ଚିନ୍ତା ବଢାଇଛନ୍ତି ବ୍ରିଟେନ୍‌ ଫେରନ୍ତା; ୧୮୧ ଫେରିଛନ୍ତି, ୭୫ ଜଣଙ୍କ ପତ୍ତା ମିଳୁନି

ଭୁବନେଶ୍ବର : ବ୍ରିଟେନ ଫେରନ୍ତାଙ୍କ ପାଇଁ ରାଜ୍ୟବାସୀ ଟିକିଏ ଚିନ୍ତାରେ ପଡିଛନ୍ତି। ଇତିମଧ୍ୟରେ ୧୮୧ ଜଣ ବ୍ରିଟେନ୍‌ ଫେରନ୍ତା ଓଡ଼ିଶାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ରୁ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ ୭୫ ଜଣଙ୍କ ପତ୍ତା ମିଳୁନାହିଁ। ସଂପୃକ୍ତ ବ୍ୟକ୍ତିମାନେ ଭୁଲ୍ ମୋବାଇଲ ନମ୍ବର ଦେଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟ ହେଉଛି। ଯାହାଫଳରେ ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଇବାରେ ଅନ୍ତରାୟ ସୃଷ୍ଟି ହେଉଛି।
ଏ ପରିପ୍ରେକ୍ଷୀରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କ କହିବା କଥା ହେଲା ସଂପୃକ୍ତ ବ୍ୟକ୍ତି ବିଶେଷ ତାଙ୍କର ଠିକଣା ଭୁଲ୍ ଦେଇଛନ୍ତି। ତେଣୁ ସେମାନଙ୍କୁ ଟ୍ରେସ୍‌ଆଉଟ (ଚିହ୍ନଟ) କରିବାରେ ଅସୁବିଧା ଉପୁଜୁଛି। ମାତ୍ର ବ୍ରିଟେନ ଫେରନ୍ତାଙ୍କୁ ନେଇ ଲୋକେ ଅଯଥା ଭୟଭୀତ ହେବାର ପ୍ରଶ୍ନ ଉଠୁନାହିଁ। ବ୍ରିଟେନରେ ଯାହା ପରିସ୍ଥିତି ରହିଛି ସେହି ପ୍ରଭାବ ଯେ ରାଜ୍ୟରେ ପଡିବ, ସେମିତି କିଛି କହି ହେବନାହିଁ। ଲୋକେ ଯଦି ତିନୋଟି ଅସ୍ତ୍ର ଯଥା- ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ସମୟ ଅନ୍ତରରେ ହାତ ଧୋଇବା ଭଳି ମାର୍ଗଦର୍ଶିକା ପାଳନ କରିବେ ତେବେ କରୋନାର ଠିକଣା ମୁକାବିଲା ହୋଇପାରିବ। ଭୂତାଣୁ ଯେତେ ଶକ୍ତିଶାଳୀ ହୋଇଥାଉନା କାହିଁକି ଆମକୁ ଛୁଇଁ ପାରିବନି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ହେଉଛି, ଚଳିତମାସ ଶେଷ‌ବେଳକୁ କରୋନା ମହାମାରୀ ସଂକ୍ରମଣରେ ରେକର୍ଡ ସଂଖ୍ୟକ ହ୍ରାସ ଘଟିଛି। ଡିସେମ୍ବର ପହିଲାରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୩୫୦ ଉପରେ ରହୁଥିବାବେଳେ ସୋମବାର ଏହା ୨୩୪ରେ ସୀମିତ ରହିଛି। ଆଜିର ନୂତନ ଆକ୍ରାନ୍ତ ପରିସ୍ଥିତିକୁ ନେଇ ରାଜ୍ୟର ପ୍ରାୟ ୨୫ଟି ଜିଲା ଏବେ ସଂକ୍ରମଣରେ ନିୟନ୍ତ୍ରଣ ଜୋନ୍ ଭିତରକୁ ଚାଲିଆସିଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ଅଧିକ ଥିବା ଜିଲା ମଧ୍ୟରେ ଖୋର୍ଦ୍ଧା, ସୁନ୍ଦରଗଡ଼, ଅନୁଗୋଳ, ସମ୍ବଲପୁର ଓ ଅନୁଗୋଳ ରହିଛି; ମାତ୍ର ଦେବଗଡ଼, ବୌଦ୍ଧ, ଗଜପତି, ସୁବର୍ଣ୍ଣପୁର, ଢ଼େଙ୍କାନାଳ ଓ କନ୍ଧମାଳ ଭଳି କେତେକ ଜିଲାରେ ଏବେ ଏକ ଅଙ୍କ ଭିତରେ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଅନ୍ୟସବୁ ଜିଲାରେ ଦୁଇଅଙ୍କ ଏବଂ ତା’ଠାରୁ ଟିକିଏ ଅଧିକ ରହିଛନ୍ତି।
ସବୁଠାରୁ ବଡ଼କଥା ହେଲା ଏତେଦିନ ପରେ ରାଜ୍ୟରେ ଗୋଟିଏ ନୂଆକଥା ଦେଖିବାକୁ ମିଳିଛି। ମାର୍ଚ୍ଚରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମିତଙ୍କ ଅନୁପାତରେ ମହିଳାଙ୍କ ହାର ୩୩ ପ୍ରତିଶତ ଓ ପୁରୁଷଙ୍କ ହାର ୬୭ ପ୍ରତିଶତ ରହିଥିବାବେଳେ ଏବେ ଟିକିଏ ଅନ୍ତର ଦେଖାଦେଇଛି। ଏବେ ମହିଳାଙ୍କ ସଂକ୍ରମଣ ହାର ଗୋଟିଏ ପ୍ରତିଶତ ବଢ଼ି ୩୪ ପ୍ରତିଶତରେ ପହଞ୍ଚିଛି। ଡିସେମ୍ବର ପହିଲା ବେଳକୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୦୦ରୁ ଊର୍ଦ୍ଧ୍ବ ରହିଥିବାବେଳେ ଏବେ ଏହା ୨ ହଜାର ୭୫୩କୁ ଖସି ଆସିଛି। ସେହିପରି ମୃତ୍ୟୁ ସଂଖ୍ୟା ସୋମବାର ୩ ଭିତରେ ରହିଛି। ଆଜିର କରୋନା ମୃତ୍ୟୁକୁ ନେଇ ରାଜ୍ୟର ମୋଟ ମୃତ୍ୟୁସଂଖ୍ୟା ୧୮୬୪କୁ ଛୁଇଁଛି। ସେଥିମଧ୍ୟରେ ଖୋର୍ଦ୍ଧା, ରାୟଗଡା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଆଜି ରାଜ୍ୟରେ ୨୩୪ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ ସଙ୍ଗରୋଧରୁ ଓ ସ୍ଥାନୀୟ କଣ୍ଟାକ୍ଟରୁ ୯୮ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଅନୁଗୋଳରୁ ୩୬, ସୁନ୍ଦରଗଡ଼ ୨୮, ଖୋର୍ଦ୍ଧା ୨୫, ମୟୂରଭଞ୍ଜ ୧୭, ଯାଜପୁର ୧୬, ଝାରସୁଗୁଡା ୧୫, କଟକ ୧୨, ବାଲେଶ୍ବର, କେନ୍ଦ୍ରାପଡା ଓ ବଲାଙ୍ଗୀରରୁ ୧୦ ଲେଖାଏଁ, ସମ୍ବଲପୁର ୯, କେନ୍ଦୁଝର ୮, ଜଗତସିଂହପୁର, ନୟାଗଡରୁ ୫ ଲେଖାଏଁ, ଗଞ୍ଜାମ ଓ ନୂଆପଡାରୁ ୪ ଲେଖାଏଁ, ଭଦ୍ରକ ଓ ଦେବଗଡ଼ରୁ ୩ ଲେଖାଏଁ, ବରଗଡ଼, କଳାହାଣ୍ଡିରୁ ୨ ଲେଖାଏଁ, କୋରାପୁଟ, ମାଲକାନାଗିରି, ସୁବର୍ଣ୍ଣପୁର,କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ମାତ୍ର ବୌଦ୍ଧ, ଗଜପତି, ରାୟଗଡା ଓ ଢ଼େଙ୍କାନାଳରୁ ଆଜି କୌଣସି ଆକ୍ରାନ୍ତ ବାହାରି ନାହାନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୮ହଜାର ୭୩୮ରେ ପହଞ୍ଚିଛି।
ସୋମବାର ରାଜ୍ୟରୁ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୩୯୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Comments are closed.