ଟିକାରେ ହଟିବନି : ସଚେତନତା ଜିତାଇବ ଲଢ଼େଇ

କଟକ : ବୈଶ୍ବିକ ମହାମାରୀ କରୋନା ଭୂତାଣୁକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭକରି ଚିକିତ୍ସାବିତ୍ ଓ ଅଣୁଜୀବ ଗବେଷକଙ୍କ ଚର୍ଚ୍ଚା, ଆଲୋଚନା ତଥା ଅନୁସନ୍ଧାନ ଜାରି ରହିଛି। ଏହାର ମୁକାବିଲା ଲାଗି ବିଭିନ୍ନ ପଦକ୍ଷେପ ସମୟକ୍ରମେ ଗ୍ରହଣ କରାଯାଉଛି। ଲକ୍‌ଡାଉନ୍‌ଠାରୁ ଆରମ୍ଭ ହୋଇଥିବା ମୁକାବିଲା ରଣନୀତି ଏବେ ଟିକାଦାନ ପର୍ଯ୍ୟନ୍ତ ସ୍ଥିତିକୁ ପହଞ୍ଚିଲାଣି। ସାଧାରଣ ଥଣ୍ଡା-ସର୍ଦ୍ଦି ଭଳି କରୋନା ଭୂତାଣୁ ଯେ ଆମ ଶରୀରରେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ତାହା ମଧ୍ୟ ଅନେକ ବିଶେଷଜ୍ଞ ମତ ରଖୁଛନ୍ତି। ଏବେ ସାଧାରଣ ଲୋକଙ୍କ ଲାଗି ସବୁଠୁ ବଡ଼ କଥା ହେଉଛି, ରୋଗ ସଂକ୍ରମଣ ପ୍ରତି ସତର୍କତା ଓ ସଚେତନତା ବଢାଇବା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ମୁକାବିଲା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ଥିତିକୁ ନେଇ ନିତି ସମୀକ୍ଷା ବି କରାଯାଉଛି।
ଓଡ଼ିଶା ମଧ୍ୟ କରୋନା ମୁକାବିଲା ଦିଗର ବହୁ ପଦକ୍ଷେପ ଗ୍ରହଣ କରୁଛି। ଇତିମଧ୍ୟରେ ପରୀକ୍ଷା ହାରକୁ ବୃଦ୍ଧି କରାଯାଇଛି। ଅଗଷ୍ଟ ପହିଲାରେ ଦୈନିକ ନମୁନା ପରୀକ୍ଷା ୧୩ ହଜାର ଥିଲା। ଅଗଷ୍ଟ ୯ ତାରିଖ ସୁଦ୍ଧା ଏହାକୁ ବଢାଇ ୨୩ ହଜାର ପର୍ଯ୍ୟନ୍ତ ଅଣାଯାଇଥିଲା। ତେବେ ମଙ୍ଗଳବାର (ଅଗଷ୍ଟ ୧୦) ଦିନ ଦୈନିକ ପରୀକ୍ଷାରେ ଏକ ଲମ୍ବାଡିଆଁ କରାଯାଇ ଏହା ୩୨ ହଜାର ଅତିକ୍ରମ କରିଛି। ରାଜ୍ୟରେ ଆସନ୍ତା ସପ୍ତାହ ସୁଦ୍ଧା ଦୈନିକ ନମୁନା ପରୀକ୍ଷା ୫୦ ହଜାରକୁ ଆଣିବା ଏବଂ ଅଗଷ୍ଟ ଶେଷସୁଦ୍ଧା ଦୈନିକ ଏକଲକ୍ଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକାଶଥାଉକି, ଇତିମଧ୍ୟରେ ରାଜ୍ୟରେ ୭ ଲକ୍ଷ ୨୪ ହଜାର ୩୫୪ ପରୀକ୍ଷା କରାଯାଇଛି। ମୋଟ ନମୁନା ପରୀକ୍ଷାରୁ ୯୩ ପ୍ରତିଶତ ନେଗେଟିଭ୍‌
ଥିବାବେଳେ ମାତ୍ର ୭ ପ୍ରତିଶତ କରୋନା ସଂକ୍ରମିତ ରହିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୁଧବାର ସୁଦ୍ଧା ୫୦ ହଜାର ଅତିକ୍ରମ କରିଛି। ସେଥିରୁ ପୁରୁଷଙ୍କ ଅନୁପାତ ୭୦ ପ୍ରତିଶତ ଥିବାବେଳେ ମହିଳାଙ୍କ ସଂଖ୍ୟା ୩୦ ପ୍ରତିଶତ ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ୨୭,୯୨୭ ଜଣ ଓ ୪୧ରୁ ୬୦ ବର୍ଷ ବୟସର ୧୪,୩୮୪ ଜଣ ରହିଛନ୍ତି। ଆଶ୍ବସ୍ତିର ବିଷୟ, ୩୪,୮୦୬ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫,୫୦୮ ରହିଛି। ସୁସ୍ଥତା ହାର ପାଖାପାଖି ୬୯ ପ୍ରତିଶତ ଥିବାବେଳେ ସକ୍ରିୟ ୩୦.୬୮ ପ୍ରତିଶତ ରହିଛି। କୋଭିଡ୍-୧୯ରେ ଇତିମଧ୍ୟରେ ୩୦୫ ଜଣଙ୍କ ଜୀବନ ଯାଇଥିବାବେଳେ କରୋନା ପଜିଟିଭ ଥାଇ ଅନ୍ୟରୋଗରେ ଆଉ ୫୩ ଜଣଙ୍କ ମୃତ୍ୟୁ ଘଟିଛି। ଅତଏବ ରାଜ୍ୟରେ ମୋଟ କରୋନା ସଂକ୍ରାନ୍ତ ମୃତ୍ୟୁହାର ମାତ୍ର ୦.୭୧ ପ୍ରତିଶତ ରହିଛି।
ଜାତୀୟ ସ୍ତରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ ଲକ୍ଷ ୨୮ ହଜାର ୪୦୫ ଥିବାବେଳେ ଆରୋଗ୍ୟ ହାର ୭୦ ପ୍ରତିଶତ ଓ ସକ୍ରିୟ ରୋଗୀଙ୍କ ହାର ୨୮ ପ୍ରତିଶତ ରହିଛି। ତେବେ ମୃତ୍ୟୁହାର ଓଡ଼ିଶା ତୁଳନାରେ ଅଧିକ ରହିଛି; ଯାହାକି ୧.୯୮ ପ୍ରତିଶତ। ବିଶ୍ବର ଅନ୍ୟାନ୍ୟ ସମୃଦ୍ଧଶାଳୀ ରାଷ୍ଟ୍ର ତୁଳନାରେ ଭାରତରେ ମୃତ୍ୟୁହାର ୨ ପ୍ରତିଶତ ଅତିକ୍ରମ ନ କରିବା ସବୁଠୁ ବଡ଼ ଆଶ୍ବସ୍ତିର କଥା। ସାମଗ୍ରିକ ଭାବେ କହିଲେ, ଏହି ବିଶାଳ ରାଷ୍ଟ୍ରର ଜନସଂଖ୍ୟାକୁ ଦେଖିଲେ ଭାରତୀୟଙ୍କ ରୋଗ ପ୍ରତିରୋଧକ ପ୍ରତିରକ୍ଷା ଶକ୍ତି ଯେ ଅଧିକ ତାହା ପ୍ରତୀୟମାନ ହୁଏ ବୋଲି ଅନେକ ବରିଷ୍ଠ ଗବେଷକ ଓ ଚିକିତ୍ସାବିତ୍ କହିଛନ୍ତି। ଆମର ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସତ୍ତ୍ବେ ଆମ କରୋନା ମୁକାବିଲାକୁ ବିଶ୍ବର ଅନ୍ୟ ରାଷ୍ଟ୍ରମାନେ ବି ପ୍ରଶଂସା କରିଛନ୍ତି।
ଯଦି ଆମେ ଦେଶର ନମୁନା ପରୀକ୍ଷା ହାରକୁ ଦେଖିବା, ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୧୯୦୦ ରହିଛି। ଇତିମଧ୍ୟରେ ୨ କୋଟି ୬୦ ଲକ୍ଷ, ୧୬ ହଜାର ନମୁନା ପରୀକ୍ଷା ହୋଇଛି। ଓଡ଼ିଶାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଏହି ହାର ୧୬୫୭ ଥିବାବେଳେ ରାଜସ୍ଥାନ ୨୨୮୫, କେରଳ ୨୯୧୦, ମଧ୍ୟପ୍ରଦେଶ ୧୧୨୨, ଆସାମ ୪୧୦୬, ଗୁଜରାଟ ୧୫୩୭, ବିହାର ୯୬୨, ପଶ୍ଚିମବଙ୍ଗ ୧୧୬୬, ତାମିଲନାଡୁ ୪୪୪୨, ଆନ୍ଧ୍ରପ୍ରଦେଶ ୪୯୫୯, କର୍ଣ୍ଣାଟକ ୨୬୬୯ ଓ ମହାରାଷ୍ଟ୍ରରେ ୨୩୦୩ ରହିଛି। ଦେଶରେ ଏବେ ୬ ଲକ୍ଷ ୪୩ ହଜାର ୬୪୩ ଜଣ ସକ୍ରିୟ ରୋଗୀ ଥିବାବେଳେ ସେଥିରୁ ୯ ହଜାର ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବୈଶ୍ବିକ ସ୍ତରରେ କୋଭିଡ୍‌-୧୯ ମୃତ୍ୟୁହାରକୁ ଦେଖିଲେ ଭାରତ ଉତ୍ତମ ସ୍ଥିତିରେ ରହିଛି। ଦେଶରେ ମୃତ୍ୟୁସଂଖ୍ୟା ପ୍ରତି ଏକଲକ୍ଷରେ ସାଢେ ୩ ଜଣରୁ କମ୍‌ ରହିଛି। ଓଡ଼ିଶାରେ ଏହା ଅଧାଜଣରୁ ସାମାନ୍ୟ ଅଧିକ(୦.୬୭) ରହିଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା କରାଇବା। କାରଣ କରୋନା ସଂକ୍ରମିତଙ୍କୁ ସାଧାରଣରେ ଚିହ୍ନଟ କରିବା କଷ୍ଟ। ୮୫ ପ୍ରତିଶତ ସଂକ୍ରମିତ ଲକ୍ଷଣବିହୀନ ରହୁଥିବାରୁ ଆଗୁଆ ପରୀକ୍ଷା କରାଇ ପ୍ରତିଷେଧକ ବ୍ୟବସ୍ଥା କରାଇବା ଗୁରୁତ୍ବପୂର୍ଣ୍ଣ। କୋଭିଡ ହସ୍ପିଟାଲ, କୋଭିଡ୍‌ କେୟାର ସେଣ୍ଟର, ସରକାରୀ ଓ ଘରୋଇ କ୍ବାରେଣ୍ଟିନ୍‌/ଆଇସୋଲେସନ୍‌ ଭଳି ବହୁବିଧ ବ୍ୟବସ୍ଥା ସନ୍ଦିଗ୍ଧ ସଂକ୍ରମିତ ଓ ଚିହ୍ନଟ ପଜିଟିଭଙ୍କ ଲାଗି କରାଯାଇଛି।
ଓଡ଼ିଶାରେ ଦେବଗଡ଼, ନୂଆପଡ଼ା ଓ ବୌଦକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଶତକ ଅତିକ୍ରମ କରିସାରିଛି। ଯେତେ ପରୀକ୍ଷା ବଢିବ; ସଂକ୍ରମିତଙ୍କ ସଂଖ୍ୟା ତଦନୁଯାୟୀ ବୃଦ୍ଧି ପାଇବା ଏକ ସ୍ବାଭାବିକ ଘଟଣା। ତେବେ ଏହାଦ୍ବାରା ଲୋକଙ୍କ ଭିତରେ ସଚେତନତା ବଢିପାରିବ ଓ ଆଗୁଆ ପଦକ୍ଷେପ ନେଇହେବ।
କରୋନା ଚିକିତ୍ସା ନେଇ ଭିନ୍ନ ଭିନ୍ନ ମାନଦଣ୍ଡ ଓ ପଦ୍ଧତି ଡାକ୍ତରମାନେ ଗ୍ରହଣ କରୁଛନ୍ତି। କରୋନା ଭୂତାଣୁର ଇତିମଧ୍ୟରେ ୬ଟି ଷ୍ଟ୍ରେନ୍‌ ପରିବର୍ତ୍ତନ କରିଥିବାରୁ ରୋଗୀଙ୍କ ଲକ୍ଷଣ ଓ ସେମାନଙ୍କର ଅନ୍ୟାନ୍ୟ ଜଟିଳ ରୋଗକୁ ଦେଖି ନିଦାନ ବ୍ୟବସ୍ଥା କରାଯାଉଛି।
ଅନ୍ୟପକ୍ଷରେ ରୁଷ୍‌ ସରକାର କରୋନା ଟିକା ପ୍ରସ୍ତୁତ କରି ଏହାକୁ ପ୍ରୟୋଗ କରିଥିବା ଦାବି କରିଛନ୍ତି। ଭାରତ ସରକାର ମଧ୍ୟ ଟିକା ପ୍ରସ୍ତୁତିରେ ଦ୍ବିତୀୟ ପର୍ଯ୍ୟାୟ ସଫଳତା ହାସଲ କରିଥିବା କୁହାଯାଉଛି। ଟିକା ପ୍ରସ୍ତୁତି ସଫଳ ହେଲେ ମଧ୍ୟ ୧୩୮ କୋଟି ଭାରତୀୟ ତଥା ୪.୫ କୋଟି ଓଡ଼ିଶାବାସୀଙ୍କୁ ତୁରନ୍ତ ଟିକା ଯୋଗାଇବା ସମୟ ଓ ସମ୍ବଳ ଦୃଷ୍ଟିରୁ ମଧ୍ୟ ସମ୍ଭବପର ନୁହେଁ। ବ୍ୟାପକ ପରିମାଣର ଟିକା ପ୍ରସ୍ତୁତି ନିଶ୍ଚିତ ରୂପେ ସମୟ ସାପେକ୍ଷ। ଆଜି ଦିନରେ ପୋଲିଓଠାରୁ ରୋଟା ଭାଇରସ୍‌ ପର୍ଯ୍ୟନ୍ତ ଅନେକ ଟିକା ବାହାରିଥିଲେ ବି ଏହି ଗଣଟିକାକରଣ ପ୍ରକ୍ରିୟା ସମସ୍ତଙ୍କୁ ଉପଲବ୍ଧ ହୋଇପାରିନି। ତେଣୁ କରୋନା ଟିକା ଆସିଗଲେ ଯେ ରାତାରାତି ସମସ୍ତଙ୍କୁ ମିଳିଯିବ ଏଭଳି ବିଭ୍ରାନ୍ତିରେ ରହିବା ଉଚିତ ନୁହେଁ। ଭାରତ ହେଉ କି ଓଡ଼ିଶା, ବିଶାଳ ଜନଘନତ୍ବ ରାଷ୍ଟ୍ର ତଥା ରାଜ୍ୟରେ ନମୁନା ପରୀକ୍ଷା ଭଳି ଘରେ ଘରୋ ଟିକାକରଣ କରାଇବାକୁ ବର୍ଷ ବର୍ଷ ଲାଗିଯିବ। ତେଣୁ ମହାମାରୀକୁ ରୋକିବା ଲାଗି ଟିକା ଅପେକ୍ଷା ଆମକୁ ଅଧିକ ସତର୍କ ଓ ସ୍ବାସ୍ଥ୍ୟ ସଚେତନ ହେବାକୁ ପଡିବ। ସ୍ବଚ୍ଛତାକୁ ବିଶେଷ ଗୁରୁତ୍ବ ଦେବାକୁ ପଡିବ। ବହୁ ବିଶେଷଜ୍ଞ ଡାକ୍ତରଙ୍କ ମତରେ, କରୋନା ହେଉ କି ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ନିଦାନ ଜନିତ ପ୍ରତିକାର ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ହିଁ ଶ୍ରେଷ୍ଠ ପନ୍ଥା। ଏଭଳି ମହାମାରୀ ସମୟରେ ସରକାରୀ ଛାଟ ଦେଖି ନିୟମ ମାନିବା ଅପେକ୍ଷା ଜନତା ଆପେ ସଚେତନ ହେଲେ କରୋନା ମୁକାବିଲାରେ ଆମେ ସଫଳ ହୋଇପାରିବା।

Comments are closed.