୪ ଦିନ ପରେ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର

ସାରନଗରୀ/ରାଉରକେଲା : କରୋନା ମହାମାରୀ ସମୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମୃତ୍ୟୁର ୪ ଦିନ ପରେ ଜଣେ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି କଲକାତାରେ ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣଙ୍କ ଦକ୍ଷିଣ ରାଉରକେଲା ନବକୃଷ୍ଣନଗରର ବିଜୟ ଭୋଳଙ୍କ ଏକ ମାତ୍ର ପୁତ୍ର ଅନନ୍ତ କୁମାର ଭୋଳ(୪୧) । ଜୀବନ ଜୀବିକା ପାଇଁ ଅନନ୍ତ କଲକାତାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ବର୍ଷ ତମାମ ସବୁ କିଛି ଠିକଠାକ ଚାଳୁଥିଲା । ମାତ୍ର କରୋନା ରୂପୀ କାଳ ରାକ୍ଷସ ତାଙ୍କୁ ଗ୍ରାସ କରିବା ପରେ ଶେଷରେ କଲକାତାରେ ଅନନ୍ତ ମୃତ୍ୟୁ ଘଟିଥିଲା । ୪ ଦିନ ଅନନ୍ତଙ୍କ ଶବ ମର୍ଗ ହାଉସରେ ପଡ଼ି ରହିଥିଲା । ପରେ ପରିବାରର ଅନୁରୋଧ କ୍ରମେ ରାଉରକେଲା ପ୍ରଶାସନର ଘଟଣାରେ ହସ୍ତକ୍ଷେପ କରିଥିଲା । ଆଜି ଶନିବାର କୋଲକତା ପ୍ରଶାସନ ସହାୟତାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ଶବ ସତ୍କାର କରିବା ପ୍ରକ୍ରିୟା ଜାରି ରହିଛି ।

ଏହି ଦୁଃଖଦ ଘଟଣା ସମଗ୍ର ଦକ୍ଷିଣ ରାଉରକେଲାରେ ଶୋକର ଲହରୀ ଖେଳାଇ ଦେଇଛି । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଯୁବକଙ୍କ ଶବ ପରିବାର ପାଖରେ ପହଂଚି ପାରି ନ ଥିଲା । ସେପଟେ ଏକମାତ୍ର ପୁଅକୁ ହରାଇ ପରିବାରଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏହି ଘଟଣା ସମ୍ପର୍କରେ ବାପା ବିଜୟ ଭୋଳ ରାଉରକେଲା ଅତିରିକ୍ତ ଜିଲାପାଳ ଆବୋଲି ସୁନୀଲ ନରୱଣେଙ୍କୁ ଅବଗତ କରାଇାବରୁ ସେ ସହାୟତା ପାଇଁ ଆଶ୍ୱାସନା ଦେଇଥିଲେ । ରାଉରକେଲା ଅତିରିକ୍ତ ଜିଲାପାଳ କୋଲାକାତାର ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପରେ ଅନନ୍ତଙ୍କ ଶବ ସତ୍କାର ପାଇଁ ବାଟ ଖୋଲିଥିଲା । ଅନନ୍ତଙ୍କ ଶବ ସତ୍କାରର ଭିଡ଼ିଓ, ଫଟୋ ଓ ଅସ୍ଥି ପରିବାରକୁ ଦେବା ବ୍ୟବସ୍ଥା କରାଯିବ ବୋଲି ରାଉରକେଲା ଅତିରିକ୍ତ ଜିଲାପାଳ ମୃତ ଅନନ୍ତଙ୍କ ବାପା ବିଜୟ ଭୋଳଙ୍କୁ ପ୍ରତିଶୃତି ଦେଇଛନ୍ତି ।

Comments are closed.