଦ୍ଧରେ ୩ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଇତିମଧ୍ୟରେ ରାଜ୍ୟର ୨୧ଜିଲାକୁ କରୋନା ଅକ୍ତିଆର କରିସାରିଲାଣି। ଗତ ସପ୍ତାହକରେ କରୋନାର ଚିତ୍ର ଯାହା ଆସିଛି ତାକୁ ନେଇ ଲୋକେ ଚିନ୍ତାରେ ରହିଥିବାବେ​‌େ​ଳ ଆଗାମୀ ଦିନରେ ଏହାର ବାସ୍ତବ ରୂପ କ’ଣ ହେବ ତାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଛନକା ଦେଖା ଦେଇଛି। ସରକାର ସବୁ ବେଳେ କରୋନା ନିୟନ୍ତ୍ରଣରେ ରହିଛି ବୋଲି ଯେତେ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ ଲୋକଙ୍କ ମନରୁ ଭୟ ଯାଉନାହିଁ।
ଆଜି ଯାଜପୁରରେ ୬ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଯାଜପୁର ଦ୍ବିତୀୟ ଆକ୍ରାନ୍ତ ପ୍ରବଣ ଜିଲା ଭାବେ ନିଜର ସ୍ଥିତି ଜାହିର କରୁଥିବାବେଳେ ବାଲେଶ୍ବରରେ ଆଜି ଆଉ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ସେଥିରୁ ୫ଜଣ କର୍ଣ୍ଣାଟକ ଫେରନ୍ତା ଥିବାବେଳେ ୧୦ଜଣ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି। ତେବେ ଖୋର୍ଦ୍ଧା ଜିଲାରେ ଆକ୍ରାନ୍ତ ସଂଖ୍ୟା ୫୦ରେ ସୀମିତ ରହିଛି। ଗତ କିଛିଦିନ ଧରି ଆକ୍ରାନ୍ତ ଠାବ ହୋଇନାହାନ୍ତି। ମାତ୍ର ଭଦ୍ରକରେ ଆଜି ୬ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଏହାବାଦ୍ ମୟୂରଭଞ୍ଜରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରେ ୧୫ଜଣ, ପୁରୀରେ ୨ଜଣ ଓ ବୌଦ୍ଧରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୋଳରେ ଆକ୍ରାନ୍ତଙ୍କ ମଧ୍ୟରେ ୧୩ଜଣ ସୁରତ, ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବାବେଳେ ଜଣେ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ସ୍ଥାନୀୟ ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ ରବିବାର ଗଞ୍ଜାମର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାରେ ତିନି ମୃତ୍ୟୁ ହେଲେଣି। ଆଜି ସୁଦ୍ଧା ସୁସ୍ଥ ସଂଖ୍ୟା ୬୮ରେ ସୀମିତ ରହିଛି। ଏବେ ବି ରାଜ୍ୟରେ ୩୦୬ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ତେବେ ଗଞ୍ଜାମରେ ଆଜି ୩୬ଜଣ ଚିହ୍ନଟ ହେବା ଫଳରେ ରାଜ୍ୟର ସର୍ବାଧିକ ଜିଲା ଭାବେ ଗଞ୍ଜାମ ତା’ର ରେକର୍ଡ ବଜାୟ ରଖିଛି। ଇତିମଧ୍ୟରେ ଜିଲାରେ ସପ୍ତାହକ ମଧ୍ୟରେ ୧୨୫ଜଣ ଚିହ୍ନଟ ହୋଇସାରିଲେଣି। ପ୍ରାୟ ସମସ୍ତେ ସୁରତ ଫେରନ୍ତା। ସମସ୍ତଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି।
ରାଜ୍ୟରେ ଏବେ ଆରଏମଆରସି, ଏମ୍ସ, ଏସସିବି, ରାଉରକେଲା ଆଇଜିଏଚ, ଏମକେସିଜି ଓ ବୁର୍ଲାଭଳି ୮ଟି ଲ୍ୟାବରେ ଦିନକୁ ୩ହଜାର ପ୍ରବାସୀଙ୍କ ସ୍ବାବ୍ ପରୀକ୍ଷା କରାଯାଇପାରୁଛି। ତେ​‌େ​‌ବ ଏତେ ସଂଖ୍ୟକ ପ୍ରବାସୀଙ୍କ ନମୁନା ପରୀକ୍ଷା ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଟେଷ୍ଟ କିଟ୍ ନାହିଁ କି ଆନୁଷଙ୍ଗିକ ଯନ୍ତ୍ରପାତି ସୁବିଧା ନାହିଁ। ଫଳରେ ଦିନକୁ ଯେଉଁ ୩ହଜାର ନମୁନା ପରୀକ୍ଷା କରାଯାଉଛି ସେଥିରୁ ଅଧିକାଂଶ ଆକ୍ରାନ୍ତ ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରୁ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ସାମାଜିକ ସଂକ୍ରମଣ ହୋଇନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ସୂର୍ଯ୍ୟନଗରରେ ଜଣେ ସାଧାରଣ ଆକ୍ରାନ୍ତ ଚିହ୍ନଟ ହେବା ଏବଂ ଆଜି ଅନୁଗୋଳରେ ଜଣେ ଚିହ୍ନଟ ହେବା ତାହାକୁ ନେଇ ସନ୍ଦେହ ଦେଖାଦେଇଛି।

Comments are closed.