‘ସମାଜ’ ପକ୍ଷରୁ ପ୍ରୟାସ – କରୋନା ତାଲାବନ୍ଦ : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ

କରୋନା ପାଇଁ ଲକ୍‌ଡାଉନ୍‌ କଟକଣା ଯୋଗୁଁ ରାଜ୍ୟବାସୀ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇଥିଲେ ହେଁ ଅନ୍ୟାନ୍ୟ କେତେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ‘ସମାଜ’ ପକ୍ଷରୁ ପ୍ରୟାସ କରାଯାଇଛି। ଏଥିପାଇଁ ପ୍ରଦତ୍ତ ହ୍ବାଟ୍‌ସ ଆପ୍‌ ନମ୍ବର – ୯୭୭୬୨୨୩୦୨୪ରେ ହସ୍ତଗତ ହୋଇଥିବା ଲୋକଙ୍କ ସମସ୍ୟା ଏହି ସ୍ତମ୍ଭରେ ଉପସ୍ଥାପିତ।

କିସ୍ତି ପୈଠ ପାଇଁ ସୂଚନା ଦେଉଛନ୍ତି ବ୍ୟାଙ୍କ-

କରୋନାଜନିତ ଦୁର୍ଗତି ପାଇଁ ଆର୍ଥିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ଲୋକଙ୍କୁ ଚାପମୁକ୍ତ ରଖିବା ପାଇଁ ତିନି ମାସ ପର୍ଯ୍ୟନ୍ତ ଋଣକିସ୍ତି ଆଦାୟ କରାଯିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଛନ୍ତି। ମାତ୍ର କେତେକ ବ୍ୟାଙ୍କ ଏଭଳି ନିର୍ଦ୍ଦେଶ ପାଳନରେ ସହୃଦୟତା ଦେଖାଉନଥିବା ମନେହୁଏ। ସାଧାରଣ ଲୋକଙ୍କୁ ଇ-ମେଲ ବା ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ଏଥିପାଇଁ ଆବେଦନ କରିବାକୁ ସୂଚନା ଦେଉଛନ୍ତି। ଯେଉଁମାନେ ଆବେଦନ କରିବେ ନାହିଁ ସେମାନଙ୍କର ଖାତାରୁ ଟଙ୍କା କଟିବ ଅଥବା ସେମାନେ ଟଙ୍କା ଅଭାବରୁ ଡିଫଲଟର ହେବେ। ଏପରି ଘଡ଼ିସନ୍ଧି ସମୟରେ ବ୍ୟାଙ୍କଗୁଡ଼ିକର ଏପରି ରୁଗ୍‍ଣ ମାନସିକତା ଅତ୍ୟନ୍ତ ଅମାନବୀୟ। ତେଣୁ ଏପରି ନକରି ସହୃଦୟତାର ସହ ଯେଉଁମାନେ ଋଣ କିସ୍ତି ଦେବାକୁ ଇଚ୍ଛୁକ କେବଳ ସେମାନଙ୍କୁ ଫୋନ୍‍ ମାଧ୍ୟମରେ ଆବେଦନ କରିବାକୁ ବ୍ୟବସ୍ଥା କଲେ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ସାଧନ ହୋଇପାରିବ।


ଇଂ. ଲଲାଟେନ୍ଦୁ ଦୀକ୍ଷିତ, ସରକଣା, ବାଲିଅନ୍ତା, ଭୁବନେଶ୍ୱର

ଜେନାପୁରରେ ସାମାଜିକ ଦୂରତ୍ୱ ପ୍ରହସନ
ସରକାର ସାମାଜିକ ଦୂରତ୍ୱକୁ ଦେଉଥିବାବେଳେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଅଞ୍ଚଳରେ ଏହା ପ୍ରହସନ ପାଲଟିଛି। ବିଶେଷ କରି ବୃନ୍ଦାଦେଈପୁର, କବାଟବନ୍ଧ, ରାଇଛନ୍ଦା, କଲାଣ୍ଡ, ମାଳହାଟ, ଚଢ଼େଇଧରା, ବାଲିସାହି, ଗଡ଼ମଧୁପୁର, ବ୍ରାହ୍ମଣୀବ୍ରିଜ ଆଦି ଅଞ୍ଚଳରେ ଲୋକମାନେ ମନଇଚ୍ଛା କାରବାର କରୁଛନ୍ତି। ସେମାନେ ମେଳି ହୋଇ ଗୁଲିଖଟିକରିବା, ଏକତ୍ର ଭାବେ ମାଛ ଧରିବା, ଗାଁରେ ଚୋରା ବେପାରୀ ମଦ ବିକ୍ରି ଚାଲିଛି। ଗ୍ରାମର ପ୍ରବେଶ ପଥରେ ଲୋକ ଦେଖାଣିଆ ବାଉଁଶବାଡ଼ା ଦିଆଯାଇଥିବାବେଳେ ଗ୍ରାମ ମଧ୍ୟରେ ମେଳି ହୋଇ ତାସ, ଚେସ ଆଦି ଖେଳ ଚାଲିଛି ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ଅନୁରୋଧ।


ସୁଶାନ୍ତ କୁମାର ଖଟୁଆ, ଜେନାପୁର, ଯାଜପୁର

ବଜାରକୁ ଆସିବା ଭୟ କରୁଛନ୍ତି ପରିବାଚାଷୀ
ଦେଶବ୍ୟାପୀ ଚାଲିଥିବା ତାଲାବନ୍ଦ ପରିବାଚାଷୀଙ୍କୁ ବହୁ ଭାବେ ପ୍ରଭାବିତ କରିଛି। ସେମାନେ ପ୍ରତିଦିନ ଜମିରୁ ଅମଳ କରୁଥିବା ସଜ ପରିବାଗୁଡ଼ିକୁ ବଜାରକୁ ଆଣିବା ନିମନ୍ତେ ଭୟ କରୁଛନ୍ତି। ଏହାଦ୍ୱାରା କ୍ଷୁଦ୍ରଚାଷୀମାନଙ୍କର ଆର୍ଥିକ ସ୍ଥିତି ବହୁଭାବେ ଦୋହଲିଯାଇଛି। ଦିନକୁ ଦିନ ସେମାନେ ଆର୍ଥିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ତେଣୁ ସରକାର ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ସିଧାସଳଖ ଚାଷୀଙ୍କଠାରୁ ଉତ୍ପାଦିତ ସାମଗ୍ରୀ କିଣି ବଜାରରେ ପହଞ୍ଚାଇଲେ ଉଭୟ ଚାଷୀ ଓ ଜନସାଧାରଣ ଉପକୃତ ହୋଇପାରନ୍ତେ।

ଦିଲୀପ ରଞ୍ଜନ ସାମନ୍ତସିଂହାର, ଗଡ଼ମୋଟରୀ, ପୁରୀ

ସରକାର ଲୋକଙ୍କୁ ନଗଦ ଅର୍ଥ ପ୍ରଦାନ କରନ୍ତୁ
ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ଲୋକଙ୍କୁ ସରକାର କରୋନା ବିପତ୍ତି ଅବସରରେ ପ୍ରଦାନ କରୁଥିବା ୧ ହଜାର ଟଙ୍କାର ସହାୟତା ରାଶିକୁ ନଗଦ ଆକାରରେ ଦେବାର ବ୍ୟବସ୍ଥା କରିଛନ୍ତି। ମାତ୍ର ବୌଦ୍ଧ ଜିଲା ଅନ୍ତର୍ଗତ ହରଭଙ୍ଗା ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ପ୍ରଦାନ କରାଯାଉଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାଙ୍କରେ ସାମାଜିକ ଦୂରତା ରକ୍ଷା ଭଳି କଟକଣା କାରଣରୁ ଅର୍ଥଉଠାଣଜନିତ ଅସୁବିଧା ଦେଖାଦେଇଛି। ତେଣୁ ପ୍ରଶାସନ ନଗଦ ଅର୍ଥ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଲୋକମାନେ ଉପକୃତ ହୋଇପାରିବେ।
ସଚ୍ଚିନ୍ଦ୍ର କୁମାର ସାହୁ, ହରଭଙ୍ଗା, ବୌଦ୍ଧ

ଭଦ୍ରକ: ତାଲାବନ୍ଦ କଟକଣାକୁ ମାନୁନାହାନ୍ତି
ଭୟାବହ କରୋନା ରୋଗର ଦୂରୀକରଣ ପାଇଁ ଆବଶ୍ୟକ ଥିବା ସାମାଜିକ ଦୂରତ୍ୱର କଟକଣାକୁ ଲୋକେ ମାନୁନାହାନ୍ତି। ପିଲାମାନେ ଅନାୟାସରେ ଗ୍ରାମପଡ଼ିଆରେ ଏକତ୍ର ହୋଇ ଖେଳୁଛନ୍ତି। ଏଥିସହ ଦୋକାନ, ବଜାର ମଧ୍ୟ ଖୋଲା ରହିଛି। ଏଭଳି ପରିସ୍ଥିତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ତଳଦୁମୁକା ଗ୍ରାମରେ ଚାଲିଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ସୂଚନା ମିଳିଛି।

ଅଟୋଚାଳକ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ମିଳୁ
କରୋନା ବ୍ୟାଧିର ଭୟାବହତାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଚାଲିଥିବା ତାଲାବନ୍ଦ ପରିସ୍ଥିତି ଯୋଗୁଁ ହଜାର ହଜାର, ରିକ୍ସା ଓ ଅଟୋ ଚାଳକ ତଥା ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ତାଙ୍କ ଜୀବିକା ହରାଇଛନ୍ତି। ସମ୍ପୂର୍ଣ୍ଣ ବେରୋଜଗାର ହେବା ଫଳରେ ସେମାନେ ତାଙ୍କ ପରିବାର ମୁହଁରେ ଦାନାମୁଠେ ଦେବାକୁ ଅସମର୍ଥ ହୋଇଛନ୍ତି।
ସରକାର ସେମାନଙ୍କୁ ବଞ୍ଚିବା ପାଇଁ ରାସନ ସାମଗ୍ରୀ ସାଙ୍ଗକୁ ଆର୍ଥିକ ସହାୟତା ଯୋଗାଇଦେଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ବ୍ରହ୍ମପୁରର ସଂସ୍କାରବାଦୀ ଓ ବରିଷ୍ଠ ନାଗରିକ ମଞ୍ଚର ସଭାପତି ତ୍ରିନାଥ ମହାରଣା ସରକାରଙ୍କୁ ନିବେଦନ କରିଛନ୍ତି।

ନଏଡ଼ାରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଦଶା
ଉତ୍ତରପ୍ରଦେଶର ନଏଡ଼ା ସହରରେ ଅବସ୍ଥାପିତ କେତେକ ପ୍ରବାସୀ ଓଡ଼ିଆ ସେମାନଙ୍କ ଦୁର୍ଦ୍ଦଶା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଣାଇଛନ୍ତି। ନଏଡ଼ାର ସେକ୍ଟର ୩୧ ଅନ୍ତର୍ଗତ ନିଠାରୀ ଗ୍ରାମରେ ଶତାଧିକ ଓଡ଼ିଆ ପରିବାର ପେଟପୋଷିବା ପାଇଁ ବାସ କରୁଛନ୍ତି। ଦୈନିକ ଖଟିଲେ ପେଟକୁ ଦାନା ମିଳେ। ମାତ୍ର କରୋନା ତାଲାବନ୍ଦ ପାଇଁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି। ସେମାନେ ଅତ୍ୟନ୍ତ ସଙ୍ଗୀନ ପରିସ୍ଥିତି ଦେଇ ଗତି କରୁଥିବାରୁ ଓଡ଼ିଶା ସରକାର ସେମାନଙ୍କୁ ଓଡ଼ିଶା ଫେରାଇଆଣିବା ଦିଗରେ ସହାୟତା କରିବାକୁ ସେମାନେ ନିବେଦନ କରିଛନ୍ତି।

୩ ଓଡ଼ିଆ ଅଟକିଛନ୍ତି କଲକାତାରେ
କୋଲକାତାର ମଦନଷ୍ଟ୍ରିଟ ଅଞ୍ଚଳରେ ଅଟକି ରହିଛନ୍ତି ୩ ଓଡ଼ିଆ ବ୍ୟକ୍ତି। ସେମାନେ ହେଲେ ବାବାଜୀ ଦାସ, ସୁଶାନ୍ତ ଦାସ ଓ ପଞ୍ଚାନନ ପରମାଣିକ। ଏହି ତିନି ଓଡ଼ିଆଙ୍କ ନିକଟରେ ଖାଇବା ପାଇଁ କୌଣସି ପଇସା ନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସରକାର ସେମାନଙ୍କ ପାଇଁ ସହାୟତା ପ୍ରଦାନ କରିବାକୁ ସେମାନେ ନିବେଦନ କରିଛନ୍ତି।

ବେଙ୍ଗାଲୁରୁରେ ଅଛନ୍ତି ମୟୂରଭଞ୍ଜ ଶ୍ରମିକ
ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ୫ ଜଣ ଶ୍ରମଜୀବୀ ଅର୍ଥ ଉପାର୍ଜ୍ଜନ ପାଇଁ ଗତ ଫେବୃୟାରୀ ମାସରେ ବାଙ୍ଗାଲୋର ଯାଇଥିଲେ। ମାତ୍ର କରୋନା ତାଲାବନ୍ଦ ଯୋଗୁଁ ସେମାନେ କାମଧନ୍ଦା କରିନପାରି ଗୋଟିଏ ଘରେ ହିଁ ଅଟକି ରହିଛନ୍ତି। ପାଖରେ ଥିବା ଉପାର୍ଜିତ ଅର୍ଥ ସରିଯାଇଥିବାରୁ ଖାଇବା ପାଇଁ ଏବେ କୌଣସି ଅର୍ଥ ନାହିଁ। ବହୁ କଷ୍ଟରେ ସେମାନେ କାଳାତିପାତ କରୁଥିବାରୁ ସେମାନଙ୍କୁ ଶିଘ୍ର ସରକାରୀ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ନିବେଦନ କରିଛନ୍ତି।

ଗୁଜରାଟରେ ଅଛନ୍ତି ୧୨ ଓଡ଼ିଆ
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ୧୨ ଜଣ ଶ୍ରମିକ ଗୁଜୁରାଟରେ ତାଲାବନ୍ଦ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି। କୌଣସି କାମ କରିପାରୁନଥିବାରୁ ଖାଇବା ପାଇଁ ପାଖରେ ଟଙ୍କା ନାହିଁ। ସେମାନେ ବହୁ ହଇରାଣ ମଧ୍ୟରେ କାଳାତିପାତ କରୁଛନ୍ତି। ସେମାନଙ୍କର ସରକାରୀ ସହାୟତା ତୁରନ୍ତ ଆବଶ୍ୟକ ବୋଲି ସେମାନେ ଜଣାଇଛନ୍ତି। (କଟକ ଆ.ପ୍ର.)

 

 

Comments are closed.