ଜିଲାରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ‘କୋଭିଡ-୧୯’ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ କେବେ?

କେନ୍ଦୁଝରଗଡ : କେନ୍ଦୁଝର ସହର ଉପକଣ୍ଠ ରାଙ୍କିସ୍ଥିତ ନବନିର୍ମିତ ‘ଅନ୍ୱେଷା’ ହଷ୍ଟେଲକୁ ଅସ୍ଥାୟୀ ଭାବେ ‘କୋଭିଡ-୧୯ ହସ୍ପିଟାଲ’ କାର୍ଯ୍ୟକ୍ଷମ ନେଇ ଉତ୍କଳ ହସ୍ପିଟାଲ ପ୍ରା.ଲିଃ. ଭୁବନେଶ୍ୱର ସହ ଗତ ଅପ୍ରେଲ ୬ ତାରିଖରେ ଜିଲା ପ୍ରଶାସନ ସହ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା। ଜିଲା ଖଣିଜ ପାଣ୍ଠି (ଡିଏମଏଫ) ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ନିର୍ମାଣ ନିମନ୍ତେ ଚୁକ୍ତି ସ୍ୱାକ୍ଷରର ୨ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ ଅପ୍ରେଲ ୧୬ ତାରିଖ କେନ୍ଦୁଝର ଗସ୍ତରେ ଆସି ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ସହ ହସ୍ପିଟାଲ ପ୍ରସ୍ତୁତି କାର୍ଯ୍ୟ ଶେଷ କରାଯାଇ କିଭଳି ଆସନ୍ତା ୭ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ ସେ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ୨୦୦ଶର୍ଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଆଇସୋଲେସନ ୱାର୍ଡ ସମେତ ଭେଣ୍ଟିଲେଟର ବ୍ୟବସ୍ଥା ସହ ୧୪ଟି ଆଇସିୟୁ ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମିଶାଇ ୨୦୦ଜଣ କରୋନା ସଂକ୍ରମିତ ଓ ସନ୍ଦିଗ୍ଧ ଚିକିତ୍ସା ସହାୟତା ଯୋଗାଇ ଦେବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପ୍ରେଲ ୨୯ ତାରିଖ ଆନନ୍ଦପୁର ବ୍ଲକ ପଞ୍ଚୁପଲି ପଞ୍ଚାୟତରେ ଜିଲାର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇ ମେ ୨୫ ତାରିଖ ସୁଦ୍ଧା ମୋଟ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କେନ୍ଦୁଝର ଠାରେ ‘କୋଭିଡ-୧୯’ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇନପାରିବାରୁ ଆକ୍ରାନ୍ତଙ୍କୁ ସୁଦୂର କଟକସ୍ଥିତ ‘ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲ’କୁ ସ୍ଥାନାନ୍ତର କରାଯିବା ଜିଲାବାସୀଙ୍କୁ ନିରାଶ ହେବାକୁ ପଡିଛି। କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲ କମ୍ପାନୀ ପକ୍ଷରୁ ଯୋଡା ଠାରେ ଏକ ୫୦ଶର୍ଯ୍ୟା ବିଶିଷ୍ଟ ଜିଲାର ପ୍ରଥମ ‘କୋଭିଡ-୧୯’ ହସ୍ପିଟାଲ ଅପ୍ରେଲ ୧୦ତାରିଖରୁ ଲୋକାର୍ପିତ ହୋଇ ସାରିଥିଲେ ହେଁ ସେଠାରେ ମଧ୍ୟ ଜଣେହେଲେ କରୋନା ଆକ୍ରାନ୍ତଙ୍କୁ ଭର୍ତ୍ତି କରାନଯିବା ଉକ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନା ଭାଇରସ ‘କୋଭିଡ-୧୯’ ସଂକ୍ରମଣ ବିଶ୍ୱରେ ମହାମାରୀ ରୂପ ଧାରଣ କରିଥିବା ବେଳେ କେନ୍ଦୁଝର ଜିଲାରେ ଏହାକୁ ରୋକିବା ନେଇ କେନ୍ଦୁଝର ଠାରେ ନିର୍ମାଣାଧିନ ‘କୋଭିଡ-୧୯’ ହସ୍ପିଟାଲ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ଅର୍ଥ ଡିଏମଏଫ୍‍ ପାଣ୍ଠିରୁ ଅର୍ଥ ବ୍ୟୟ କରାଯାଇଥିବା କୁହାଯାଉଥିଲେ ହେଁ ଏହା କେତେ ପରିମାଣ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଯାଉ ନଥିବାରୁ ଏହାର ସ୍ୱଛତା ନେଇ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଚଳିତମାସ ୨ ତାରିଖରେ ଅନୁଷ୍ଠିତ ଡିଏମଏଫ ଜରୁରୀକାଳୀନ ବୈଠକରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ‘କୋଭିଡ-୧୯’ ହସ୍ପିଟାଲ ପାଇଁ କେତେ ଅର୍ଥ ଖର୍ଚ୍ଚ ବ୍ୟୟବରାଦ ହୋଇଛି ଏବଂ ପ୍ରକଳ୍ପର ଡିପିଆର ପ୍ରଦାନ ନିମନ୍ତେ ଜିଲାପାଳଙ୍କୁ କହିଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ଡିପିଆର ପ୍ରଦାନ କରାନଯିବା ପ୍ରକଳ୍ପର ସ୍ୱଛତା ନେଇ ଶ୍ରୀ ମାଝୀ ପ୍ରଶାସନର କାର୍ଯ୍ୟଶୈଳୀକୁ ସିଧାସଳଖ ଅଙ୍ଗୁଳିନିର୍ଦ୍ଦେଶ କରିଛନ୍ତି। ଏକ ଛାତ୍ରାବାସକୁ ଚିକିତ୍ସାଳୟରେ ପରିଣତ କରିବାକୁ ଅକ୍ଳାନ୍ତ ପରିଶ୍ରମ ଜାରି ରହିଥିବା ବେଳେ ଗତ ଶନିବାର ଠାରୁ ସନ୍ଦିଗ୍ଧ ୱାର୍ଡ କାର୍ଯ୍ୟକ୍ଷମ ହୋଇ ସାରିଛି। କେବଳ ବାୟୋ ୱେଷ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟ ଅଳ୍ପ ବାକି ରହିଥିବା ବେଳେ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଶେଷ କରାଯାଇ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ କରୋନା ଆକ୍ରାନ୍ତଙ୍କୁ ଭର୍ତ୍ତି ସହ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି ଜଣେ ଅଧିକାରୀ ଏହା କହିଛନ୍ତି।

Comments are closed.