ଶିବସେନାକୁ ସମର୍ଥନ କରିବନି କଂଗ୍ରେସ: ସୋନିଆ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି-ଶିବସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ଶିବସେନାର ୫୦-୫୦ ଫର୍ମୁଲାକୁ ବିଜେପି ଅଗ୍ରାହ୍ୟ କରିଦେବା ପରେ ଦଳ ରାଜ୍ୟରେ ସରକାର ଗଢ଼ିବା ଲାଗି ଅଣ୍ଟା ଭିଡିଥିବାବେଳେ ତାହା ଫିକା ପଡ଼ିବାକୁ ଯାଉଛି। ଶିବସେନା ନେତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ଶିବସେନାରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ଼ୋକ୍ତି କରିଥିଲେ। ଆଶା କରାଯାଉଥିବା କଂଗ୍ରେସ-ଏନସିପି ମେଣ୍ଟ ସମର୍ଥନରେ ଶିବସେନା ସରକାର ଗଢ଼ିପାରେ। କିନ୍ତୁ ସେଥିରେ ଶିବସେନା ସଫଳ ହେବା ଆଶା କ୍ଷୀଣ। କାରଣ ଶିବସେନାକୁ ଏନସିପି ସମର୍ଥନ ଜଣାଇବାକୁ ଆଗ୍ରହୀ ଥିଲେ ହେଁ କଂଗ୍ରେସ ଏଥିରୁ ଓହରିଯାଇଛି। ଶିବସେନାକୁ ସମର୍ଥନ ନ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦଳକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଯେଉଁ ରାଜନୈତିକ ସ୍ଥିତି ରହିଛି ସେ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ବାଲାସାହେବ ଥୋରାଟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ, ମାଣିକରାଓ ଠାକରେ ପ୍ରମୁଖ ସୋନିଆଙ୍କୁ ଅବଗତ କରାଇଥିଲେ। ସୋନିଆ ନେତାମାନଙ୍କୁ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ। କ୍ଷମତା ପାଇଁ ଶିବସେନା ଏବଂ ବିଜେପି ମଧ୍ୟରେ ସଂଘର୍ଷ ଚାଲିଛି। ଏହି ଦଳ ବିଜେପି ସହିତ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ଏହାର ନୀତି ଏବଂ ଆଦର୍ଶ କଂଗ୍ରେସଠାରୁ ଭିନ୍ନ। ତେଣୁ କଂଗ୍ରେସ ଏହି ଦଳକୁ ସମର୍ଥନ କରିବ ନାହିଁ।

ସୋନିଆଙ୍କ ଏହି ନିଷ୍ପତ୍ତି ପରେ ଶିବସେନା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏନସିପିର ସମର୍ଥନ ମିଳିଲେ ବି ଶିବସେନା ବହୁମତ ପାଇଁ ଆବଶ୍ୟକ ସଂଖ୍ୟାରେ ପହଞ୍ଚିବା କଷ୍ଟକର ହେବ ବୋଲି କୁହାଯାଉଛି।

Comments are closed.