ପଦୋନ୍ନତି ପାଇବେ ୧୦୯୨ ହାବିଲଦାର, କନଷ୍ଟେବଳ

ଫେବୃଆରୀ ୧୫ରୁ ପ୍ରଶିକ୍ଷଣ

କଟକ : କନଷ୍ଟେବଳ, ଲାନ୍ସ ନାୟକ, ହାବିଲଦାର ଓ ସିଆଇ ହାବିଲଦାର ପଦବୀରୁ ଏଏସ୍‍ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଅନୁମୋଦନ କରିଛନ୍ତି। ମନୋନୟନ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ଜଣ ଅଣ ସଂରକ୍ଷିତ ବର୍ଗର ହୋଇଥିବା ବେଳେ ୨୪୩ଜଣ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି।
ଅନୁସୂଚିତ ବର୍ଗର ପ୍ରାର୍ଥୀଙ୍କ ଏଏସ୍‍ଆଇ ପ୍ରଶିକ୍ଷଣ ପାଇଁ ମନୋନୟନ ଚଳିତବର୍ଷ ପ୍ରାରମ୍ଭରେ ହୋଇ ସାରିଛି। ଓଡ଼ିଶା ପୁଲିସ ପକ୍ଷରୁ ଏ ନେଇ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଏଏସ୍‍ଆଇ ପ୍ରଶିକ୍ଷଣର ଯୋଗ୍ୟତା ହାସଲ ପାଇଁ ସମୁଦାୟ ମାର୍କର ୪୦ ପ୍ରତିଶତ ମାର୍କ ରଖିବା ଲାଗି ବାଧ୍ୟତାମୂଳକ କରାଯାଇଥିଲା। ଅନୁସୂଚିତ ଜନଜାତି ବର୍ଗଙ୍କ ଏହି ଲିଖିତ ପରୀକ୍ଷା ୭ବର୍ଷ ପରେ ଓ ଅଣସଂରକ୍ଷିତ ଲିଖିତ ପରୀକ୍ଷା ୧୮ବର୍ଷପରେ ଆୟୋଜିତ ହୋଇଥିଲା। ମନୋନୀତ ପାର୍ଥୀମାନଙ୍କୁ ୪ମାସର ଏଏସ୍‍ଆଇ ପାଠ୍ୟ ଖସଡ଼ାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ଫେବୃଆରି ୧୫ରୁ ଆରମ୍ଭ ହେବ। ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଏଏସ୍‍ଆଇ ପାଠ୍ୟ ଖସଡା ବାବଦରେ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ପରେ ସେମାନଙ୍କୁ ଥାନାରେ ୨ମାସ ବ୍ୟାବହାରିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଏସ୍‍ଆଇ ପାଠ୍ୟ ଖସଡା ଓ ଥାନାରେ ବାସ୍ତବ ଜ୍ଞାନ ଆହରଣ ପରେ ସେମାନଙ୍କୁ ନିୟମିତ ଏଏସ୍‍ଆଇ ଭାବେ ନିଯୁକ୍ତି ଦିଆଯିବ। ଏଥିସହ ମାମଲାର ଅନୁସନ୍ଧାନ ଓ ତଦନ୍ତ କରିବାକୁ କ୍ଷମତା ପ୍ରଦାନ କରାଯିବ ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.