ସନ୍ଧିକ୍ଷଣରେ ଓଡ଼ିଶା: ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ଆମନ୍ତ୍ରଣ କରିପାରେ ସାମାନ୍ୟ ଅସାବଧାନତା

ଭୁବନେଶ୍ବର: ଗତ ୩ ଦିନ ମଧ୍ୟରେ ବଦଳି ଯାଇଛି କରୋନା ଛବି । ଜଙ୍ଗଲ ନିଆଁ ପରି କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଗଂଜାମର ୨୯, ବାଲେଶ୍ୱରର ୧୫, ଅନୁଗୁଳ ୧୩, ମୟୂରଭଂଜରେ ଜଣେ ପଜିଟିଭ ଚିହ୍ନଟ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ଗଂଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି । ଏଥିସହ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ଏପରି ସ୍ଥିତିରେ ରାଜ୍ୟରେ କରୋନା ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ପାଦ ଦେଶରେ ପହଞ୍ଚିଥିବା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ବର୍ତ୍ତମାନ ଷ୍ଟେଜ୍-୩ ପାଦଦେଶରେ ରହିଛି ଓଡ଼ିଶା । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି ବୋଲି କହିଛନ୍ତି ଡ଼ା  ପଣ୍ଡା ।  ହଟସ୍ପଟ୍ ଅଞ୍ଚଳରୁ  ଆସିଥିବାରୁ ଅଧିକ ସଂକ୍ରମିତ ଠାବ ହେବା ସ୍ବାଭାବିକ, କିନ୍ତୁ ଏଥିପାଇଁ ଭୟଭୀତ ହେବାର କାରଣ ନାହିଁ । ପ୍ରବାସୀ ଓଡ଼ିଆଙ୍କୁ ଗ୍ରହଣ କରିବାକୁ ପଡ଼ିବ ଏବଂ ରୋଗ ପ୍ରତିଷେଧକ ଶକ୍ତି ହିଁ ଆମକୁ କରୋନା ସଂକ୍ରମଣରୁ ରୋକିପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଆଜି ଚିହ୍ନଟ ହୋଇଥିବା ୫୮ ଜଣଙ୍କ ମଧ୍ୟରେ ଭୋଗରାଇ ଅଞ୍ଚଳର ୧୫ ଜଣ ଅଛନ୍ତି । ଫଳରେ ବାଲେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ୪୨କୁ ବଢ଼ିଛି । ବାଲେଶ୍ବର ଜିଲାରେ ଯେଉଁମାନଙ୍କର ସ୍ବାବ୍ ପଜିଟିଭ୍ ବାହାରିଛି ସମସ୍ତେ ହେଉଛନ୍ତି ପ୍ରବାସୀ । ୧୦ ଜଣ ପଶ୍ଚିମବଙ୍ଗ ଓ ୫ ଜଣ କର୍ଣ୍ଣାଟକରୁ ଫେରିଥିବା ଜଣାପଡ଼ିଛି । ସେହିପରି ଅନୁଗୋଳ, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ସମସ୍ତଙ୍କ କ୍ଷେତ୍ରରେ ପ୍ରବାସ ସଂଯୋଗ ରହିଛି ।

ବାଲେଶ୍ୱରରେ ଆଜିର ୧୫ ଜଣଙ୍କୁ ନେଇ ଆକ୍ରାନ୍ତଙ୍କ ତାଲିକା ୪୨କୁ ବୃଦ୍ଧି ହୋଇଛି । ବାଲେଶ୍ୱରର ୧୫ ଜଣଙ୍କ ମଧ୍ୟ ୧୦ କୋଲକାତାରୁ ଫେରିଥିବା ବେଳେ ୫ ଜଣ କର୍ଣ୍ଣାଟକରୁ ଫେରିଛନ୍ତି । ଅନୁଗୁଳରେ ୧୩ ନୂଆ ଆକ୍ରାନ୍ତ ଥିବା ବେଳେ ମୟୂରଭଂଜରେ ନୂଆ ଜଣେ ପଜିଟିଭକୁ ନେଇ ଆକ୍ରାନ୍ତ ତାଲିକା ୮ରେ ପହଂଚିଛି । ନୂଆ ୬ଟି ମାମଲା ସହ ଭଦ୍ରକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି । ୪ ନୂଆ ପଜିଟିଭଙ୍କ ସହ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଛୁଇଁଛି । ରାଜ୍ୟରେ ୩୬୨ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୬୮ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏବେ ରାଜ୍ୟରେ ୨୯୧ଟି ସକ୍ରିୟ ସଂକ୍ରମିତ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.