କରୋନା ଯୋଦ୍ଧା ପୁଲିସ ଅଫିସର ସଂକ୍ରମିତ, ଜରୁରୀ ନଥିଲେ ଥାନାକୁ ଆସିବା ମନା

ପିପିଲି : ପିପିଲି ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ପିପିଲିରେ କରାଯାଇଥିବା ୧୩୫ ଜଣଙ୍କ ଆଣ୍ଟିଜେନ୍‍ ଟେଷ୍ଟ ମଧ୍ୟରୁ ୧୦ଜଣଙ୍କ ରିପୋର୍ଟ ପଜିଟିଭ୍‍ ଆସିଛି । ସେଥି ମଧ୍ୟରେ ପିପିଲି ଥାନାର ଜଣେ ବରିଷ୍ଠ ଅଫିସର ଥିବା ବେଳେ ଏହାକୁ ମିଶାଇ ଅଦ୍ୟାବଧି ପିପିଲି ଥାନାର ମୋଟ୍‍  ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଥିବା ସୂଚନା ମିଳିଛି ।

ସେହିପରି ଲକ୍ଷ୍ମୀନାରାୟଣପୁର ପଞ୍ଚାୟତରୁ ୨ଜଣ ପୁରୁଷ, ପିପିଲି ପୌରାଞ୍ଚଳର ଜଣେ ମହିଳା, ଦୁର୍ଗାଦାସପୁର ପଞ୍ଚାୟତର ଜଣେ ପୁରୁଷ, ଜଣେ ମହିଳା ଏବଂ ହାଟସାହି ପଞ୍ଚାୟତ, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ ଓ  ତେଇସିପୁର ପଞ୍ଚାୟତର ଜଣେ ଲେଖାଏଁ ପୁରୁଷ ଓ  ରୂପଦେଇପୁର ପଞ୍ଚାୟତର ଜଣେ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀରେ କରାଯାଇଥିବା ଆଣ୍ଟିଜେନ୍‍ ଟେଷ୍ଟରେ ରୂପଦେଇପୁର ପଞ୍ଚାୟତ ଓ ସହଜପୁର ପଞ୍ଚାୟତର ୨ଜଣ ମହିଳାଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ୬୦ ବର୍ଷିୟା ମହିଳାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‍ ଆସିଥିବା ସୂଚନା ମିଳିଛି ।

ପିପିଲି ଥାନାର ୮ଜଣ କରୋନା ଯୋଦ୍ଧା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଅଞ୍ଚଳବାସୀଙ୍କ ଚିନ୍ତା ଅଧିକ ବଢି ଯାଇଛି । ତେବେ ଅତି ଜରୁରୀ କାମ ନଥିଲେ ପିପିଲି ଥାନାକୁ ନଆସିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି । ସାଧାରଣ ସମସ୍ୟା ସଂପର୍କରେ ଲୋକେ ଫୋନ୍‍ ଯୋଗେ ପୁଲିସକୁ ଅବଗତ କରାଇବା ପରେ ପୁଲିସ ତତ୍‍କ୍ଷଣାତ୍‍ ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟାର ସମାଧାନ କରିବ ବୋଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି । ଜମିଜମା ସମସ୍ୟା ଓ ଘରୋଇ କଳି ଭଳି ଛୋଟମୋଟ ଅଭିଯୋଗ ନେଇ ଥାନାରେ ଗହଳି ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ତେବେ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଥାନା ଅଞ୍ଚଳକୁ ବିଶୋଧନ କରାଯିବା ସହ ଥାନାକୁ ସଟ୍‍ଡାଉନ୍‍ ଘୋଷଣା କରିବା ପାଇଁ ସାଧାରଣରେ ଦାବି କରାଯାଇଛି ।

Comments are closed.