ଚୀନ ବିରୋଧରେ ୬୨ ଦେଶର ମେଳି; ଭାରତ ଦେଲା ଚୀନକୁ ଝଟକା

ନୂଆଦିଲ୍ଲୀ: କରୋନା ଭୂତାଣୁ ସମ୍ପର୍କରେ ଚୀନର ଭୂମିକାକୁ ନେଇ ଦୀର୍ଘ ନିରବତା ପରେ ମୁହଁ ଖୋଲିଛି ଭାରତ । ସିଧାସଳଖ ନ ହେଲେ ବି ପରୋକ୍ଷରେ ଚୀନକୁ ନିଶାଣ କରି ଭାରତ ଏହି ଭୂତାଣୁ ପ୍ରାକୃତିକ ନୁହେଁ ଏବଂ ଏହାକୁ କୌଣସି ପରୀକ୍ଷାଗାରରେ ପ୍ରସ୍ତୁତ କରାଯାଇଛି ବୋଲି ମତ ଦେଇଛି । ଏହି ପରିପ୍ରେକ୍ଷୀରେ ଚୀନ ବିରୋଧରେ ଅଷ୍ଟ୍ରେଲିଆ ଓ ୟୁରୋପୀୟ ଦେଶ ସହ ବିଶ୍ବର ୬୨ ଦେଶ ଏକାଠି ହୋଇଛନ୍ତି ।
ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ସ୍ବାଭାବିକ ଭାବରେ ଏହି ବୈଠକରେ କରୋନା ଭୂତାଣୁ ସମ୍ପର୍କରେ ଆଲୋଚନା ହୋଇଛି ଏବଂ ଚୀନର ସନ୍ଦିଗ୍ଧ ଭୂମିକା ନେଇ ମଧ୍ୟ ଆଲୋଚନା ହୋଇଛି । ଆଜି ପର୍ଯ୍ୟନ୍ତ କରୋନାଭୂତାଣୁ ଓ ଚୀନର ଭୂମିକା ନେଇ ଚୁପ୍ ଥିବା ଭାରତ ଶେଷରେ ମୁହଁ ଖୋଲିଛି । କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ଭୂତାଣୁ ପ୍ରାକୃତିକ ନୁହେଁ ଓ ଏହାକୁ କୌଣସି ପରୀକ୍ଷାଗାରରେ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ।
ନୀତିନ ଗଡ଼କରୀଙ୍କ ଏହି ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ବୋଲି ପ୍ରଥମେ ମନେ କରାଯାଉଥିଲା । ମାତ୍ର ଭାରତ ସରକାରଙ୍କ ପକ୍ଷରୁ ବୈଠକ ନିମନ୍ତେ ପ୍ରସ୍ତୁତ ଡ଼୍ରାଫ୍ଟରେ ଏହାକୁ ସମର୍ଥନ କରାଯାଇଛି ଏବଂ କରୋନା ଭୂତାଣୁ ପଶୁଠାରୁ କିପରି ମଣିଷକୁ ବ୍ୟାପିଲା ତାହାର ଅନୁସନ୍ଧାନ ନିମନ୍ତେ ଦାବି କରିଛି ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ଓ ୟୁରୋପୀୟ ଦେଶ ପକ୍ଷରୁ ମଧ୍ୟ ଏହି ଘଟଣାର ଅନୁସନ୍ଧାନ ନିମନ୍ତେ ଦାବି କରାଯାଇଥିଲା । ଏବେ ଭାରତ ମଧ୍ୟ ଏଥିରେ ହଁ ଭରିଥିବା ଜଣାପଡ଼ିଛି ।
କରୋନା ଭୂତାଣୁ ସଂକ୍ରମଣ ଚୀନର ଉହାନ ସହରରୁ ଗତବର୍ଷ ଡ଼ିସେମ୍ବର ମାସରେ ଆରମ୍ଭ ହୋଇଥିଲା । ସାରା ବିଶ୍ବରେ ଏବେ ଏହି ସଂକ୍ରମଣରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟି ସାରିଛି ।

ବିଶ୍ବ ସମୁଦାୟ ଚୀନ ଉପରେ ଏଥିପାଇଁ ଖପ୍ପା । ଚୀନ ଉପରେ ଅଭିଯୋଗ ଆସିଛି ଯେ କରୋନା ସଂକ୍ରମଣ ସମ୍ପର୍କରେ ପ୍ରାରମ୍ଭିକ ସୂଚନାକୁ ଚୀନ୍ ଗୋପନ ରଖିଥିଲା । ଯାହାଫଳରେ ଏହା ସାରା ବିଶ୍ବକୁ ସଂକ୍ରମିତ ହୋଇଛି । ପୂର୍ବରୁ ଏହି ଘଟଣାକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଖୋଲାଖୋଲି ଏଥିପାଇଁ ଚୀନକୁ ଦାୟୀ କରିଛନ୍ତି ଓ ଚୀନ ପରୀକ୍ଷାଗାରରୁ ଏହି ଭୂତାଣୁ ବାହାରିଛି ବୋଲି କହି ସାରିଛନ୍ତି ।
ଅନ୍ୟପକ୍ଷରେ ଚୀନ ଏହି ଭୂତାଣୁ ଆମେରିକା ସେନା ଦ୍ବାରା ସଂକ୍ରମିତ ହୋଇଥିବା କହିଛନ୍ତି ଏବଂ ଏଥିପାଇଁ ଆମେରିକାକୁ ଦାୟୀ କରିଛନ୍ତି ।

Comments are closed.