କରୋନା ସଂକ୍ରମିତଙ୍କ ଗୋଟିଏ ସ୍ୱାବରେ ଥାଏ ୧୦୦୦୦୦୦୦୦୦୦ ଭୂତାଣୁ

ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି):  ଜଣେ କରୋନା ରୋଗୀଙ୍କ ନାକରୁ ନିଆଯାଉଥିବା ସ୍ୱାବ୍‍ (ନାସୋଫାରିନ୍‍ଜିଆଲ)ରେ ଥାଏ ପ୍ରାୟ (୧ ହଜାର କୋଟି) ଭୂତାଣୁ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭୂତାଣୁ କୌଣସି ଜୀବିତ ପ୍ରାଣୀ (ମଣିଷ) ଦେହରେ ପ୍ରବେଶ କରିବା ମାତ୍ରେ ପ୍ରତି ସେକେଣ୍ଡରେ ଶହଶହ ଭୂତାଣୁକୁ ସୃଷ୍ଟି କରିଥାଏ । କରୋନା ଭୂତାଣୁ ସମ୍ପର୍କରେ ଏହି ତଥ୍ୟ ଦେଇଛନ୍ତି ଥିରୁବନନ୍ତପୁରମ୍‍ସ୍ଥିତ ଶ୍ରୀ ଚିତ୍ରା ଥିରୁନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ ସାଇନ୍ସ ଏଣ୍ଡ ଟେକ୍‍ନୋଲୋଜିର ବରିଷ୍ଠ ବୈଜ୍ଞାନିକ ଡ଼ା. ଅରୁପ ଠେକୁଭିଟ୍ଟିଲ୍‍ । ଡ଼ା. ଅରୁପ କହିଛନ୍ତି ଆମ ଶରୀର କରୋନା ଭୂତାଣୁ ସହ ଲଢ଼ିବାକୁ ସକ୍ଷମ । ମାତ୍ର ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ କେବଳ ସେମାନଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ।

ଆମ ଦେହରେ କରୋନା ଭୂତାଣୁ ବଞ୍ଚିବାକୁ ଅହରହ ଚେଷ୍ଟା କରିବ। ଅନ୍ୟପକ୍ଷରେ ଆମ ଶରୀରର କୋଷିକା ଓ ଆମର ସୁରକ୍ଷା ନିମନ୍ତେ ଆମ ଦେହରେ ଥିବା ପ୍ରତିରୋଧକ ଶକ୍ତି ଆମକୁ ବଞ୍ଚାଇବାକୁ ଏବଂ କରୋନା ଭୂତାଣୁକୁ ନଷ୍ଟ କରିବାକୁ ଚେଷ୍ଟା କରିବ । ଭୂତାଣୁ ଓ ଜୀବନ ମଧ୍ୟରେ ଆମ ଶରୀରରେ ଅହରହ ଯୁଦ୍ଧ ଚାଲିବ । ଏଥିରେ ଯିଏ ବଳବାନ ସାବ୍ୟସ୍ତ ହେବ ସେ ବିଜୟୀ ହେବ ।

ଭୂତାଣୁ ପ୍ରବେଶର ସହଜ ରାସ୍ତା ନାକ

ଡ଼ା. ଅରୁପ କହିଛନ୍ତି ଆମ ଶରୀରରେ ଭୂତାଣୁ ପ୍ରବେଶ ନିମନ୍ତେ ବିଭିନ୍ନ ରାସ୍ତା ରହିଛି । ମାତ୍ର ଏହା ମଧ୍ୟରୁ ଭୂତାଣୁ ପାଇଁ ସବୁଠୁ ସୁଗମ ପଥ ହେଉଛି ଆମର ନାକ । ନାକ ଦେଇ ଏହି ଭୂତାଣୁ ସହଜରେ ଆମ ଦେହରେ ପ୍ରବେଶ କରିପାରେ । ଏହାକୁ “ଅପର ରେସ୍ପିରେଟୋରୀ ଇନ୍‍ଫେକ୍ସନ’ ବୋଲି କୁହାଯାଏ । ନାକ ଦେଇ ଏହି ଭୂତାଣୁ ଗଳାରେ ବସା ବାନେ୍ଧ । ତେଣୁ ନାକରେ କରୋନା ଭୂତାଣୁ ସବୁଠାରୁ ଅଧିକ ଥାଆନ୍ତି ଓ ଗୋଟିଏ ସ୍ୱାବରେ ପ୍ରାୟ ୧ ହଜାର କୋଟି ଭୂତାଣୁ ରହିପାରନ୍ତି ।

ଆମ ଦେହରେ ବି ଅଛି କରୋନା ପରି ଭୂତାଣୁ

କରୋନା ଏକ ନୂଆ ଭୂତାଣୁ ନୁହେଁ । ଜଣେ ସୁସ୍ଥ ଲୋକର ଦେହରେ କରୋନା ପରିବାରର ବହୁ ଭୂତାଣୁ ଏବେ ବି ଥାଇପାରନ୍ତି । ଆମର ରୋଗ ପ୍ରତିରୋଧକ ଶକ୍ତି ନିକଟରେ ଏହି ଭୂତାଣୁ ବିବଶ ହୋଇ ରହିଛନ୍ତି । ମାତ୍ର କୋବିଦ-୧୯ ଭୂତାଣୁ ହେଉଛି ଏହି ପରିବାରର ନୂଆ ସଦସ୍ୟ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ଏକ “ଫ୍ୟୁଜନ୍‍ ଭାଇରସ୍‍’ । ଦୁଇ ପ୍ରାଣୀ (ବାଦୁଡ଼ି ଓ ବଜ୍ରକାପ୍ତା)ର ସମ୍ମିଶ୍ରଣରେ ଏହାର ସୃଷ୍ଟି । ଏହାକୁ ଶଙ୍କର ଭୂତାଣୁ (ହାଇବ୍ରିଡ଼୍‍) ମଧ୍ୟ କୁହାଯାଇ ପାରିବ । ଏହି ଭୂତାଣୁ ବଞ୍ଚିବା ପାଇଁ ଯେତେବେଳେ କୌଣସି ପ୍ରାଣୀକୁ ଖୋଜିଛି ସେତେବେଳେ “ମଣିଷ’କୁ ପାଇଛି ଏବଂ ଏହା ନିଜକୁ ବହୁଗୁଣିତ କରିବା ପାଇଁ ମଣିଷ ଶରୀର ହିଁ ଶ୍ରେଷ୍ଠ ମାଧ୍ୟମ ପାଲଟିଛି ।

ପ୍ରତ୍ୟେକ ପ୍ରାଣୀ ନିଜ ନିଜର ଭୂତାଣୁ ବହନ କରିଥାଆନ୍ତି । କୁକୁର ଦେହରେ ଯେଉଁ ଭୂତାଣୁ ଅଛି ସେହି ଭୂତାଣୁ ବିଲେଇ ଦେହରେ ନ ଥାଏ । କିନ୍ତୁ ଯେତେବେଳେ ଦୁଇଟି ପ୍ରାଣୀ ଦେହର ଭୂତାଣୁ ମିଳିତ ହୋଇ ଗୋଟିଏ ଭୂତାଣୁରେ ପରିଣତ ହୁଏ ସେତେବେଳେ ତାହାକୁ ରୋକିବା କଷ୍ଟକର ହୋଇପାରେ । ଆଉ ବିଶେଷ କଥା ହେଉଛି ଏହି ଭୂତାଣୁକୁ ଆମେ ପୂର୍ବରୁ ସମ୍ମୁଖୀନ ହୋଇ ନ ଥିବା ଯୋଗୁଁ କିମ୍ବା ଏହାକୁ ମାରିବା ପାଇଁ ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ନ ଥିବା ଯୋଗୁଁ ଆମ ଶରୀର ପ୍ରତିକ୍ରିୟାଶୀଳ ହୋଇପଡ଼େ ।

ଶରୀରରେ ଚାଲେ ଘମାଘୋଟ ଯୁଦ୍ଧ

ଯେତେବେଳେ କୋବିଦ-୧୯ ଭୂତାଣୁ ଆମ ଶରୀରରେ ବଞ୍ଚିବା ଓ ନିଜର ସଂଖ୍ୟା ବିସ୍ତାର କରିବାକୁ ଚେଷ୍ଟା କରେ ସେତେବେଳେ ଆରମ୍ଭ ହୁଏ ବାସ୍ତବ ଯୁଦ୍ଧ । ଆଉ ଏହି ଭୂତାଣୁର ସବୁଠାରୁ ବଡ଼ ଶକ୍ତି ହେଉଛି ଏହା ତୀବ୍ର ଗତିରେ ନିଜର ସଂଖ୍ୟା ବିସ୍ତାର କରିପାରେ । ଏମିତିକି ଗୋଟିଏ ସେକେଣ୍ଡରେ ଶହେରୁ ଅଧିକ । କିନ୍ତୁ ଆମର କୋଷିକା ଏତେ ତୀବ୍ର ବେଗରେ କାର୍ଯ୍ୟ କରିପାରେ ନାହିଁ । ଆମର ଜୀବନ ଦୀର୍ଘ ତେଣୁ ଆମର କୋଷ ନିର୍ମାଣ ମନ୍ଥର । ମାତ୍ର କୋବିଦ ୧୯ ଭୂତାଣୁର ଜୀବନ ସଂକ୍ଷିପ୍ତ, ତେଣୁ ତାର ବଂଶବିସ୍ତାର ଅତ୍ୟନ୍ତ ତୀବ୍ର।

ତେଣୁ ଯେଉଁମାନେ ବୟସ୍କ ଓ ଦୁର୍ବଳ ସେମାନଙ୍କ ଶରୀର କୋବିଦ ୧୯ ଭୂତାଣୁର ତୀବ୍ର ପ୍ରତିକ୍ରିୟାକୁ ମୁକାବିଲା କରିବାକୁ ସକ୍ଷମ ହୋଇପାରେ ନାହିଁ । ତେଣୁ ସେମାନେ ହାରି ଯାଆନ୍ତି ଓ ମୃତ୍ୟୁବରଣ କରିପାରନ୍ତି । ମାତ୍ର ଯୁବକ ଓ ଶକ୍ତିଶାଳୀ ଲୋକମାନେ କୋବିଦ ୧୯ ଭୂତାଣୁକୁ ନିଜ ଶରୀରରେ ଧାରଣ କରିବାକୁ ସକ୍ଷମ ହେବାରୁ ସେମାନେ ଜୀବିତ ରହିପାରନ୍ତି । ଆଉ ଆମ ଶରୀର ଥରେ ଏହି ଭୂତାଣୁକୁ ସହନ କରିବାକୁ ସକ୍ଷମ ହୋଇଗଲେ ତାହା ଭବିଷ୍ୟତରେ ଯେତେଥର ଆସିଲେ ବି ଆମ ଶରୀର ତାହାକୁ ପ୍ରତିରୋଧ କରିବାରେ ଆଦୌ ବିବଶ ହେବ ନାହିଁ ।

Comments are closed.