ଇଭିଏମ ଜଗିବା ଦାୟିତ୍ୱରେ ଥିବା ପୁଲିସ କନେଷ୍ଟବଳଙ୍କ ଲୁହାରେକ୍ ପଡି ମୃତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ ଓଏପିଏଫ ଭାବରେ କାର୍ଯ୍ୟରତ ଜଣେ ପୁଲିସ କନେଷ୍ଟବଳ ଇଭିଏମ ଷ୍ଟ୍ରଙ୍ଗରୁମର ଡ୍ୟୁଟି କରୁଥିବା ସମୟରେ ଲୁହାରେକ୍ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ ଓଏପିଏଫ କନେଷ୍ଟବଳ ଭାବରେ ୧୦ ବର୍ଷହେବ ପ୍ରକାଶ ଚନ୍ଦ୍ର ଭୋଇ(୩୨) କାର୍ଯ୍ୟ କରୁଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଷ୍ଟ୍ରଙ୍ଗରୁମରେ ସେ ଗତକାଲି ରାତି ୨ଟାରେ ତାଙ୍କର ଡ୍ୟୁଟି ଶେଷ କରିବାପରେ ଶୌଚ ହେବାକୁ ଯାଇଥିଲେ। ଶୌଚରୁ ଫେରି ନିକଟସ୍ଥ ବିଶ୍ରାମ କକ୍ଷକୁ ଯିବାକୁ ସେ ଷ୍ଟ୍ରଙ୍ଗରୁମ ବାରଣ୍ଡାକୁ ଲୁହାରେକ ଉପରେ ଭାରା ଦେଇ ଉଠିଲା ବେଳେ ଦୁର୍ଭାଗ୍ୟବଶତଃ ଲୁହାରେକ୍ଟି ତାଙ୍କ ଉପରେ ପଡିଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ସହକର୍ମଚାରୀମାନେ ତାଙ୍କୁ ତୁରନ୍ତ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ତାଙ୍କ ନିଜଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଝୋଲ ଗ୍ରାମ ବୋଲି ତଦନ୍ତକାରୀ ଅଧିକାରୀ ମମତା ହେମ୍ବ୍ରମ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ଜିଲ୍ଲା ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।