କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଇଛି । ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ହେବାକୁ ଥିବା ବେଳେ, ଆଜି ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ ଶେଷ ହେବା ପରେ ୧୯ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ସଭାପତି ନିର୍ବାଚନରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଶଶି ତରୁରଙ୍କ ନାମକୁ ନେଇ ଚର୍ଚ୍ଚା ଜୋରଦାର ଲାଗିରହିଛି । ତରୁର୍ ତାଙ୍କର ପ୍ରାର୍ଥିତ୍ବକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ବୁଧବାର ସେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରିଙ୍କୁ ଭେଟି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସମ୍ପର୍କରେ ବୁଝିଛନ୍ତି। ସୋମବାର ତରୁରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନିମନ୍ତେ ଅନୁମତି ଲୋଡିଥିବା ଜଣାଯାଇଛି।

ତରୁରଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବାକୁ ଯାଉଛନ୍ତି ଅଶୋକ ଗେହଲଟ। ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁଗତ ଭାବେ ପରିଚିତ ଗେହଲଟ ବୁଧବାର ସୋନିଆଙ୍କୁ ସାକ୍ଷାତ କରିଛନ୍ତି। ସୋନିଆଙ୍କୁ ସାକ୍ଷାତ ପରେ ସେ ମୁମ୍ବଇ ଯିବେ। ସେଠାରେ ସେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି କଂଗ୍ରେସ ନେତୃତ୍ବ ଭାର ବହନ ନିମନ୍ତେ ତାଙ୍କୁ ମନାଇବାକୁ ଚେଷ୍ଟା କରିବେ। ଗେହଲଟ କହିଛନ୍ତି ଯେ ଦଳୀୟ ଲୋକ ଇଚ୍ଛା ପ୍ରକାଶ କଲେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ।

ଏହା ସହିତ ଦଳ ତାଙ୍କୁ ଯେଉଁ ଦାୟିତ୍ବ ତେବେ ତାକୁ ସେ ପାଳନ କରିବେ। ମଙ୍ଗଳବାର ଗେହଲଟ ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ବୈଠକ କରି ଦଳୀୟ ନିର୍ବାଚନ ସମ୍ପର୍କରେ ମତାମତ ନେଇଥିଲେ। ଗେହଲଟ ଯଦି ଅଧ୍ୟକ୍ଷ ହୁଅନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ବଜାୟ ରଖିବେ।

Comments are closed.