କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବାରେ ରାଜ୍ୟବାସୀଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସରପଞ୍ଚଙ୍କ ନିର୍ଦେଶକୁ ଉଲ୍ଲଂଘନ କଲେ ମିଳିବ ଦଣ୍ଡ

ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଏବଂ ତ୍ୟାଗକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସବୁସ୍ତରରେ ଲୋକମାନଙ୍କ ତ୍ୟାଗ, ସହଯୋଗ ଏବଂ ଉତ୍ସର୍ଗୀକୃତ ବ୍ୟବସ୍ଥା ଫଳରେ ଏହା ହାସଲ ହୋଇପାରିଛି । କଟକଣା ଉଠିଯିବା ପରେ ଅନ୍ୟ ରାଜ୍ୟରେ ରହିଯାଇଥିବା ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଫେରାଇ ଅଣାଯିବ। ଏଥିପାଇଁ ସଂପୃକ୍ତ ରାଜ୍ୟ ଓ ଭାରତ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ଓଡ଼ିଶା ସରକାର ନିରାପଦରେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବେ । ବୈଷୟିକ ଜ୍ଞାନକୌଶଳ ଏବଂ ମାନବୀୟ ଦୃଷ୍ଟିଭଙ୍ଗୀ ସହିତ ଗ୍ରାମପଞ୍ଚାୟତ ଏବଂ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ସଂପୃକ୍ତ କରି ଗୋଷ୍ଠୀ ତଦାରଖ ବ୍ୟବସ୍ଥା ଭିତ୍ତିରେ ସେମାନଙ୍କୁ ନିରାପଦରେ ଫେରାଇ ଅଣାଯିବ ।

ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କ ପଞ୍ଚାୟତ ପରିସୀମା ମଧ୍ୟରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧, ମହାମାରୀ ରୋଗ ଆଇନ୍‌ ୧୮୯୭, ଓଡ଼ିଶା କୋଭିଡ୍‌-୧୯ ରେଗୁଲେସନ୍‌ ୨୦୨୦ ଅନୁଯାୟୀ ଏହି କ୍ଷମତା ପ୍ରଦାନ କରାଯାଇଛି । ଗ୍ରାମପଞ୍ଚାୟତ ସରପଞ୍ଚମାନେ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଶାର ଲୋକମାନଙ୍କର ପଂଜୀକରଣ, ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା, ରହିବା ଓ ଖାଦ୍ୟପେୟ ବନ୍ଦୋବସ୍ତ ଏବଂ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସୁନିଶ୍ଚିତ ଓ ନିୟନ୍ତ୍ରିତ କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଛନ୍ତି । ସରପଞ୍ଚଙ୍କ ନିର୍ଦେଶକୁ ଉଲ୍ଲଂଘନ କଲେ ଯେକୌଣସି ବ୍ୟକ୍ତି ଆଇନ୍‌ ଅନୁଯାୟୀ ଦଣ୍ଡିତ ହେବେ ।
ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ପାଇଁ ପ୍ରତି ଗ୍ରାମପଞ୍ଚାୟତରେ ପଞ୍ଜୀକରଣର ସୁବିଧା ରହିବ । ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କୁ ଫେରିବା ପୂର୍ବରୁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ସେମାନଙ୍କର ପରିବାର ଲୋକମାନେ ସେମାନଙ୍କ ପାଇଁ ନାମ ପଞ୍ଜୀକରଣ କରିପାରିବେ । ସେମାନଙ୍କୁ ପଞ୍ଚାୟତରେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ । ସେମାନଙ୍କର ରହିବା, ଖାଇବା ଓ ଚିକିତ୍ସା ଆଦି ସବୁ ସୁବିଧା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ସଫଳତାର ସହ କ୍ୱାରାଣ୍ଟାଇନ୍‌ ସମୟ ସମାପ୍ତି ପରେ ପ୍ରୋତ୍ସାହନ ଭାବେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ସୋମବାର ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments are closed.