କରୋନା ସହ ବଢୁଛି ଓମିକ୍ରନ

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଚିନ୍ତା ବଢ଼ିଲା

ଭୁବନେଶ୍ବର: ଦେଶରେ କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ଓମିକ୍ରନ ସଂକ୍ରମଣ ମଧ୍ୟ ଜୋର ଧରିଛି। ଓଡ଼ିଶାରେ ବି ସମାନ ଅବସ୍ଥା ରହିଛି। କରୋନା ସଂକ୍ରମଣ ଓ ଏଥିଯୋଗୁ ଘଟୁଥିବା ମୃତ୍ୟୁ ଯଥାସାଧ୍ୟ କମ କରିବା କ୍ଷେତ୍ରରେ ରାଜ୍ୟ ସରକାର ଭୂମିକାକୁ ଅନେକ ପ୍ରଶଂସା ମିଳିଛି। କିନ୍ତୁ ଏବେ ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଘୋଷଣା କରାଯାଇ ନାହିଁ। ଚଳିତ ସପ୍ତାହର କରୋନା ଗ୍ରାଫକୁ ଦେଖିଲେ, ଏହା ସହଜରେ ଅନୁମେୟ ଯେ ଉଭୟ କରୋନା ଓ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଅଳ୍ପ କେତେ ଦିନ ମଧ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୮୯୨ରେ ପହଞ୍ଚି ଥିବାବେଳେ ଓଡ଼ିଶାରେ ୩୭ ଜଣ ଏଥିରେ ସଂକ୍ରମିତ ହୋଇ ସାରିଛନ୍ତି।
ଆଜି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ବଢ଼ିଛି ଏବଂ ଆଗକୁ ବି ବଢ଼ିବାର ସମ୍ଭାବନା ରହିଛି। ଏବେ ରାଜ୍ୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟ, ହାଟ ବଜାର ଓ ସବୁ ପ୍ରକାର ଓ ବର୍ଗର ପ୍ରତିଷ୍ଠାନ ଶତ ପ୍ରତିଶତ ଉପସ୍ଥାନରେ ଚାଲୁଥିବାରୁ, ଡାକ୍ତରଖାନାଗୁଡିକରେ ମଧ୍ୟ ଅହେତୁକ ଭିଡ ବଢିଛି। ଅନ୍ୟପକ୍ଷରେ ଟିକାକରଣ କ୍ଷେତ୍ରରେ ମଧ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି।
ଆଗାମୀ ଦିନରେ ଉଭୟ କରୋନା ଓ ଓମିକ୍ରନ ସଂକ୍ରମଣ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିତାନ୍ତ ଜରୁରୀ ହୋଇପଡିଛି। ଆଜି ଦିଲ୍ଲୀରେ ୧୮୦ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ବେଳେ କରୋନାର ଦ୍ବିତୀୟ ଲହରୀରେ ଦେଶର ୬୬୫ରୁ ଅଧିକ ଡାକ୍ତର ପ୍ରାଣ ହରାଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ ସୂଚନା ଦେଇଛି। ଓଡ଼ିଶାର ୨୨ ଜଣ ଡାକ୍ତର ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ସଂକ୍ରମଣରେ ଅନେକ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବିଷୟକୁ ଅଗ୍ରାଧିକାର ଦିଆ ନ ଯିବ, କରୋନା ସଂକ୍ରମିତ ଓ ଓମିକ୍ରନ ସଂକ୍ରମିତମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମ୍ଭବ ହେବ ନାହିଁ। ଏ କ୍ଷେତ୍ରରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିମନ୍ତେ ନିର୍ଦେଶାବଳୀ ପ୍ରଣୟନର ଆବଶ୍ୟକତା ରହିଛି।

Comments are closed.