ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ବିବାଦ : ହିନ୍ଦୁକୁ ଆଇଏସ୍‌ଆଇଏସ୍‌ ସହ ତୁଳନା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ପୁସ୍ତକ ‘ସନ୍‌ରାଇଜ୍ ଓଭର ଅଯୋଧ୍ୟା: ନେସନହୁଡ୍ ଇନ ଆୱାର ଟାଇମ୍ସ’କୁ ନେଇ ବିବାଦ ଦେଖାଯାଇଛି। ଖୁର୍ସିଦ ତାଙ୍କର ଏହି ପୁସ୍ତକରେ ହିନ୍ଦୁତ୍ବକୁ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ଓ ବୋକୋ ହାରାମ ସହିତ ତୁଳନା କରିଛନ୍ତି। ଖୁର୍ସିଦଙ୍କ ଏହି ତୁଳନାକୁ କଂଗ୍ରେସ ସହିତ ବିଜେପି ସମାଲୋଚନା କରିଛି । ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଖୁର୍ସିଦଙ୍କ ମନ୍ତବ୍ୟ କେବଳ ହିନ୍ଦୁ ନୁହେଁ ଭାରତର ଆତ୍ମାକୁ ମଧ୍ୟ ଆଘାତ ଦେଇଛି। ସେ କହିଛନ୍ତି ଯେ ଖୁର୍ସିଦଙ୍କ ମନ୍ତବ୍ୟରୁ କଂଗ୍ରେସର ମନୋଭାବ ପ୍ରମାଣିତ ହେଉଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିର୍ଦେଶରେ ଖୁର୍ସିଦ ଏପରି ଲେଖିଛନ୍ତି। ପୂର୍ବରୁ କଂଗ୍ରେସ ହିନ୍ଦୁ ଆତଙ୍କବାଦ କଥା କହିଥିଲା। ଏହି ବିଚାରଧାରା କୌଣସି ଜଣେ କଂଗ୍ରେସ ନେତାଙ୍କର ନୁହେଁ ବରଂ ଏହା କଂଗ୍ରେସ ଦଳର ବିଚାରଧାରା। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଖୁର୍ସିଦଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ହିନ୍ଦୁତ୍ବକୁ ଆଇଏସଆଇଏସ୍ ଓ ବୋକୋ ହାରାମ ସହିତ ତୁଳନା କରିବା ଠିକ୍ ନୁହେଁ। ଖୁର୍ସିଦଙ୍କ ଏପରି ମନ୍ତବ୍ୟ ସହିତ ସେ ଏକମତ ନୁହନ୍ତି ବୋଲି ଆଜାଦ କହିଛନ୍ତି। ଖୁର୍ସିଦ ତାଙ୍କ ଉପରୋକ୍ତ ପୁସ୍ତକର ୧୧୩ ପୃଷ୍ଠାରେ ହିନ୍ଦୁତ୍ବକୁ ଆଇଏସଆଇଏସ୍ ଓ ବୋକୋ ହାରାମ ସହିତ ତୁଳନା କରିଛନ୍ତି।

Comments are closed.