ଓବିସି ଓ ଏସସିବିସି ସ୍ୱତନ୍ତ୍ର ଭାବରେ ଗଣନା ପାଇଁ କେନ୍ଦ୍ରକୁ ସୁପାରିଶ କରି ଧର୍ମକୁ ଆଖିଠାର ମାରୁଛନ୍ତି ରାଜ୍ୟ ସରକାର: କଂଗ୍ରେସ

୨୦୦୬ରୁ ଓବିସି କମିଶନଙ୍କୁ ଅଚଳ କରି ରଖିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ୧୧ ଜାନୁଆରୀ ୨୦୨୦ ର ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅର୍ଥାତ୍ ୨୦୨୧ ରେ ହେବାକୁ ଥିବା ଜନଗଣନା ସମୟରେ ଓବିସି ଓ ଏସସିବିସି ସ୍ୱତନ୍ତ୍ର ଭାବରେ ଏମାନଙ୍କୁ ଗଣନା କରିବା ପାଇଁ କେନ୍ଦ୍ରକୁ ସୁପାରିଶ ଏକ ଧର୍ମକୁ ଆଖିଠାର ସଦୃଶ। ବାସ୍ତବତା ହେଉଛି ରାଜ୍ୟରେ ଓବିସି ଓ ଏସସିବିସି ବର୍ଗର ଲୋକଙ୍କୁ ଘୃଣା କରୁଛନ୍ତି ନବୀନ ପଟ୍ଟନାୟକ ବୋଲି ତଥ୍ୟ ପ୍ରମାଣ ସହିତ ଅଭିଯୋଗ ଆଣିଛି କଂଗ୍ରେସ।

ପ୍ରକାଶଯୋଗ୍ୟ ଯେ ୨୦୦୬ରୁ ସମସ୍ତ ନୀତି ନିୟମ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲ୍ଲଘଂନ କରି ଓବିସି କମିଶନଙ୍କୁ ଅଚଳ କରିବା, ୨୦୧୧ ମସିହାରେ ଓବିସି କମିଶନ ପୁର୍ନଗଠନ କରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ଘଟଣାରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଓବିସି ଓ ଏସସିବିସିଙ୍କ ପ୍ରତି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ୨୦୧୨ ମସିହାରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରି ଓବିସି କମିଶନ ପୁର୍ନଗଠନ ପାଇଁ ୬ ମାସ ସମୟ ଲୋଡିଥିଲେ। ୬ ମାସ ପରିବର୍ତ୍ତେ ୮ ବର୍ଷ ବିତି ଯାଇଥିଲେ ମଧ୍ୟ କମିଶନତ ଦୂରର କଥା କେବେ ଓବିସିମାନଙ୍କ ପାଇଁ ସାମାନ୍ୟତମ ଚିନ୍ତା ମଧ୍ୟ କରିନାହାନ୍ତି।

ଆଗାମୀ ପୌର ନିର୍ବାଚନକୁ ଆଖି ଆଗରେ ରଖି ୨୦ ବର୍ଷ ହେଲା ଶୋଇଥିବା ସରକାର ହଠାତ୍ ଭୋଟ ରାଜନୀତି ପାଇଁ ଓବିସି ଓ ଏସସିବିସିମାନଙ୍କ ପାଇଁ ଚିହିଁକି ଉଠିବା କୁମ୍ଭୀରକାନ୍ଦଣା ସଦୃଶ। ଯଦି ଏତେ ଦରଦ ଥିଲା କ’ଣ ପାଇଁ ୨୦୦୬ ମସିହାରେ ଓବିସି କମିଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ। ୨୦୧୧ ମସିହା ରେ ଉଚ୍ଚ ନ୍ୟାୟାଳୟଙ୍କ ସିଧା ନିର୍ଦ୍ଦେଶ ପରେ କ’ଣ ପାଇଁ ରାଜ୍ୟ ସରକାର ଓବିସି କମିଶନ ଗଠନ କରିବା ପରିବର୍ତେ ସମୟ ନେବା ବାହାନାରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରିଥିଲେ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି।

Comments are closed.