ନୂଆପଡ଼ା ଜିଲାରେ କପା-ମକା ମଣ୍ଡି ନାହିଁ, ଚିନ୍ତାରେ ଚାଷୀ

ନୂଆପଡ଼ା : ନୂଆପଡ଼ା ଜିଲାରେ ଖଣିଖାଦାନ, କଳକାରଖାନା ନ ଥିବାରୁ ଜିଲାର ୭୦ % ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଅଦ୍ୟାବଧି ମାତ୍ର ୨୩% ଚାଷଜମିକୁ ଜଳସେଚନ ସୁବିଧା ହୋଇପାରି ଥିବାରୁ ଅଧିକାଂଶ ଲୋକ କୃଷିଶ୍ରମିକ କିମ୍ବା ଦାଦନଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । ଅନ୍ୟପଟେ ଅନିୟମିତ ବର୍ଷା ଜିଲାରେ ଅନେକଥର ଗଜାମରୁଡ଼ି ପରିସ୍ଥିତି ସୃଷ୍ଟି କରିଛି । ସରକାରୀ ରେକର୍ଡ ଅନୁଯାୟୀ ଜିଲାରେ ହାରାହାରି ବାର୍ଷିକ ବୃଷ୍ଟିପାତ ୧୧୦୦ରୁ ୧୨୦୦ ମିମି ରହିଛି । କିନ୍ତୁ ଅନିୟମିତ ଓ ସ୍ୱଳ୍ପ ବୃଷ୍ଟିପାତ ତଥା ଜିଲାର ଭୌଗୋଳିକ ସ୍ଥିତିକୁ ଦେଖିଲେ ଏହା ଧାନ ଚାଷ ପାଇଁ ଅନୁପଯୁକ୍ତ । ଏହି ଜିଲା ଅନଡୁଏଲେଟିଂ ଜୋନରେ ଆସୁଥିବାରୁ ଏଠାକାର ଜମିର ଜଳଧାରଣ କ୍ଷମତା ବହୁତ କମ୍‌ । ତେଣୁ ଜିଲାର ଚାଷୀଙ୍କୁ ବିଭିନ୍ନ ଅର୍ଥକାରୀ ଫସଲ ମାଧ୍ୟମରେ ଲାଭାନ୍ୱିତ କରାଇବା ପାଇଁ ଜିଲା କୃଷି ବିଭାଗ ପ୍ରୋତ୍ସାହନ ଦେଇଆସୁଛି। ମକା ଓ କପାଚାଷ ଜିଲାରେ ହେଉଥିଲେ ମଧ୍ୟ ମଣ୍ତି ବ୍ୟବସ୍ଥା ନ ଥିବା ଯୋଗୁଁ ଚାଷୀମାନେ ହରଡ଼ଘଣାରେ ପଡିଛନ୍ତି । ଏବର୍ଷ ଜିଲାରେ ୮୦୦୦ ହେକ୍ଟରରେ ମକା ଓ ୧୨୦୦୦ ହେକ୍ଟରରେ କପାଚାଷ କରାଯାଇଛି। କିନ୍ତୁ ମଣ୍ଡି ଅଭାବରୁ ଚାଷୀମାନେ ଏହାକୁ ବିକ୍ରି କରିପାରୁ ନାହାନ୍ତି ।
ନୂଆପଡ଼ା ଜିଲାରେ ମକାଓ କପା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଜିଲାର ତଥା ପଡୋଶୀ ଛତଶଗଡ଼ର କିଛି ମୁନାଫାଖୋର ବ୍ୟବସାୟୀ କମ୍‌ଦାମରେ ଚାଷୀଙ୍କ ଠାରୁ ମକା କିଣି ବାହାର ବଜାରରେ ଉଚ୍ଚଦାମରେ ବିକ୍ରି କରୁଥିବା ଜଣାପଡିଛି । ଏବର୍ଷ କରୋନା ଲକ୍‌ଡାଉନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ଭଲବର୍ଷା ଓ ପାଗ ଅନୁକୂଳ ହୋଇଥିବାରୁ ମକାଚାଷ ଭଲ ହୋଇଥିଲା। କେତେକ ଚାଷୀଙ୍କ ଘରେ ମକା ଗଦା ହୋଇଥିବାରୁ ପରିବାରଙ୍କ ପାଇଁ ଶୋଇବା ଜାଗା ମିଳୁନି । କିନ୍ତୁ ଚାଷୀମନରେ ସୁଖ ନାହିଁ। କାରଣ ଗତବର୍ଷ ମକାଦର କୁଇଣ୍ଟାଲ ପିଛା ୧୯୦୦ ରୁ ୨୨୦୦ ଟଙ୍କା ଥିବା ବେଳେ ଏବର୍ଷ ବଜାର ଅଭାବରୁ କିଛି ଚାଷୀ କୁଇଣ୍ଟାଲ ପିଛା ୭୦୦ରୁ ୮୦୦ ଟଙ୍କାରେ ମକା ବିକ୍ରି ଆରମ୍ଭ କରିଦେଲେଣି । ସରକାରୀ ରିପୋର୍ଟ ଅନୁଯାୟୀ ଜିଲାରେ ଏବର୍ଷ ୮୦୦୦ ହେକ୍ଟରରେ ମକାଚାଷ ଓ ୧୨୦୦୦ ହେକ୍ଟରରେ କପାଚାଷ କରାଯାଇଛି। ଏଥିରୁ କେବଳ କୋମନା ବ୍ଲକରେ ୪୫୦୦ ହେକ୍ଟର ଜମିରେ କପା ଉତ୍ପାଦନ କରାଯାଇଛି। ତେବେ ଜିଲାରେ ଗତବର୍ଷ ହେକ୍ଟରପିଛା ମକା ଉତ୍ପାଦନ ୩୦ କୁଇଣ୍ଟାଲ ଓ କପା ଉତ୍ପାଦନ ୧୫.୮୪ କୁଇଣ୍ଟାଲ ରହିଥିଲା  କିନ୍ତୁ ଏବର୍ଷ ଅଧିକ ଅମଳ ହୋଇଛି। କିଛିସ୍ଥାନରେ ହେକ୍ଟର ପିଛା ମକା ୩୫ରୁ ୩୭ କୁଇଣ୍ଟାଲ ଏବଂ କପା ୧୮ରୁ ୨୦ କୁିଣ୍ଟାଲ । ଉତ୍ପାଦନ ହୋଇଛି। ସରକାରୀ ଆକଳନ ଅନୁଯାୟୀ ଏବର୍ଷ ଜିଲାରେ ୨,୪୦,୦୦୦ ରୁ ୨,୫୬,୦୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ମକା ଉତ୍ପାଦନ ହୋଇଛି। କିନ୍ତୁ ମଣ୍ଡି ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ସରକାରୀ ଧାର୍ଯ୍ୟମୂଲ୍ୟ ପାଇପାରୁ ନାହାନ୍ତି। ଏ ସମ୍ପର୍କରେ ଜିଲାପାଳ ସ୍ୱଧାଦେବ ସିଂ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନୂଆପଡ଼ା ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇଦେବାକୁ ଚେଷ୍ଟା ଚାଲିଛି। ଜିଲା ଲାଇଭଲିହୁଡ ମିଶନ ଓ ଟିିଡିସିସି ଜରିଆରେ ବାହାର ଜିଲାର ଟ୍ରେଡର୍ସଙ୍କ ସହ ଆଲୋଚନା ଚାଲିଛି ବୋଲି ପ୍ରକାଶ କରିଥିଲେ ।
ଚାଷୀଙ୍କ ପ୍ରତିକ୍ରିୟା
– ଏବର୍ଷ ମୁଁ ୧୨ ଏକର ଜମିରେ ମକାଚାଷ କରିଛି ​। ଫସଲ ମଧ୍ୟ ଭଲ ହୋଇଛି । ହେକ୍ଟର ପିଛା ୪୨ କୁଇଣ୍ଟାଲ ଅମଳ ହୋଇଛି। କିନ୍ତୁ ବଜାର ଅଭାବରୁ ଭଲଦର ମିଳୁନି । ଗତବର୍ଷ କଣ୍ଟାବାଞ୍ଜିର ବ୍ୟବସାୟୀମାନେ ଘରକୁ ଆସି ମକା ୧୯ ଟଙ୍କା ଦରରେ କିଣୁଥିଲେ, କିନ୍ତୁ ଏବର୍ଷ କଣ୍ଟାବାଞ୍ଜି ପହଞ୍ଚାଇ ମଧ୍ୟ ଆମେ ୧୨ ଟଙ୍କା ପାଉଛୁ । ବଡଚାଷୀ ମାନେ ଦର ଉଠିବାକୁ ଅପେକ୍ଷା କରିଥିବା ବେଳେ ଛୋଟଚାଷୀ ମାନେ ୭/୮ ଟଙ୍କା ଦରରେ ମକା ବିକ୍ରିକରିବା ଆରମ୍ଭ କରିଦେଲେଣି। ସରକାରୀସ୍ତରରେ ତୁରନ୍ତ ପଦକ୍ଷେପ ନ ନେଲେ ଚାଷୀମାନେ ଅନେକ କ୍ଷତି ସହିପାରନ୍ତି।
– ଉଦୟ କୁମାର ସାହୁ, ମକାଚାଷୀ, ସିଆଲଟି, କୋମନା
– ମୁଁ ଏବର୍ଷ କପା ଛାଡି ୫ଏକର ଜମିରେ ମକାଚାଷ କରିଛି। ଭଲ ଅମଳ ମଧ୍ୟ ହୋଇଛି। କିନ୍ତୁ ବର୍ତ୍ତମାନ ମକାଦର ଉପରକୁ ଉଠୁନାହିଁ। ଗତବର୍ଷର ମକାଦରକୁ ଦେଖି ଏବର୍ଷ ମକା ଚାଷ କରିଥିଲି, କିନ୍ତୁ ଦର ଦେଖି ଡର ମାଡିଲାଣି । ଜିଲାରେ ମକାମଣ୍ଡି ବ୍ୟବସ୍ଥା ତୁରନ୍ତ କରାଯାଉ ।
– ନିର୍ମଳ ଅହିର, ମକାଚାଷୀ, କୁରୁମପୁରି, କୋମନା

Comments are closed.