ଜବତ କାର୍ରୁ ମିଳିଲା ମହିଳାଙ୍କ କଙ୍କାଳ : ଯାଁଳା ଫାଣ୍ଡି ଅଧିକାରୀ ନିଲମ୍ବିତ
-ମାସେ ହେଲା ପରିଚୟ ଖୋଜା ଚାଲିଥିଲା,-ପୁଲିସ ଭୂମିକା ସନ୍ଦେହ ଘେରରେ

ଖଣ୍ଡଗିରି : ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଟଣୀ ଥାନା ଯାଁଳା ଫାଣ୍ଡି ଭିତରେ ଜବତ ହୋଇ ରଖାଯାଇଥିବା ଏକ କାର୍ ଭିତରୁ ଜଣେ ମହିଳାଙ୍କ ନରକଙ୍କାଳ ଉଦ୍ଧାର ଘଟଣା ବିଭିନ୍ନ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଏକ ସ୍ପର୍ଶକାତର ଘଟଣାକୁ ୧ ମାସ ଧରି କମିସନରେଟ ପୁଲିସ ଚପାଇ ରଖିବା ଲାଗି ଉଦ୍ୟମ କରିଥିବାରୁ ପୁଲିସ ଭୂମିକା ସନ୍ଦେହଘେରକୁ ଆସିଛି। ମହିଳାଙ୍କ ମୃତ୍ୟୁ ପଛରେ କି ରହସ୍ୟ ରହିଛି ତାହାକୁ ନେଇ ବିଭିନ୍ନ ମହଲରେ ନାନାକଥା ଶୁଣିବାକୁ ମିଳୁଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗଣମାଧ୍ୟମର ଦୃଷ୍ଟିକୁ ଆସିବା ପରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନା ଅନୁଯାୟୀ, ୨୦୧୯ରେ ଗଞ୍ଜାମ ଜିଲା ରମ୍ଭା ଥାନା ପୁଲିସ ଏକ ଗଞ୍ଜେଇ ଚାଲାଣ ରାକେଟ୍କୁ ପିଛା କରି ଯାଳାଁ ଅଞ୍ଚଳରେ ଏକ ସ୍ଥାନରେ ଚଢ଼ଉ କରିଥିଲା। ପୁଲିସ ଚଢ଼ଉ ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ପଳାଇଯାଇଥିଲେ। ରମ୍ଭା ପୁଲିସ ଘଟଣାସ୍ଥଳରୁ ଗାଡ଼ିଟିକୁ ଜବତ କରି ଯାଳାଁ ଫାଣ୍ଡି ପୁଲିସ ଜିମା ଦେଇଥିଲା। ପ୍ରାୟ ୨ବର୍ଷ ପରେ ଗତ ଫେବୃୟାରୀ ୧୨ ତାରିଖରେ ଉକ୍ତ ଗାଡ଼ି ମାଲିକ କୋର୍ଟରୁ ରିଲିଜ ଅର୍ଡର ଧରି ଫାଣ୍ଡିରେ ପହଞ୍ଚିଥିଲେ। ଗାଡ଼ି ରିଲିଜ୍ ସମୟରେ ପଛ ସିଟ୍ରେ ଏକ କଙ୍କାଳ ପଡ଼ିଥିବା ଦେଖି ସମସ୍ତେ ଅବାକ୍ ହୋଇଯାଇଥିଲେ। ଦେହରେ କେବଳ ଏକ ଗାଉନ୍ ଭଳି ପୋଷାକ ଥିଲା। ଏହି ପୋଷାକରୁ ସେ ଜଣେ ମହିଳା ବୋଲି ଜଣାପଡ଼ିଥିଲା। ମୃତଦେହ ବ୍ୟବଚ୍ଛେଦ ଲାଗି ପୁଲିସ କଙ୍କାଳଟିକୁ ଫରେନସିକ୍ ଟିମ୍ ଦ୍ବାରା ଯାଞ୍ଚ କରାଇବା ସହ ଶବ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଇଥିଲା। ମହିଳାଙ୍କ ପରିଚୟ ମିଳିନଥିବାବେଳେ ଶବ ସତ୍କାର କରାଯାଇଛି। ତେବେ ଥାନା ପରିସରରେ ଥିବା ଗାଡ଼ିରେ ନରକଙ୍କାଳ ରହିଥିଲେ ସୁଦ୍ଧା ଫାଣ୍ଡି ଅଧିକାରୀ କିପରି ଏହା ଜାଣିପାରିଲେନି ତାହାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ମହିଳା ଜଣକ ଦୀର୍ଘ ଦିନ ଧରି କୁପୋଷଣର ଶିକାର ହେବା ସହ ଟିବି ରୋଗରେ ପୀଡ଼ିତା ଥିଲେ। ତାଙ୍କ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଜବତ କାର୍ର ଡୋର୍ ଖୋଲା ଥିବାରୁ ମହିଳା ଜଣକ କାର୍ ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି। ତେବେ କେଉଁ କାରଣରୁ ଓ କେବେ ସେ କାର୍ ଭିତରକୁ ପଶିଥିଲେ ତାହା ଜଣାପଡ଼ିନାହିଁ।
ଏଭଳି ଏକ ସମ୍ବେଦନଶୀଳ ଘଟଣା ଯେପରି ପ୍ରଘଟ ନହେବ ସେଥିଲାଗି ପୁଲିସ ଅତି ସତର୍କତାର ସହିତ ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ ଗତ ମାସେ ହେଲା ଜଟଣୀ ଥାନା ଓ ଯାଳାଁ ଫାଣ୍ଡି ପୁଲିସ ବିଭିନ୍ନ ଥାନା ଅଞ୍ଚଳରେ ଥିବା ମହିଳା ମିସିଙ୍ଗ୍ ରିପୋର୍ଟକୁ ଯାଞ୍ଚ କରୁଥିଲା। ତେବେ ମୃତକଙ୍କ ପରିଚୟ ପାଇବାକୁ ପୁଲିସ ସକ୍ଷମ ହୋଇପାରିନଥିଲା। ସମ୍ପୃକ୍ତ ମହିଳାଙ୍କ ଖପୁରୀର ଫଟୋଚିତ୍ରକୁ ହାଇଦରାବାଦସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି। ସେଠାରୁ ସ୍କ୍ରଲ ଜରିଆରେ ମହିଳାଙ୍କ ସମ୍ଭାବ୍ୟ ମୁହଁର ଫଟୋ ଆସିବା ପରେ ତାହାକୁ ପ୍ରସାରଣ କରାଯାଇ ମହିଳାଙ୍କ ପରିଚୟ ପାଇବା ପାଇଁ ପୁଲିସ ଚେଷ୍ଟା କରିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଏହି ଘଟଣାର ସଠିକ୍ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।