କରୋନା କଟକଣାରେ ଘୋଷଯାତ୍ରା ଚିନ୍ତା ; ଏଥର ହାତୀ ଟାଣିବେ ରଥ !

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ବିଚିତ୍ର। ଭାବ ଦଉଡିରେ ବନ୍ଧା ଭାବଗ୍ରାହୀଙ୍କ ରଥଯାତ୍ରା ନେଇ ଅଗଣିତ ଭକ୍ତ ଚିନ୍ତିତ। ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନ ଗହଳିକୁ କିଭଳି ରୋକାଯାଇପାରିବ ତାହା ପ୍ରମୁଖ ଆହ୍ୱାନ ପାଲଟିଛି। ବିନା ଭକ୍ତରେ ସ୍ନାନ ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଏବେ ରଥଯାତ୍ରା ନେଇ ସରକାର ଦ୍ୱନ୍ଦ୍ୱରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ହାତୀ ଦ୍ୱାରା ରଥ ଟଣାଯାଇ ପାରିଲେ ସାମାଜିକ ଦୂରତ୍ୱ ସହ ପୂର୍ବ ପରମ୍ପରା ରକ୍ଷା ହୋଇ ପାରିବ ବୋଲି କେତେକ ମହଲ ମତ ରଖୁଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟିର ରଥଯାତ୍ରା ନେଇ ବାରମ୍ବାର ବୈଠକ ହେଉଛି। ଦ୍ୱାଦଶ ଶତାବ୍ଦୀରେ ରଥଯାତ୍ରା ବେଳେ ଶ୍ରୀମନ୍ଦିରରେ ହାତୀସେବା ଅନ୍ତର୍ଭୁକ୍ତ ଥିଲା ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ରବୀନ୍ଦ୍ର ମିଶ୍ର ମତ ପୋଷଣ କରିଛନ୍ତି। ପୂର୍ବରୁ ରଥଯାତ୍ରାରେ ହାତୀଙ୍କୁ ସାମିଲ କରାଯାଇଥିବାରୁ ଶ୍ରୀମନ୍ଦିରରେ ହାତୀସେବା ବିଧି ରହିଛି। ସେଥିପାଇଁ ବୋଧେ ଶ୍ରୀମନ୍ଦିରର ୪ଟି ଦ୍ୱାର ମଧ୍ୟରୁ ଗୋଟିଏ ହାତୀଦ୍ୱାର ନାମରେ ନାମିତ ହୋଇଛି। ୨୦୧୦ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାରମ୍ପରିକ ହାତୀସେବା ପାଇଁ ବିହାର, ଉତ୍ତରପ୍ରଦେଶର ମାହୁନ୍ତଙ୍କ ସହ ଆଲୋଚନା ହୋଇଥିଲା। ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ସେବାୟତ ଓ ଶ୍ରଦ୍ଧାଳୁମାନେ ହାତୀସେବା ପୁନଃ ପ୍ରଚଳନ ପାଇଁ ଦାବି କରିଥିଲେ। ୨୦୦୨ ରଥଯାତ୍ରା ଠାରୁ ହାତୀସେବା ବନ୍ଦ ରହିଛି। ଉତ୍ତରପ୍ରଦେଶରୁ ଲକ୍ଷ୍ମୀ ନାମକ ଏକ ମାଈ ହାତୀ ରଥଯାତ୍ରା ପାଇଁ ଆସିଥିଲା। ହାତୀଟି ଫେରିବା ବେଳେ ରାସ୍ତାରେ ମୃତ୍ୟୁବରଣ କରିଥିଲା। ସେହିଦିନ ଠାରୁ ପୁରୀ ରଥଯାତ୍ରାରେ ହାତୀଙ୍କୁ ସାମିଲ କରାଯାଇ ନାହିଁ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ବନ୍ୟ ପ୍ରାଣୀ ଆଇନ କଟକଣା ରହିଛି। କେରଳ, ଆସାମ ଓ ଉତ୍ତରପ୍ରଦେଶରେ ବହୁ ପୋଷା ହାତୀ ଓ ମାହୁନ୍ତ ରହିଛନ୍ତି। ସେମାନଙ୍କ ସାହାଯ୍ୟ ନେଇ ହାତୀ ଅଣାଗଲେ ରଥଯାତ୍ରା ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗୁଜରାଟର ଅହମଦାବାଦ ଠାରେ ରଥଯାତ୍ରାରେ ହାତୀଙ୍କୁ ନିୟୋଜିତ କରାଯାଇଥାଏ। ପୂର୍ବରୁ ରଥଯାତ୍ରା ସମୟରେ ତିନିରଥ ସମ୍ମୁଖରେ ହାତୀ ଯାଉଥିଲେ। ଗଜପତି ମହାରାଜା ପାରମ୍ପରିକ ଛେରାପହଁରା ନୀତି କରିବା ସମୟରେ ଆଗରେ ହାତୀ ଯିବାର ବ୍ୟବସ୍ଥା ରହିଥିଲା। ଭାରତର ବିଭିନ୍ନ ଉତ୍ସବରେ ହାତୀର ଉପସ୍ଥିତିକୁ ଶୁଭ ଭାବେ ଗ୍ରହଣ କରି ସାମିଲ କରାଯାଉଥିବା ନଜିର ରହିଛି।

୧୫ ଦିନ ପରେ ସୁସ୍ଥ ହୋଇ ମହାପ୍ରଭୁ ରଥାରୂଢ଼ ହୋଇ ଘୋଷଯାତ୍ରାରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। କରୋନା କଟକଣାରେ କିଭଳି ରଥ ଟଣା ହେବ ଏହାକୁ ନେଇ ଏବେ ମାନସ ମନ୍ଥନ ଆରମ୍ଭ ହୋଇଛି। ରଥପାଇଁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ରଥ ଦଉଡି ପହଞ୍ଚି ଗଲାଣି। ଚଳିତ ବର୍ଷ ବିନାଭକ୍ତରେ ରଥଯାତ୍ରା କରିବାକୁ ପ୍ରଶାସନ ଚିନ୍ତା କରୁଥିବାରୁ ରଥଟଣା କାର୍ଯ୍ୟକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ତାହାକୁ ନେଇ ଏବେ ବିଭିନ୍ନ ମହଲରେ ବିଚାର ବିମର୍ଶ ଚାଲିଛି। ଜୁନ ୨୩ରେ ରତଯାତ୍ରା ଅନୁଷ୍ଠିତ ହେବ। ଏହିମାସ କେରାନା ପାଇଁ ନିର୍ଣ୍ଣାୟକ ମାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରଥଯାତ୍ରା ସମାପନ ପାଇଁ ସରକାର ଚିନ୍ତାରେ ରହିଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ ଯେଉଁ ସମସ୍ୟା ଉପୁଜିଛି ଏହାର ସମାଧନ ପାଇଁ ଉପାୟ ଖୋଜାଚାଲିଛି। ଏଠାରେ ସୂଚନା ଯୋଗ୍ୟ ଯେ ୧୨୩୦ଶତାବ୍ଦୀରେ କଳା ବେଠିଆ ସେବା ଶ୍ରୀମନ୍ଦିର ନୀତିରେ ପ୍ରଚଳିତ ହୋଇ ଆସୁଥିଲା। ରଥଯାତ୍ରା ସମୟରେ କଳା ବେଠିଆମାନେ ରଥ ଟାଣିବା ପରମ୍ପରା ରହିଥିଲା। ସେମାନଙ୍କୁ ରାଜା ବିଭିନ୍ନ ସ୍ଥାନରେ ସେବା ପାଇଁ ଜମି ଦେଇଥିଲେ। ମାତ୍ର ୧୯୬୦ ପରଠାରୁ ଏହା ଉଚ୍ଛେଦ ହୋଇଯାଇଛି। ରଥଟଣା ସମୟରେ ପ୍ରଚଳିତ ଥିବା କଳା ବେଠିଆ ସେବା ଉଚ୍ଛେଦ ପରେ ପୁଲିସ ଦ୍ୱାରା ରଥଟଣା ହେଉଛି। କରୋନା ପରିସ୍ଥିତିରେ ଯଦି ପୁଲିସମାନେ ରଥ ଟାଣିବା ନେଇ କୌଣସି ସମସ୍ୟା ଉପୁଜେ ତେବେ ଧାର୍ମିକ ଭାବନା ଓ ପରମ୍ପରାକୁ ସମ୍ମାନ ଦେଇ ହାତୀକୁ ବିକଳ୍ପ ଭାବେ ବାଛିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.