ବ୍ୟାକ୍‌ଅପ୍‌ ଟିକା ଭାବେ ବ୍ୟବହାର ହେବ କୋଭାକ୍ସିନ୍ :‌ ‘ପାର୍ଶ୍ବ ପ୍ରତିକ୍ରିୟା ଦେଖାଗଲେ ମିଳିବ କ୍ଷତିପୂରଣ’

ନୂଆଦିଲ୍ଲୀ : ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ଦିଆଯିବାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏହା ଉପରେ ଅଧିକ ସ୍ପଷ୍ଟିକରଣ ଦେଇଛନ୍ତି। ରବିବାର ଗୁଲେରିଆ କହିଛନ୍ତି ଯେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡକୁ ପ୍ରଥମ ପର୍ଯ୍ୟାୟରେ ବ୍ୟବହାର କରାଯିବ। ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର କରାଯିବ। ବ୍ରିଟେନରେ ଦେଖାଯାଇଥିବା ନୂଆ ଷ୍ଟ୍ରେନର ସଂକ୍ରମଣ ବୃଦ୍ଧି ପାଇଲେ କୋଭାକ୍ସିନ୍‌କୁ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର କରାଯିବ। ତେବେ କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ନିମନ୍ତେ ଡ୍ରଗ୍ସ କ‌େଣ୍ଟ୍ରାଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଛନ୍ତି। ହାଇଦରବାଦାସ୍ଥିତ ଭାରତ ବାୟୋଟେକ୍‌ ଓ ଭାରତୀୟ ଭେଷଜ ବିଜ୍ଞାନ ପରିଷଦ (ଆଇସିଏମ୍‌ଆର) ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇନଥିବାବେଳେ ଏହାକୁ ଅନୁମତି ଦିଆଯିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ କୋଭାକ୍ସିନ୍ ଟିକା ନେଇ ଯଦି କୌଣସି ବ୍ୟକ୍ତି ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ବ୍ରିଟେନ ଭାରିଏଣ୍ଟ ଭୂତାଣୁର ସଂକ୍ରମଣ ବୃଦ୍ଧି ପାଇଲେ ଏହାକୁ ନିୟନ୍ତ୍ରଣ ପାଇଁ କୋଭାକ୍ସିନ୍‌ ଟିକାକୁ ଅଧିଗ୍ରହଣ କରାଯିବ। କଂଗ୍ରେସ ଓ ବାମ ଦଳଗୁଡିକ କୋଭାକ୍ସିନ୍‌ ଟିକାକୁ ନେଇ ଆପତ୍ତି ଉଠାଇଥିବାବେଳେ ଗୁଲେରିଆ ଏପରି ସ୍ପଷ୍ଟିକରଣ ଦେଇଛନ୍ତି। ନଭେମ୍ବରରେ କୋଭାକ୍ସିନ୍ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ପ୍ରାୟ ୨୬ହଜାର ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏହି ପରୀକ୍ଷା ଶେଷ ହୋଇନାହିଁ। ଏହି ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା।

Comments are closed.