ସେବା ଓ ଦ୍ରବ୍ୟକର ପ୍ରାପ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ଠକିଛି: କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ  ଭାରତୀୟ ଜନତାପାର୍ଟି ଓ ତା’ର ନେତାମାନେ ସମସ୍ତ ରାଜ୍ୟବାସୀଙ୍କୁ ମୁର୍ଖ ବିବେଚନା କରି ଅନେକ ସମୟରେ ଅସତ୍ୟ ଓ ବିଭ୍ରାନ୍ତିକର ତଥ୍ୟମାନ ଦେଉଥିବା ଅଭିଯୋଗ କରିଛନ୍ତି ।
ସେବା ଓ ଦ୍ରବ୍ୟକର ବାବଦରେ ଶ୍ରୀ କାନୁନ୍‍ଗୋ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ଦେଉଥିବା ଅର୍ଥ କ’ଣ ରାଜ୍ୟକୁ ଦାନ ଓ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ନୁହେଁ ? ସେବା ଓ ଦ୍ରବ୍ୟ କର ଆଇନାନୁସାରେ ଏହି ନେତାମାନେ କ’ଣ ଜାଣନ୍ତି ନାହିଁ ଯେ ରାଜ୍ୟକୁ ୨୦୧୫-୧୬ ବର୍ଷକୁ ମୂଳବର୍ଷକରି ପ୍ରତିବର୍ଷ ୧୪% ବର୍ଦ୍ଧିତ ଟିକସ୍‍ ହାରରେ ରାଜ୍ୟମାନଙ୍କୁ ୨୦୨୧-୨୨ ମସିହା ପର୍ୟ୍ୟନ୍ତ ଦେବାର ବ୍ୟବସ୍ଥା ଅଛି?
ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ କେଉଁ ସ୍ୱାର୍ଥରେ କେଉଁ ସ୍ୱାଭିମାନରେ କେନ୍ଦ୍ର ସରକାରଙ୍କର ଅନୁଗୃହୀତ ଓ କାହା ସ୍ୱାର୍ଥରେ ଦାନୀ ପଣିଆକୁ ପ୍ରଶ୍ନ କରି ନାହାନ୍ତି ତାହା ତାଙ୍କୁ ଓ ତାଙ୍କ ଅଫିସରମାନଙ୍କୁ ଜଣା । ମାତ୍ର ୨୦୧୯-୨୦ ବର୍ଷପାଇଁ ରାଜ୍ୟର ଆଇନାନୁମୋଦିତ ପ୍ରାପ୍ୟ ୬.୨୦୦ କୋଟି ଟଙ୍କା ଜି.ଏସ୍‍.ଟି ରାଜସ୍ୱ କ୍ଷତିପୂରଣ ପାଇବା କଥା । ରାଜ୍ୟ ପାଇଛି ମୋଟ୍‍ ୫୧୨୨କୋଟି ଟଙ୍କା । ଏକଥା କ’ଣ ଭାଜପା ନେତାମାନେ ହିସାବ କରି ନାହାନ୍ତି କାରଣ ଗତବର୍ଷ (୨୦୧୯-୨୦) ପାଇଁ ରାଜ୍ୟର ଜି.ଏସ୍‍.ଟି. ଆଦାୟ ୭.୮୬% ଥିଲା । ଅବଶିଷ୍ଟ ୬.୧୪% କେନ୍ଦ୍ର ଭରଣା କରିବା କଥା ।
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାଶୟ କ’ଣ ଜାଣନ୍ତି ନାହିଁ ମହାମାରୀ ସାଙ୍ଗରେ ଏହି ପ୍ରାପ୍ୟର କୌଣସି ସଂପର୍କ ନାହିଁ ?
ଶ୍ରୀ ପ୍ରଧାନ କ’ଣ ଜାଣନ୍ତି ନାହିଁ ଯେ କେନ୍ଦ୍ର ଅର୍ଥ ସଚୀବ ଶ୍ରୀଫାଡେ ଷ୍ଟାଣ୍ଡିଂ କମିଟି ଆଗରେ ପ୍ରାପ୍ୟ ଅର୍ଥ ଦେଇ ନ ପାରିବାର ଅକ୍ଷମତା ପ୍ରକାଶ କରିଛନ୍ତି । କାରଣ କେନ୍ଦ୍ର କ୍ଷତି ଭରଣା ପାଇଁ ଆଦାୟ କରୁଥିବା ସେସ୍‍ ବହୁ ପରିମାଣରେ କମିବାରେ ଲାଗିଛି। କେନ୍ଦ୍ର ସରକାରର ଏହି ଅପରାଗତା ଓ ଅକ୍ଷମତା କ’ଣ ଭାଜପା ନେତା ଜାଣନ୍ତି ନାହିଁ ?
ଯେଉଁମାନେ ଦିନେ “ଏକ ଦେଶ, ଏକ ଟିକସ” କଥା କହି ଜି.ଏସ୍‍.ଟି ରାତିଅଧିଆ ଲାଗୁକଲେ ଉତ୍ସାହିତ ହୋଇ ଐତିହାସିକ ନିଷ୍ପତି କହୁଥିଲେ ସେମାନେ ହିଁ ଆଜି ରାଜ୍ୟ ଆର୍ଥିକ ସଂକଟର କାରଣ । ଏକଥା ଧର୍ମେନ୍ଦ୍ରବାବୁ ଓ ତାଙ୍କ ଦଳ ଲୁଚାଇଲେ କ’ଣ ଲୁଚିବ ? ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ କାନୁନଗୋ

Comments are closed.