ଆମେରିକା ପାଲଟିଲା କରୋନା ନାଭିକେନ୍ଦ୍ର

ରୋମ : ସମଗ୍ର ୟୁରୋପରେ କରୋନା ମହାମାରୀର ଆତଙ୍କ ସୃଷ୍ଟି ହୋଇଥିବାବେଳେ ଶନିବାର ଦିନ ଏଠାରେ ମୃତକଙ୍କ ସଂଖ୍ୟା ବୃଦ୍ଧିପାଇଛି। ତଥାପି ଏହି ମହାମାରୀ ଏପର୍ଯ୍ୟନ୍ତ ତାହାର କରାଳ ରୂପର ଶୀର୍ଷରେ ପହଞ୍ଚିନାହିଁ ଏବଂ ସେଥିପାଇଁ ଆଉ କିଛିଦିନ ବା ସପ୍ତାହ ଲାଗିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଇତିମଧ୍ୟରେ ଆମେରିକା କରୋନା ଭୂତାଣୁ କୋଭିଡ୍‌-୧୯ର ନାଭିକେନ୍ଦ୍ରରେ ପରିଣତ ହୋଇସାରିଛି। ଏଠାରେ କୋଭିଡ୍‌-୧୯ ସଂକ୍ରମିତ ରୋଗୀ ସଂଖ୍ୟା ୧,୧୨,୫୬୦କୁ ଅତିକ୍ରମ କରିଛି, ଯାହା ବିଶ୍ୱରେ ସର୍ବାଧିକ। ବୟସ ନିର୍ବିଶେଷରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ଜଣାଯାଇଛି। ଶନିବାର ସଂଧ୍ୟା ସୁଦ୍ଧା ଆମେରିକାରେ ୧୮୭୮ ଜଣଙ୍କର କୋଭିଡ୍‌-୧୯ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଶୁକ୍ରବାର ଜରୁରୀ କ୍ଷମତା ପ୍ରୟୋଗ କରିବା ସହିତ ଘରୋଇ କମ୍ପାନୀ ଜେନେରାଲ ମୋଟର୍ସକୁ ଚିକିତ୍ସା ଉପକରଣ ନିର୍ମାଣ କରିବାକୁ ଆଦେଶ ଦେଇଛନ୍ତି। ଏହାଦ୍ୱାରା ଅଧିକ ସଂଖ୍ୟାରେ ଭେଣ୍ଟିଲେଟର ଉତ୍ପାଦନ କରାଯାଇ ଆମେରିକୀୟଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଟ୍ରମ୍ପ କହିଛନ୍ତି। ଇତିମଧ୍ୟରେ ଏକ ଚିନ୍ତନଶୀଳ ଗୋଷ୍ଠୀ ସତର୍କ କରାଇଦେଇ କହିଛି ଯେ କରୋନା ସଂକ୍ରମଣ ଯୋଗୁଁ ନିମ୍ନ ଆୟକାରୀ ରାଷ୍ଟ୍ରଗୁଡିକରେ ଲକ୍ଷଲକ୍ଷ ସଂଖ୍ୟାରେ ଲୋକ ପ୍ରାଣ ହରାଇବା ଆଶଙ୍କା ଦେଖାଦେଇଛି। କରୋନା ମହାମାରୀର ଆତଙ୍କ ଏଭଳି ବୃଦ୍ଧିପାଇଛି ଯେ ବିଶ୍ୱର ବିକଶିତ ରାଷ୍ଟ୍ରଗୁଡିକର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ତାହା ଆଗରେ ନଗଣ୍ୟ ହୋଇପଡିଛି।

ଏହି ମହାମାରୀ ସୃଷ୍ଟିହେବା ଦିନଠାରୁ ସମଗ୍ର ବିଶ୍ୱରେ ଏହାଦ୍ୱାରା ଶନିବାର ଅପରାହ୍ନ ସୁଦ୍ଧା ୬,୨୦,୯୩୮ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୮,୬୫୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ସବୁସ୍ଥାନରେ ପରୀକ୍ଷଣ ସୁବିଧା ନ ଥିବାରୁ ଏହି ସଂଖ୍ୟା ତାହାଠାରୁ ଯଥେଷ୍ଟ ଅଧିକ ହୋଇପାରେ ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଇଟାଲି ଓ ସ୍ପେନ୍‌ରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ସ୍ପେନରେ ୮୩୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେଠାରେ ମୃତ୍ୟୁସଂଖ୍ୟା ୫୬୯୦କୁ ବୃଦ୍ଧିପାଇଛି। ସେହିଭଳି ଇଟାଲିରେ ଦିନକ ମଧ୍ୟରେ ୯୬୯ଜଣଙ୍କର ମୃତ୍ୟୁ ଘଟିଛି। ଇରାନରେ ୧୩୯ ଜଣଙ୍କର ପ୍ରାଣହାନି ଘଟିଥିବା ରିପୋର୍ଟ ମିଳିଛି। ଭାରତରେ ସଂକ୍ରମଣ ସଂଖ୍ୟାରରେ ବୃଦ୍ଧି ଘଟିଥିଲେ ହେଁ ମୃତ୍ୟୁ ସଂଖ୍ୟା ସେହି ୨୦ରେ ସୀମିତ ରହିଛି। ଶନିବାର ଅପରାହ୍ଣ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩୩ରେ ପହଞ୍ଚିଛି।

ଇତିମଧ୍ୟରେ କେନ୍ଦ୍ର ସରକାର ପଞ୍ଜାବର ଅନେକ ଗ୍ରାମକୁ ସିଲ୍‍ କରିଦେଇଛନ୍ତି। ଉକ୍ତ ଗ୍ରାମକୁ ଜଣେ ଗୁରୁ ପରିଭ୍ରମଣ କରିଥିଲେ, ଯିଏ କରୋନାରେ ସଂକ୍ରମିତ ଏବଂ ସମ୍ଭବତଃ ସେ ସୁପର ସ୍ପ୍ରେଡର ବୋଲି ସରକାର ଅନୁମାନ କରୁଛନ୍ତି। ଦକ୍ଷିଣ ଆଫ୍ରିକାର ଜୋହାନ୍‍ସବର୍ଗରେ ଏକ ସୁପରମାର୍କେଟ ବାହାରେ ସାମଗ୍ରୀ କଣିବାକୁ ଜନସାଧାରଣ ଭିଡ଼ ଜମାଇବାରୁ ସେମାନଙ୍କୁ ତଡ଼ିବାଲାଗି ପୁଲିସ ରବର ଗୁଳି ଚଳାଇଥିବା ଜଣାଯାଇଛି।

ଚୀନର ଉହାନ ସହରରେ ସମ୍ପୂର୍ଣ୍ଣ ଦୁଇମାସ ପର୍ଯ୍ୟନ୍ତ ସଙ୍ଗରୋଧ ଭାବରେ ରହିବା ଦ୍ୱାରା ସେଠାରେ ସୁଫଳ ମିଳିଥିବା ଲକ୍ଷ୍ୟ କରାଯାଇଛି। ଜାନୁଆରୀଠାରୁ ଏପର୍ଯ୍ୟନ୍ତ ସେଠାକାର ଜନସାଧାରଣଙ୍କୁ ଘରୁ ବାହାରିବା ଉପରେ କଡା କଟକଣା ଜାରି କରାଯାଇଛି। ଅବଶ୍ୟ ପରିସ୍ଥିତି ସୁଧୁରିବାପରେ ଶନିବାର ଦିନ ଲୋକଙ୍କୁ ଏହି ସହର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଇଥିଲା ଏବଂ ଅଧିକାଂଶ ସବ୍‍ୱେ ନେଟୱର୍କ ଇତିମଧ୍ୟରେ କାର୍ଯ୍ୟକରିବା ଆରମ୍ଭ କରିଛି। ଆସନ୍ତା ସପ୍ତାହରେ ସେଠାରେ କିଛି ସପିଂ କେନ୍ଦ୍ର ଖୋଲିବ ବୋଲି ଜଣାଯାଇଛି।

ଏଭଳି ସ୍ଥିତିରେ ସମୁଦାୟ ବିଶ୍ୱ ଅର୍ଥନୀତି ମାନ୍ଦା ଅବସ୍ଥାରେ ପ୍ରବେଶ କରିସାରିଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ନିଶ୍ଚିତ କରାଇଛି। ଏଭଳି ପରିସ୍ଥିତିରେ ଆମେରିକା ପ୍ରଶାସନ ଯୁଦ୍ଧ ସମୟରେ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବାର କ୍ଷମତାକୁ ଉପଯୋଗ କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ସୀମାନ୍ତକୁ ସିଲ୍‍ କରାଯିବା ସହିତ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ପରେ ୟୁରୋପୀୟ ୟୁନିୟନ ଅର୍ଥନୀତି ଭୁଶୁଡିବା ଅବସ୍ଥାରେ ପହଞ୍ଚିଛି। ଇତିମଧ୍ୟରେ ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି ଯେ ବିକାଶଶୀଳ ରାଷ୍ଟ୍ରଗୁଡିକ ନିମନ୍ତେ ବ୍ୟାପକ ଖର୍ଚ୍ଚ କରିବାର ଆବଶ୍ୟକତା ଦେଖାଦେଇଛି। ତେବେ ଏକଥା ସ୍ପଷ୍ଟ ଯେ ସମୁଦାୟ ବିଶ୍ୱରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇସାରିଛି।

 

Comments are closed.