କଂଗ୍ରେସର ଛବି ’ଦିଶାହୀନ’; ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ସପକ୍ଷରେ ଶଶି ଥରୁର

ନୂଆଦିଲ୍ଲୀ: ଲୋକଙ୍କ ମନରେ କଂଗ୍ରେସ ଏକ ‘ଦିଶାହୀନ’ ଦଳ ବୋଲି ଧାରଣା ସୃଷ୍ଟି ହେବାକୁ ଲାଗିଲାଣି । ତେଣୁ ଏହି ସ୍ଥିତିରୁ ବାହାରିବା ଲାଗି ଓ କଂଗ୍ରେସର ଛବିକୁ ଲୋକଙ୍କ ମନରେ ଦୃଢ଼ କରିବା ନିମନ୍ତେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ଆବଶ୍ୟକ । ରାହୁଳଙ୍କ ନିକଟରେ ଦକ୍ଷତା ରହିଛି ସେ ଦଳର ନେତୃତ୍ଵ ନେବାକୁ ସକ୍ଷମ । ଯଦି ରାହୁଳ ଦ୍ବିତୀୟ ଥର ଅଧ୍ୟକ୍ଷ ହେବାକୁ ଚାହୁଁ ନାହାନ୍ତି ତେବେ ନୂଆ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଖୋଜିବାକୁ ପଡ଼ିବ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର।

ଯେତେବେଳେ ସୋନିଆ ଗାନ୍ଧୀ କଂଗ୍ରେସର ଆନ୍ତରୀଣ ଅଧ୍ୟକ୍ଷ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛନ୍ତି ସେତେବେଳେ ଥରୁରଙ୍କ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ଵ ବହନ କରୁଛି । ଗତବର୍ଷ ଅଗଷ୍ଟ ୧୦ ତାରିଖରେ ରାହୁଳ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୋନିଆଙ୍କୁ ଆନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା । ଶଶି ଥରୁର ଏ କଥା ମଧ୍ୟ କହିଛନ୍ତି ଯେ ମୋତେ ଲାଗୁଛି ଦଳର ନେତତ୍ଵ ନେଇ ଲୋକଙ୍କ ମଧ୍ୟରେ ସ୍ପଷ୍ଟ ଧାରଣା ସୃଷ୍ଟି ହେବା ଆବଶ୍ୟକ । ସୋନିଆଜୀଙ୍କୁ ଆନ୍ତରୀଣ ଅଧ୍ୟକ୍ଷ ଭାବରେ ମୁଁ ସ୍ବାଗତ କରିଥିଲି, ମାତ୍ର ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସେ ଏହି ପଦ ସମ୍ଭାଳିବେ ବୋଲି ମନେ କରିବା ଅନୁଚିତ୍ । ଲୋକଙ୍କ ମନରେ ଆମକୁ ଆମର ଛବି ସୁଧାରିବାକୁ ପଡ଼ିବ । କଂଗ୍ରେସ ଆଦୌ ନିଜର ଦାୟିତ୍ଵରୁ ଓହରି ଯାଇନାହିଁ ଓ ବିପକ୍ଷ ଭୂମିକା ନିର୍ବାହ କରିବାକୁ ସକ୍ଷମ ବୋଲି ଏକ ଧାରଣା ଦେବାକୁ ପଡ଼ିବ । ଲୋକତାନ୍ତ୍ରିକ ପଦ୍ଧତିରେ ପୂର୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ଆବଶ୍ୟକ ।

ସମ୍ପ୍ରତି କଂଗ୍ରେସରେ ରାହୁଳ ଗାନ୍ଧୀଙ୍କୁ ପୁନର୍ବାର ଅଧ୍ୟକ୍ଷ କରାଯିବା ଦାବି ଜୋର ଧରିଛି । ସେ କହିଛନ୍ତି ସେ ରାହୁଳ ଅଧ୍ୟକ୍ଷ ହେଲେ ବହୁତ ଭଲ ହୁଅନ୍ତା । ଯଦି ରାହୁଳ ପୁନର୍ବାର ଦଳର ଅଧ୍ୟକ୍ଷ ହେବାକୁ ପ୍ରସ୍ତୁତ ତେବେ ସେ ଇସ୍ତଫା ପ୍ରତ୍ୟାହାର କରିନେବା ଆବଶ୍ୟକ । ତାଙ୍କର ୨୦୨୨ ମସିହା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିଲା ।

ଶ୍ରୀ ଥରୁର କହିଛନ୍ତି ଯେ ସେ କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ନୁହେଁ, ଏକ ବ୍ୟବସ୍ଥା ସମ୍ପର୍କରେ କହୁଛନ୍ତି । ଯାହାଫଳରେ କଂଗ୍ରେସର ନେତୃତ୍ଵ ସଙ୍କଟ ସମାପ୍ତ ହୋଇ ପାରିବ । ଲକଡ଼ାଉନ, କୋବିଦ-୧୯, ଚୀନୀ ଅତିକ୍ରମଣ ପ୍ରସଙ୍ଗରେ ରାହୁଳ ଏକାକୀ ବର୍ତମାନ ସରକାରଙ୍କୁ କାଠଗଡ଼ାରେ ଠିଆ କରିବାକୁ ସକ୍ଷମ ହୋଇଛନ୍ତି । ସେ ନିଜର ଦୂରଦର୍ଶିତା ଦେଖାଇଛନ୍ତି । ଭବିଷ୍ୟତରେ ସେ ଏହାକୁ ଜାରି ରଖିବେ ବୋଲି ଥରୁର ଆଶାପ୍ରକାଶ କରିଛନ୍ତି ।

Comments are closed.