କଂଗ୍ରେସକୁ ଫେରିଲେ ପୂର୍ବ କେନ୍ଦ୍ରମନ୍ତ୍ରୀ ସକିଲ ଅହମ୍ମଦ; ପୁଣି ଦଳକୁ ଫେରିବେ କି ଶ୍ରୀକାନ୍ତ?

ପାଟନା: କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ସକିଲ ଅହମ୍ମଦଙ୍କୁ ପୁଣି ଦଳକୁ ଫେରାଇ ଆଣିଛି କଂଗ୍ରେସ । ଗତ ଲୋକସଭା ନିର୍ବାଚନରେ ସକିଲ ବିହାରରେ ମହାଗଠବନ୍ଧନ ପ୍ରାର୍ଥୀଙ୍କ ବିରୋଧରେ ମଧୁବନି ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରିବା କାରଣରୁ ତାଙ୍କୁ ଦଳ ପକ୍ଷରୁ ୬ ବର୍ଷ ନିଲମ୍ବିତ କରାଯାଇଥିଲା । ଆଗାମୀ ଦିନରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ କଂଗ୍ରେସ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ନିଲମ୍ବନ ପରେ ସକିଲ ଅହମ୍ମଦ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ ଓ ଏହାପରେ ତାଙ୍କର ଦଳକୁ ପ୍ରତ୍ୟାବର୍ତନ ନେଇ ଚର୍ଚା ଆରମ୍ଭ ହୋଇଥିଲା । ସକିଲ ମଧୁବନି ଆସନରୁ ୨ ଥର ସାଂସଦ ନିର୍ବାଚିତ ହୋଇଥିଲେ ଓ ମନମୋହନ ସିଂହଙ୍କ ସରକାରରେ ସୂଚନା ପଯୁକ୍ତିବିଦ୍ୟା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାସହ ସେ ବିହାର କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ପୂର୍ବରୁ ତୁଲାଇଥିଲେ ।

ସକିଲଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ଉଠାଇ ଦେବା ପରେ ଓଡ଼ିଶାର ପୂର୍ବତନ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଦଳ ନିଲମ୍ବନ ପ୍ରତ୍ୟାହାର କରିପାରେ ବୋଲି ଚର୍ଚା ଆରମ୍ଭ ହୋଇଛି । ଶ୍ରୀକାନ୍ତ ଜେନା ୨୦୧୮ ଡ଼ିସେମ୍ବର ମାସରେ ରାଜ୍ୟ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ । ମାତ୍ର ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ  ୨୦୧୯ ଜାନୁଆରୀ ମାସରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଦଳର ତତ୍କାଳୀନ ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ ଏ ସମ୍ପର୍କରେ ଘୋଷଣା କରିଥିଲେ । ଏଆଇସିସି ଅନୁମୋଦନ ଆଧାରରେ ଶ୍ରୀ ଜେନା ଓ ଶ୍ରୀ ସଗରିଆଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଶ୍ରୀ ସେଠୀ ସେତେବେଳେ ସୂଚନା ଦେଇଥିଲେ ।

ଶ୍ରୀକାନ୍ତ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତ ପାର୍ଥକ୍ୟ ଓ ମତାନ୍ତର ଚରମ ସୀମାରେ ପହଞ୍ଚିଥିଲା । ନିରଞ୍ଜନଙ୍କ ନେତୃତ୍ବକୁ ଶ୍ରୀ ଜେନା ସ୍ବୀକାର କରୁ ନ ଥିବା ଅଭିଯୋଗ ହୋଇଥିଲା । ଏପରିକି ଖଣି ଅନିୟମିତତା ପ୍ରସଙ୍ଗ ଆଧାରରେ ଶ୍ରୀକାନ୍ତ ଜେନା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରିବାର ପ୍ରତି ଶବ୍ଦବାଣ ପ୍ରୟୋଗ କରିଥିଲେ ।

ମାତ୍ର ଦୁଇଦିନ ତଳେ ଏଆଇସିସି ବୈଠକ ପରେ ଦଳରେ ଏକ ବଡ଼ ପରିବର୍ତନ ହେବାର ସୁରାକ ମିଳିଛି । ଗାନ୍ଧୀ ପରିବାର ବାହାରୁ କାହାରିକୁ ଦଳର ନେତୃତ୍ବ ଦିଆଯିବା ନେଇ ଚର୍ଚା ଆରମ୍ଭ ହୋଇଛି । ରାହୁଳ, ପ୍ରିୟଙ୍କାଙ୍କ ପରେ ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ବସ୍ତ ଅହମ୍ମଦ ପଟେଲ ମଧ୍ୟ ଏହି ଦିଗକୁ ଇଙ୍ଗିତ କରିଛନ୍ତି । ଅମ୍ବିକା ସୋନିଙ୍କ ପରି କିଛି ନେତା ନେତୃତ୍ବ ପରିବର୍ତନ ଚାହୁଁଥିବା ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ହେଁ ସେପରି ଘଟିବାର ସମ୍ଭାବନା ଦିଶୁନାହିଁ । ଏପରିକି ଯେଉଁ ନେତାମାନେ ଚିଠି ଲେଖିଥିଲେ ସେମାନଙ୍କ ମଧ୍ୟରେ ଅନେକ ରାହୁଳଙ୍କ ସମର୍ଥକ ଅଛନ୍ତି । ଏହି ସ୍ଥିତିରେ ପରବର୍ତୀ କାର୍ଯ୍ୟକାରିଣୀ ବୈଠକରେ ଗାନ୍ଧୀ ପରିବାରର କୌଣସି ବିଶ୍ବସ୍ତ ବ୍ୟକ୍ତିଙ୍କୁ ଦଳର ସଭାପତି କରାଯାଇପାରେ ଏବଂ ଦଳରୁ ନିଲମ୍ବିତ ହୋଇଥିବା ବା ବିଭିନ୍ନ କାରଣରୁ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିବା ବିଭିନ୍ନ ରାଜ୍ୟର ନେତାମାନଙ୍କୁ ପୁଣି ଦଳକୁ ଫେରାଇ ଆଣିବାକୁ ପ୍ରଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଶ୍ରୀକାନ୍ତଙ୍କ ଘରବାହୁଡ଼ା ହେବା ନେଇ ଚର୍ଚା ଆରମ୍ଭ ହୋଇଛି ।

ଅଣକଂଗ୍ରେସ ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀକାନ୍ତ ଶେଷରେ କଂଗ୍ରେସରୁ ସାଂସଦ ଭାବରେ ନିର୍ବାଚିତ ହେବା ସହ କେନ୍ଦ୍ରରେ ମନ୍ତ୍ରୀ ପଦରେ ଆସୀନ ହୋଇଥିଲେ । ଦଳର ଉଚ୍ଚସ୍ତରରେ ତାଙ୍କର ବେଶ୍ ପରିଚିତି ରହିଛି । ମଲ୍ଲିକାର୍ଜୁନ ଖଡ଼ଗେ, ପି.ଚିଦାମ୍ବରମଙ୍କ ପରି ଗାନ୍ଧୀ ପରିବାରର ବିଶ୍ବସ୍ତ ବ୍ୟକ୍ତିମାନଙ୍କ ସହ ତାଙ୍କର ଭଲ ସମ୍ପର୍କ । ମାତ୍ର ରାଜ୍ୟସ୍ତରରେ ଦଳୀୟ ନେତାମାନଙ୍କ ସହ ଶ୍ରୀକାନ୍ତଙ୍କର ସମ୍ପର୍କ ଅତି ତିକ୍ତ । ଏପରିକି ସେ ପୂର୍ବରୁ ନିର୍ବାଚିତ ହୋଇଥିବା ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରୁ ପିସିସି ସଭାପତିଙ୍କ ପୁଅ ଦେବଜ୍ୟୋତି ପଟ୍ଟନାୟକ ଦଳର ପ୍ରାର୍ଥୀ ହୋଇ ଶ୍ରୀକାନ୍ତଙ୍କ ଫେରନ୍ତି ରାସ୍ତା ବନ୍ଦ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀକାନ୍ତ ଯଦି ଦଳକୁ ଫେରନ୍ତି ତେବେ କେଉଁଠି ଓ କିପରି ଭାବରେ ତାଙ୍କୁ ଦଳ ଉପଯୋଗ କରିବ ତାହା ଭବିଷ୍ୟତ  ହିଁ କହିବ ।

Comments are closed.