ଡ଼ାକ୍ତରଙ୍କ ଦାବି: ଏହି ଶସ୍ତା ଔଷଧ ଦ୍ବାରା ଭଲ ହୋଇ ପାରିବେ କରୋନା ରୋଗୀ

କରୋନା ଭୂତାଣୁକୁ ବଶ କରିବା ପରି ଔଷଧ ଏଯାଏ ବାହାରିନାହିଁ । ସାରା ବିଶ୍ବର ବୈଜ୍ଞାନିକମାନେ କରୋନା ଟୀକା ଓ ଏହାର ପ୍ରତିଷେଧକ ଉଦ୍ଭାବନ କାମରେ ଲାଗିଛନ୍ତି । ଏହା ଏପରି ଏକ ରୋଗ ଯେଉଁ ରୋଗରେ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ଓ ଅନ୍ୟପଟେ ବହୁ ରୋଗୀ ଆପେଆପେ ସୁସ୍ଥ ମଧ୍ୟ ହୋଇ ପାରୁଛନ୍ତି । ଏହି ପରିପ୍ରେକ୍ଷୀରେ ପୁରୁଣା ଔଷଧ ଉପରେ ଗବେଷଣା ମଧ୍ୟ ଚାଲିଛି  । ଏହି ସ୍ଥିତିରେ ବୈଜ୍ଞାନିକମାନେ କରୋନା ଭୂତାଣୁର ଏକ ଦୁର୍ବଳତା ଖୋଜି ପାଇଛନ୍ତି ଏବଂ ଏହି ରୋଗ ଏକ ବହୁ ପ୍ରଚଳିତ ପୁରୁଣା ଔଷଧ ଦ୍ବାରା ଆରୋଗ୍ୟ ହୋଇ ପାରିବ ବୋଲି ଦାବି କରିଛନ୍ତି । ବହୁତ ଶସ୍ତା ଓ ବହୁଳ ଉପଲବ୍ଧ ଏହି ଔଷଧ ପ୍ରୟୋଗ ଦ୍ବାରା ଅନେକ କରୋନା ରୋଗୀ ସୁସ୍ଥ ହୋଇଥିବା ଦାବି କରାଯାଉଛି ।

ଏହି ଔଷଧର ନାମ ହେଉଛି ମେଟଫର୍ମିନ । ସାଧାରଣତଃ ଏହାର ବ୍ୟବହାର ମଧୁମେହ ବା ଡ଼ାଇବେଟିଜ ରୋଗୀଙ୍କ ଚିକିତ୍ସା ପାଇଁ କରାଯାଇଥାଏ । ମାତ୍ର ଏବେ ଏହା କରୋନା ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇ ପାରୁଥିବା କୁହାଯାଉଛି । ଚୀନର ଯେଉଁ ସହର ଉହାନରୁ କରୋନା ଭୂତାଣୁ ସାରା ବିଶ୍ବରେ ବ୍ୟାପିଛି, ସେଠାକାର ଡ଼ାକ୍ତରମାନେ ଏହା ଉପରେ ଗବେଷଣା କରିଛନ୍ତି ଓ ଏହି ଔଷଧ ମେଟାଫର୍ମିନ କରୋନା ଚିକିତ୍ସାରେ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି ।

ଗବେଷଣା ସମୟରେ କରୋନା ରୋଗୀଙ୍କ ଉପରେ ମଧ୍ୟ ଏହାର ପ୍ରୟୋଗ କରାଯାଇଛି । ଯେଉଁ କରୋନପୀଡ଼ିତ ମଧୁମେହ ରୋଗୀ ମେଟାଫର୍ମିନ୍ ଔଷଧ ଖାଉଥିଲେ ତାଙ୍କର ମୃତ୍ୟୁ ଅନୁପାତ ମେଟାଫର୍ମିନ ଖାଉ ନ ଥିବା ମଧୁମେହ ରୋଗୀଙ୍କ ତୁଳନାରେ ଯଥେଷ୍ଟ କମ୍ । କରୋନା ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ମଧୁମେହ ରୋଗୀଙ୍କ ମଧ୍ୟରୁ ମେଟାଫର୍ମିନ ନେଉଥିବା ରୋଗୀଙ୍କ ସଂଖ୍ୟା ମାତ୍ର ୧୨ ଥିବାବେଳେ ୮୮ ଜଣ ମେଟାଫର୍ମିନ ଖାଉ ନ ଥିବା ରୋଗୀ ଥିବା ଏହି ଗବେଷଣାରୁ ଜଣାପଡ଼ିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆମେରିକାର ମିନ୍ନ​‌ସୋଟା ବିଶ୍ବ ବିଦ୍ୟାଳୟରେ ମଧ୍ୟ ପାଖାପାଖି ୬ ହଜାର କରୋନା ସଂକ୍ରମିତଙ୍କୁ ମେଟାଫର୍ମିନ୍ ଔଷଧ ଦିଆଯାଇଛି । ଗବେଷକଙ୍କ ମତ ଅନୁସାରେ ମେଟାଫର୍ମିନ କରୋନପୀଡ଼ିତ ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ ହୋଇ ପାରିଛି ଏବଂ ରୋଗୀଙ୍କ ମୃତ୍ୟୁ ହାର ହ୍ରାସ କରି ପାରିଛି ।

ଇଂରାଜୀ ସମ୍ବାଦପତ୍ର ‘ସନ୍’ ଅନୁସାରେ ବ୍ରିଟେନର ପ୍ରମୁଖ ସ୍ବାସ୍ଥ୍ୟ ସଂସ୍ଥା ନେସନାଲ ହେଲ୍ଥ ସର୍ଭିସ ବହୁତ ପୂର୍ବରୁ ହିଁ ମେଟାଫର୍ମିନର ବ୍ୟବହାର କରି ଆସୁଛି । ଏହା ଔଷଧ ମଧୁମେହ ସହ ସ୍ତନକର୍କଟ, ହୃଦରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଉପଯୋଗୀ ହୋଇ ପାରିଛି । ୫୦ ଦଶକରେ ଏହାର ବ୍ୟବହାର ଟାଇପ-୨ ମଧୁମେହଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଥିଲା ।

ସୂଚନାଯୋଗ୍ୟ ଯେ କରୋନା ଭୂତାଣୁ ଓ କୋବିଦ-୧୯ ସଂକ୍ରମଣକୁ ନେଇ ବର୍ତମାନ ସୁଦ୍ଧା କୌଣସି ଟୀକା ବା ଔଷଧ ଉଦଦ୍ଭାବନ ହୋଇପାରି ନାହିଁ । ବିଭିନ୍ନ ଦେଶର ସରକାର ନିଜ ନିଜ ଅଞ୍ଚଳର ଅବସ୍ଥା, ସଂକ୍ରମଣ ଓ ଲକ୍ଷଣ ଆଧାରରେ ରୋଗୀଙ୍କ ଚିକିତ୍ସା କରାଯାଉଛି । ତେଣୁ କୌଣସି ପ୍ରକାର ଔଷଧ ସେବନ କରିବା ପୂର୍ବରୁ ଡ଼ାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ ।

Comments are closed.