ବିପଦରେ କଂଗ୍ରେସ: ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ବାଦ ଦେବାକୁ କମିଶନଙ୍କ ନିକଟରେ ଆବେଦନ

କଂଗ୍ରେସ ଦଳକୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ପ୍ରକ୍ରିୟାରୁ ବାଦ ଦେବା ନିମନ୍ତେ ନିର୍ବାଚନ କମିଶନଙ୍କ ନିକଟରେ ହୋଇଛି ଆବେଦନ । ଏଥିରେ କୁହାଯାଇଛି ଯେ କଂଗ୍ରେସ ଗତ ୬ ବର୍ଷ ଧରି ନିଜର ଅଡ଼ିଟ୍ ରିପୋର୍ଟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିନାହିଁ । ତେଣୁ ଏହି ଦଳକୁ ଆୟକର ଛାଡ଼ କରା ନ ଯାଉ ଓ ନିର୍ବାଚନ ଚିହ୍ନ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଉ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ନିକଟରେ ଦଳର ଆଭ୍ୟନ୍ତରୀଣ ଅଡ଼ିଟ୍ ରିପୋର୍ଟ ବର୍ତମାନ ସୁଦ୍ଧା ଜମା ନ କରିବା କାରଣରୁ ଅଡ଼ୁଆରେ ପଡ଼ିଛି ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ । ଏପରିକି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପ୍ରକ୍ରିୟାରୁ ଏହି ଦଳକୁ ବାଦ ଦେବା ଓ ନିର୍ବାଚନ ଚିହ୍ନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କମିଶନଙ୍କ ନିକଟରେ ଆବେଦନ କରାଯାଇଛି । ଦୁଇଜଣ ଆଇନଜୀବୀ ହରିଶଙ୍କର ଜୈନ ଓ ବିଷ୍ଣୁ ଶଙ୍କର ଜୈନ ଏହି ଆବେଦନ କରିଛନ୍ତି ।

ନିର୍ବାଚନ ଆୟୋଜନ ସଂକ୍ରାନ୍ତ ଲୋକ ପ୍ରତିନିଧି ଆଇନର ଧାରା ୨୯ ସି ଅନୁସାରେ ପ୍ରତ୍ୟେକ ରାଜନୈତିକ ଦଳ ନିଜର ଆୟବ୍ୟୟ ଓ ଅଡ଼ିଟ୍ ରିପୋର୍ଟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଜରୁରୀ । ମାତ୍ର କଂଗ୍ରେସ ୨୦୧୪ ମସିହା ପରେ ନିଜର କେନ୍ଦ୍ରୀୟ ୟୁନିଟ୍ ଓ ଉତ୍ତରପ୍ରଦେଶ ୟୁନିଟ୍ ବ୍ୟତୀତ ଅନ୍ୟ କୌଣସି ରାଜ୍ୟର ଅଡ଼ିଟ୍ ରିପୋର୍ଟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିନାହାନ୍ତି ବୋଲି ଦୁଇ ଆଇନଜୀବୀ କମିଶନଙ୍କ ନିକଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ।

ଅନୁରୂପ ଭାବରେ ଆୟକର ଅଧିନିୟମ ୧୩ଏ ଅନୁସାରେ କୌଣସି ରାଜନୈତିକ ଦଳ ଆୟକର ଛାଡ଼ ପାଇବା ପାଇଁ ନିଜର ଅଡ଼ିଟ୍ ରିପୋର୍ଟ ଦାଖଲକୁ ଅନିବାର୍ଯ୍ୟ କରାଯାଇଛି । ଦଳକୁ ଯେଉଁଯେଉଁ ସୂତ୍ର ବା ସ୍ରୋତର ଅର୍ଥ ଆସିଛି ତାହାର ବିସ୍ତୃତ ବିବରଣୀ ଏଥିରେ ଉଲ୍ଲେଖ କରିବା ବିଧେୟ । କେବଳ ସେତିକି ନୁହେଁ, ଏଥିରେ ୨ ହଜାର ଟଙ୍କାର ଅଧିକ ନଗଦ ରାଶି ଦାନ ବା ଚାନ୍ଦା ରୂପେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମଧ୍ୟ ନିୟମ ରହିଛି ।

ତେଣୁ କଂଗ୍ରେସ ଦଳ ଯେ ପର୍ଯ୍ୟନ୍ତ ସବୁ ରାଜ୍ୟର ଅଡ଼ିଟ୍ ରିପୋର୍ଟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ନ କରିଛି ସେ ପର୍ଯ୍ୟନ୍ତ କଂଗ୍ରେସକୁ ନିର୍ଧାରିତ ଆୟକର ରିଆତି ନ ଦେବାକୁ ଓ ନିର୍ବାଚନ ପ୍ରକ୍ରିୟାରୁ ବାହାରେ ରଖିବାକୁ ଓକିଲଦ୍ବୟ ଆବେଦନରେ ଅନୁରୋଧ କରିଛନ୍ତି । ନିର୍ବାଚନ ସଂକ୍ରାନ୍ତ ରହିଥିବା ନିୟମକୁ ସମ୍ମାନ ଦେବା ପ୍ରତ୍ୟେକ ରାଜନୈତିକ ଦଳର ଦାୟିତ୍ବ । ଏହା ସହ କେଉଁ ସୂତ୍ରରୁ ରାଜନୈତିକ ଦଳଗୁଡ଼ିକ ଚାନ୍ଦା ବା ଅନୁଦାନ ପାଉଛନ୍ତି ତାହା ଜାଣିବା ମଧ୍ୟ ଦେଶବାସୀଙ୍କର ଅଧିକାର ବୋଲି ଉଭୟ ଓକିଲ କହିଛନ୍ତି ।

Comments are closed.