ବିପତ୍ତିର ଆହ୍ବାନ

ମଜୁରିଆ ଓ ନିରାଶ୍ରୟଙ୍କ କଥା ବୁଝିବ କିଏ?

ଘାତକ କରୋନା ଭୂତାଣୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଯଥାସାଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ଦିଗରେ ଓଡ଼ିଶା ସରକାର ଆଉ ଦୁଇ ପାଦ ଆଗରେ ରହିଛନ୍ତି। ସୁଚିନ୍ତିତ ଓ ଦୂରଦର୍ଶୀ ଯୋଜନା ଜରିଆରେ ପୂର୍ବରୁ ଏକାଧିକ ପ୍ରାକୃତିକ ବିପର୍ୟ୍ୟୟର ସଫଳତାର ସହ ମୁକାବିଲା କରି ପ୍ରଶଂସା ସାଉଁଟିଥିବା ଓଡ଼ିଶା ସରକାରଙ୍କ କରୋନା ମୁକାବିଲା ରଣନୀତି ମଧ୍ୟ ଅଭିନନ୍ଦନୀୟ। ସଚେତନତା, ସତର୍କତା, ଜରୁରୀକାଳୀନ ସ୍ଥିତି ଘୋଷଣା, ଅର୍ଥ ମଞ୍ଜୁର ଓ ବିଭାଗୀୟ ସମନ୍ୱୟ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ପାଇଛି। ଜନଗହଳିକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ସମଗ୍ର ରାଜ୍ୟକୁ ଏକପ୍ରକାର ସଙ୍ଗରୋଧ(କ୍ୱାରେନ୍‍ଟାଇନ୍‍) କରିବା ଲକ୍ଷ୍ୟ ରଖାଯାଇଛି। ଶିକ୍ଷାନୁଷ୍ଠାନ(କେବଳ ପରୀକ୍ଷା ବ୍ୟତୀତ), ମଲ୍‍, ହଲ୍‍, ପାର୍କ, ସୁଇମିଂ ପୁଲ୍‍, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ, ମେଳା, ମହୋତ୍ସବ, ସଭା ଆଦିରେ କଟକଣା ଜାରି କରାଯାଇଛି। କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ଉପରୋକ୍ତ ଅତ୍ୟାବଶ୍ୟକ ପଦକ୍ଷେପ କିନ୍ତୁ ଆଉ ଏକ ସଙ୍କଟକୁ ଜନ୍ମ ଦେଇଛି। ଅନେକ ଅନୁଷ୍ଠାନ/ପ୍ରତିଷ୍ଠାନ ବନ୍ଦ ହୋଇଯିବା ଯୋଗୁଁ ସେଠାରେ ନିୟୋଜିତ କର୍ମଚାରୀ ରୋଜଗାର ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ସ୍ଥିତି ଆଉ କିଛି ଦିନ ଲାଗି ରହିଲେ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥନୀତି ଏ ପର୍ୟ୍ୟନ୍ତ ମାନ୍ଦାବସ୍ଥା କବଳରୁ ମୁକୁଳି ପାରିନାହିଁ। ଏଭଳି ପରିସ୍ଥିତିରେ କରୋନା କଟକଣା ଆର୍ଥିକ ସଙ୍କଟକୁ ଆହୁରି ସଙ୍ଗିନ କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। କରୋନା କଟକଣା ଯୋଗୁଁ ରୋଜଗାର ହରାଉଥିବା କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ, ଦିନ ମଜୁରିଆମାନଙ୍କ କ୍ଷତିକୁ କିଭଳି ଭରଣା କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ମନେ ହୁଏ। ଉତ୍ତରପ୍ରଦେଶ ସରକାର ଏ ଦିଗରେ ଚିନ୍ତା କରୁଥିବା ସୂଚନା ମିଳିଛି। ତେଣୁ ଯୋଗୀ ସରକାରଙ୍କ ପୂର୍ବରୁ ଓଡ଼ିଶା ସରକାର ଉପରୋକ୍ତ ଜନକଲ୍ୟାଣ ଯୋଜନା କାର୍ୟ୍ୟକାରୀ କରି ବିପର୍ୟ୍ୟୟ ପରିଚାଳନା ଇତିହାସରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନା କରିପାରିବେ।
କରୋନାକୁ ବିପତ୍ତି ଘୋଷଣା ଓ କଟକଣା ଯୋଗୁଁ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଅଜଣା ଭୟରୁ ଫାଇଦା ଉଠାଇବା ପାଇଁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଛନ୍ତି। ସେମାନଙ୍କ ଅସାଧୁ ମାନସିକତା ‘ଅଭାବ ସଙ୍କଟ’ ଗୁଜବକୁ ଜନ୍ମ ଦେଇଛି। ଗୁଜବ ଯୋଗୁଁ ଲୋକମାନେ ଭୟରେ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ସାମଗ୍ରୀ, ପନିପରିବା ଓ ନିତ୍ୟବ୍ୟବହାର୍ୟ୍ୟ ଦ୍ରବ୍ୟ କିଣି ଆଣି ଘରେ ମହଜୁଦ ରଖୁଥିବା ଖବର ମିଳୁଛି। ତୁଣ୍ଡ ବାଇଦ ନିମିଷକେ ଅନ୍ୟ ଅଞ୍ଚଳକୁ ବ୍ୟାପୁଥିବାରୁ କୃତ୍ରିମ ଖାଦ୍ୟାଭାବ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏ ଦିଗରେ ମଧ୍ୟ ରାଜ୍ୟ ସରକାର ବିହିତ ପଦକ୍ଷେପ ନେବା ଆବଶ୍ୟକ। ଗୁଜବକୁ ଗୁରୁତ୍ୱ ନ ଦେବା ପାଇଁ ଲୋକଙ୍କୁ ପରାମର୍ଶ ଦେବା ସରକାରଙ୍କ ଦାୟିତ୍ୱ। ଏଥିସହିତ ଖାଦ୍ୟ ସଙ୍କଟ ସୃଷ୍ଟି ହେବ ନାହିଁ ବୋଲି ଲୋକଙ୍କୁ ଆଶ୍ୱାସନା ଦେବା ଓ ନିଶ୍ଚିତ କରିବା ମଧ୍ୟ ସରକାରଙ୍କ କର୍ତ୍ତବ୍ୟ। ଏବେ ସାନିଟାଇଜର, ନାପ୍‍କିନ୍‍, ମାସ୍କ ଆଦିର କଳାବଜାରୀ ହେଉଥିବା ଖବର ପ୍ରକାଶ ପାଇଛି। ସେହି ସବୁ ସାମଗ୍ରୀର ଯୋଗାଣ ତୁଳନାରେ ଚାହିଦା ହଠାତ୍‍ ବୃଦ୍ଧି ପାଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଏହି ସମସ୍ୟା ସମାଧାନ ପାଇଁ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ପର୍ୟ୍ୟାପ୍ତ ମାସ୍କ ଯୋଗାଣ ପାଇଁ ଫଳପ୍ରଦ ଉଦ୍ୟମ ଆରମ୍ଭ କରିଛନ୍ତି, କିନ୍ତୁ ଖାଦ୍ୟ ସଙ୍କଟ ଗୁଜବ ହିଁ ଅଧିକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। କରୋନା କଟକଣା ଯଦି ଆଉ କିଛି ଦିନ ଲାଗି ରହେ ତେବେ ଗୁଜବ ଶକ୍ତିଶାଳୀ ହେବା ଅନିଶ୍ଚିତ ନୁହେଁ। ତେଣୁ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଟିମ୍‍ ଏଥିପ୍ରତି ଆଗୁଆ ପଦକ୍ଷେପ ନେବା ଉଚିତ।
ଏସବୁର ଊର୍ଦ୍ଧ୍ବରେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ପାଇଁ ପ୍ରମୁଖ ଆହ୍ୱାନ ହେଉଛି ବସ୍ତିଅଞ୍ଚଳ। ରାଜ୍ୟରେ, ବିଶେଷ କରି ରାଜଧାନୀରେ ବସ୍ତି ସଂଖ୍ୟା କମ୍‍ ନୁହେଁ। ସେଠାକାର ଅସ୍ୱାସ୍ଥ୍ୟକର ପରିବେଶ ବିଷୟରେ ମଧ୍ୟ ପ୍ରଶାସନିକ କଳ ଅଜଣା ନୁହେଁ। ଯଦି ସେଠାରେ କରୋନା ଭୂତାଣୁ ଚିହ୍ନଟ ହୁଏ ତେବେ ସ୍ଥିତି ସାଂଘାତିକ ଓ ଅଣାୟତ୍ତ ହେବ। ଏହି ଦୃଷ୍ଟିରୁ ବସ୍ତି ଅଞ୍ଚଳରେ କରୋନା ନିୟନ୍ତ୍ରଣ ପାଇଁ ସରକାରୀ କଳକୁ ଅଧିକ ଯତ୍ନଶୀଳ ଓ ତତ୍ପର ହେବାକୁ ପଡ଼ିବ। ଅଭ୍ୟାସଗତ ମାନସିକତା ଓ ସମ୍ବଳ ଅଭାବ ଯୋଗୁଁ ବସ୍ତିବାସିନ୍ଦାମାନେ ପରିମଳ ଓ ପରିଷ୍କାର-ପରିଚ୍ଛନ୍ନତା ପ୍ରତି ଏତେ ସତର୍କ ଓ ଦାୟିତ୍ୱବାନ ନୁହନ୍ତି। ତେଣୁ ସେଠାରେ ପରିମଳ ପରିଚାଳନା, ପରିବେଶ ପରିଚ୍ଛନ୍ନତା ଓ ଲୋକଙ୍କ ଅଭ୍ୟାସ ପରିବର୍ତ୍ତନ ପାଇଁ ସରକାରଙ୍କୁ ଅଧିକ କଷ୍ଟ ସ୍ୱୀକାର କରିବାକୁ ହେବ। ଖୋଲାଆକାଶ ଓ ରାସ୍ତାକଡ଼ରେ ଆଶ୍ରୟ ନେଉଥିବା ନିରାଶ୍ରୟମାନଙ୍କୁ କିଭଳି ସ୍ୱଚ୍ଛତା ଦିଗରେ ସଚେତନ କରାଯାଇପାରିବ ଏବଂ ସେମାନଙ୍କୁ ସ୍ୱାସ୍ଥ୍ୟକର ପରିବେଶ ଯୋଗାଇ ଦିଆଯିବ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ। ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କୁ ଚିହ୍ନଟ ଓ ଚିକିତ୍ସା ଏକପ୍ରକାର ଅସମ୍ଭବ ବ୍ୟାପାର। ତେଣୁ ସଚେତନତା ସତ୍ତ୍ବେ ନିରାଶ୍ରୟମାନେ କରୋନାର ଆଶ୍ରୟ ସ୍ଥଳୀ ଓ ସଂକ୍ରମଣର ମାଧ୍ୟମ ହେବା ଆଶଙ୍କା ଅମୂଳକ ନୁହେଁ। ଏହି ସମ୍ଭାବ୍ୟ ସଙ୍କଟର ମୁକାବିଲା ଦିଗରେ ସ୍ୱେଚ୍ଛାସେବୀମାନଙ୍କର ସହଯୋଗ ଅପରିହାର୍ୟ୍ୟ। କରୋନା ମୁକାବିଲାରେ କୌଣସି ତ୍ରୁଟି ନ ଦେଖିବାକୁ ସଂକଳ୍ପ ନେଇଥିବା ଓଡ଼ିଶା ସରକାରଙ୍କ ଟିମ୍‍ ଉପରୋକ୍ତ ଦିଗ ପ୍ରତି ଦୃଷ୍ଟି ଦେଲେ ବିପଦକୁ ପ୍ରତିହତ କରାଯାଇପାରିବ। ଏଥିରେ ଜନସାଧାରଣଙ୍କ ସହଯୋଗ ଏକାନ୍ତ କାମ୍ୟ।

Comments are closed.