ଦୂର ହେବ ଜଳସେଚନ ଅସଙ୍ଗତି: ଜଳସମ୍ପଦ ଓ କୃଷି ବିଭାଗର ସମନ୍ବୟ ବୈଠକ

ଭୁବନେଶ୍ୱର : କୃଷକଙ୍କ କଲ୍ୟାଣପାଇଁ କୃଷି ଓ ଜଳସେଚନ କ୍ଷେତ୍ରରେ ରହିଥିବା ବିବିଧ ପ୍ରସଙ୍ଗର ଆଲୋଚନା ଓ ସମାଧାନ ଉଦ୍ଦେଶ୍ୟରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜଳସମ୍ପଦ ବିଭାଗର ଏକ ସମନ୍ଵୟ ବୈଠକ ଗତକାଲି ପୂର୍ବାହ୍ନରେ ରାଜୀବ ଭବନ ସ୍ଥିତ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉନ୍ନତ ଅମଳ ପାଇଁ ଜଳର ଉପଲବ୍ଧତା ଏବଂ ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କ କ୍ଷେତଯାଏ ଜଳର ସର୍ବୋତ୍ତମ ବ୍ୟବହାର ଉପରେ ଦୃଷ୍ଟି ଦିଆଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ସୌରଭ ଗର୍ଗ, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ  ଅନୁ ଗର୍ଗଙ୍କର ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ଉଭୟ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀମାନଙ୍କୁ ଦୁଇ ବିଭାଗର ପ୍ରଥମ ଓ ପ୍ରମୁଖ ଅଂଶୀଦାର ରାଜ୍ୟର କୃଷକମାନଙ୍କ କଲ୍ୟାଣପାଇଁ ପାରସ୍ପରିକ ସମନ୍ଵୟ ରକ୍ଷାକରି କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଅନୁଷ୍ଠିତ ବୈଠକରେ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ବିକଶିତ ସେଚ କ୍ଷମତା ଓ ବ୍ୟବହୃତ ସେଚ ପରିମାଣରେ ଥିବା ତାରତମ୍ୟକୁ ଦୂର କରିବା ପାଇଁ ବ୍ଲକ ସ୍ତରରେ ମିଳିତ ଅନୁଧ୍ୟାନ ଏବଂ ଏହି ଅନ୍ତରର ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ, ଜଳର ସର୍ବୋତ୍ତମ ବ୍ୟବହାର କରି ଶସ୍ୟ ଯୋଜନା ପାଇଁ ଖରିଫ ଓ ରବି ଋତୁପୂର୍ବରୁ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଜଳସେଚନ ପ୍ରକଳ୍ପଗୁଡିକରୁ ଉପଲବ୍ଧ ଜଳର ପରିମାଣ ସମ୍ପର୍କରେ ସୂଚନା ଆଦାନ ପ୍ରଦାନ, ରାଜ୍ୟରେ ଜଳସମ୍ପଦ ବିଭାଗ ଦ୍ୱାରା ନିର୍ମିତ ଶତାଧିକ କାର୍ୟ୍ୟକ୍ଷମ ଚେକ ଡ୍ୟାମ ଅଞ୍ଚଳରେ ସୌର ଅଣୁ ଜଳସେଚନ ବ୍ୟବସ୍ଥା କରାଯାଇ ଅଧିକ ଉତ୍ପାଦନକ୍ଷମ ଉଦ୍ୟାନକୃଷି କାର୍ୟ୍ୟକୁ ଅଗ୍ରାଧିକାର ଦିଆଯିବାପାଇଁ ଆଲୋଚନା କରାଗଲା । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ରୋଜଗାର ବୃଦ୍ଧି ଉଦ୍ଦେଶ୍ୟରେ ଏବଂ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଶ୍ୱବ୍ୟାଙ୍କ ଏବଂ ସବୁଜ ପରିବେଶ ପାଣ୍ଠି ସହାୟତାରେ କ୍ଷୁଦ୍ର ଜଳସେଚନ ଜଳଭଣ୍ଡାର ଓ ପଞ୍ଚାୟତିରାଜ ପୋଖରୀମାନଙ୍କରେ କରାଯାଉଥିବା ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣପାଇଁ ଦୁଇ ବିଭାଗର ମିଳିତ ସହଯୋଗରେ କାର୍ୟ୍ୟକରିବାକୁ ସ୍ଥିର କରାଗଲା । ତ୍ରିକୋଣଭୂମି ସେଚାଞ୍ଚଳରେ ସଘନ ରବିଚାଷ କରିବାକୁ ଗୁରୁତ୍ୱ ଦିଆଯିବା ଏବଂ ଉଭୟ ବିଭାଗ ମିଳିତ ଭାବେ ଏଥିପାଇଁ କାର୍ୟ୍ୟକରିବା, ସମ୍ଭାବ୍ୟ ବୃହତ୍, ମଧ୍ୟମ ଏବଂ ମେଗାଲିଫ୍ଟ ପ୍ରକଳ୍ପ ସେଚାଞ୍ଚଳରେ ଅଣଧାନ ଫସଲକୁ ପ୍ରୋତ୍ସାହିତ କରିବା ପାଇଁ ଅଣୁ ଜଳସେଚନ ସୁବିଧା ଯୋଗାଇଦେବା, ଗଭୀର ସେଚକୂପ ଯୋଜନାରେ ଅଣୁ ଜଳସେଚନର ବ୍ୟବସ୍ଥା ଭଳି ପ୍ରମୁଖ ପ୍ରସଙ୍ଗ ଆଲୋଚିତ ହୋଇଥିଲା । ଜିଲ୍ଲା କୃଷି ଅଧିକାରୀଙ୍କ ଦ୍ଵାରା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର ପାଣି ପଞ୍ଚାୟତକୁ ଶସ୍ୟ ବିବିଧତା ଓ କୃଷି-କ୍ଲିନିକ୍ ସୁବିଧା ପ୍ରଦାନ କରିବା, ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଛୋଟମୋଟ ମରାମତି ବିଷୟରେ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମରେ କୃଷକମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗଦ୍ଵାରା ପ୍ରଶିକ୍ଷଣ ପ୍ରଦାନ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟର କୃଷକମାନଙ୍କର ଜଳସେଚନ ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍ସର୍ଗ କରାଯାଇଥିବା ଜଳସମ୍ପଦ ବିଭାଗର ଅଭିଯୋଗ ପରିଚାଳନା ମୋବାଇଲ ଆପ୍ “ସେଚ ସମାଧାନ” ସମ୍ପର୍କରେ କୃଷକମାନଙ୍କ ଅବଗତି ନିମନ୍ତେ “ଆମ କୃଷି” ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ହ୍ୱାଟସ୍ ଆପ୍ ଗୃପର ବ୍ୟବହାର କରାଯିବ । ଜଳସେଚନ ସମ୍ପର୍କିତ ସମସ୍ୟା ଗ୍ରହଣ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କଲ ସେଣ୍ଟର ସୁବିଧା ମଧ୍ୟ ବ୍ୟବହାର ହେବ । କୃଷି ଏବଂ ଜଳର ସୁପରିଚଳନା ସମ୍ପର୍କରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ “ଇମେଜ” ଏବଂ “ୱାଲମି”ର ମିଳିତ ପ୍ରଚେଷ୍ଟାରେ ପ୍ରଭାବିତ ପ୍ରଶିକ୍ଷଣ କାର୍ୟ୍ୟକ୍ରମ କରାଯିବ । କୃଷକମାନଙ୍କର ସୁବିଧା ପାଇଁ ଦୁଇ ବିଭାଗ ମଧ୍ୟରେ ରହୁଥିବା ବିଭିନ୍ନ ପ୍ରସଙ୍ଗର ଆଲୋଚନା ଓ ସମାଧାନ ନିମନ୍ତେ ବିଭାଗୀୟ ସଚିବଙ୍କ ଦ୍ଵାରା ଏହିପରି ତ୍ରୈମାସିକ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ, ବିଶେଷ କରି ଖରିଫ ଓ ରବି ଋତୁର ପ୍ରାରମ୍ଭରେ ଆୟୋଜନ କରିବାକୁ ଶେଷରେ ନିଷ୍ପତ୍ତି ନିଆଯାଇଛି ।
ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକବର୍ଗ, ସର୍ବୋଚ୍ଚ ଯନ୍ତ୍ରୀ ଜଳସମ୍ପଦ, ଓଡିଶା ଓ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ), କୃଷି ବିଭାଗର ନିର୍ଦ୍ଦେଶକବୃନ୍ଦ ତଥା ଉଭୟ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed.