କଂଗ୍ରେସ ସମ୍ପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଜନସାଧାରଣଙ୍କର ପସନ୍ଦ ହରାଇଛି : କପିଳ ସିବଲ

ନୂଆଦିଲ୍ଲୀ : ବିହାରରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। କିଛି ନେତା ପରୋକ୍ଷରେ ହାଇକମାଣ୍ଡଙ୍କୁ ଖୋଲା ଆହ୍ବାନ ଦେବା ଦ୍ବାରା ପୁଣି ଏକ ବିଦ୍ରୋହ ମୁଣ୍ଡ ଟେକିବା ଭଳି ପରିସ୍ଥିତି ଉପୁଜିଛି। ହାଇକମାଣ୍ଡ ନାନା ପ୍ରଶ୍ନବାଚୀର ସମ୍ମୁଖୀନ ହେଲେଣି। ବରିଷ୍ଠ ନେତା କପିଳ ସିବଲ କହିଛନ୍ତି ଯେ କଂଗ୍ରେସ ସମ୍ପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଜନସାଧାରଣଙ୍କର ପସନ୍ଦ ହରାଇଛି। କେବଳ ବିହାର ନୁହେଁ; ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି।

ବିହାରରେ ଆରଜେଡିକୁ ଲୋକ ପସନ୍ଦ କରିଥିବାବେଳେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗୁଜରାଟରେ କଂଗ୍ରେସ ସମ୍ପୂର୍ଣ୍ଣ ବୁଡ଼ିଯାଇଛି। ଲୋକସଭା ପାଇଁ ଅନୁଷ୍ଠିତ ଏକମାତ୍ର ଉପନିର୍ବାଚନରେ କଂଗ୍ରେସ ଦୟନୀୟ ଭାବେ ପରାଜିତ ହୋଇଛି। ଏହା ଘୋର ଚିନ୍ତାର କାରଣ। ସୋନିଆ ଓ ରାହୁଲଙ୍କ ନାଁ ନ ନେଇ ଏଭଳି ବିଫଳତା ପାଇଁ ସିବଲ ସେମାନଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ହାଇକମାଣ୍ଡ ଯଦି ଗତ ୬ ବର୍ଷ ଧରି ବିଫଳତା ନେଇ ଆତ୍ମସମୀକ୍ଷା କରିପାରୁ ନାହାନ୍ତି; ତେବେ ଭବିଷ୍ୟତର ଆଶ କ’ଣ ବୋଲି ସିବଲ ପ୍ରଶ୍ନ କରିଛନ୍ତି। ସମସ୍ୟା କେଉଁଠି ସମସ୍ତେ ଜାଣିଛନ୍ତି ଏବଂ ସମାଧାନର ରାସ୍ତା ମଧ୍ୟ ସମସ୍ତଙ୍କୁ ଜଣା; ତଥାପି ଏହାକୁ କାର୍ଯ୍ୟକାରୀ କରା ନ ଯିବା ପରିତାପର ବିଷୟ। ଏମିତି କେତେ କାଳ ଚାଲିବ ବୋଲି ସେ ପଚାରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସିବଲଙ୍କୁ ସମାଲୋଚନା କରିଛନ୍ତି।

ସେହିଭଳି ଦଳର ଯୁବ ନେତା, ଲୋକସଭା ସାଂସଦ କାର୍ତ୍ତି ଚିଦମ୍ବରମ୍‌ ମଧ୍ୟ ନିର୍ବାଚନ ଫଳାଫଳ ନେଇ ହାଇକମାଣ୍ଡ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି କହିଛନ୍ତି। କାର୍ତ୍ତି ହେଉଛନ୍ତି ବରିଷ୍ଠ ନେତା ପି. ଚିଦମ୍ବରମ୍‌ଙ୍କ ପୁଅ। ଏମାନଙ୍କ ପୂର୍ବରୁ ବିହାରର ବରିଷ୍ଠ କଂଗ୍ରେସ ନେତା​ ତାରିକ ଅନୱାର କହିଥିଲେ ଯେ ଏହି ବିଫଳତା ପାଇଁ ଦଳ ମଧ୍ୟରେ ଗଭୀର ଚିନ୍ତନର ଆବଶ୍ୟକତା​ ରହିଛି। ବିହାର ନିର୍ବାଚନ ଓ ଅନ୍ୟ ଉପନିର୍ବାଚନ ସମ୍ପର୍କରେ ଦଳ ସମୀକ୍ଷା କରିବା ଉଚିତ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟରେ ସିବଲଙ୍କ ସମତେ ୨୩ ଜଣ ବରିଷ୍ଠ ନେତା ଦଳରେ ସଂସ୍କାର ଆଣିବା ପାଇଁ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ଏହାକୁ ନେଇ ଖୁବ୍‌ ବିବାଦ ସୃଷ୍ଟି ହୋଇଥିଲା ଓ ଚିଠି ଲେଖିଥିବା ନେତାଙ୍କୁ ଦଳ କାର୍ଯ୍ୟକାରିଣୀରୁ ହଟାଇ ଦିଆଯାଇଥିଲା।

ଅପରପକ୍ଷରେ ବିହାର ନିର୍ବାଚନରେ ମହାମେଣ୍ଟର ବିଫଳତା ନେଇ ଆରଜେଡି ନେତା ଶିବାନନ୍ଦ ତିୱାରୀ ରାହୁଲ ଗାନ୍ଧୀଙ୍କୁ ସିଧା ସମାଲୋଚନା କରିଛନ୍ତି। ରାହୁଲ ନିର୍ବାଚନ ପ୍ରଚାର ନୁହେଁ; ଏଠାରେ ପିକ୍‌ନିକ୍‌ କରିବାକୁ ଆସିଥିଲେ ବୋଲି ସେ କହିଛନ୍ତି। ସହଯୋଗୀ ଆରଜେଡିର ଏହି ସମାଲୋଚନା କଂଗ୍ରେସକୁ ଅଧିକ ଅଡ଼ୁଆରେ ପକାଇଛି। ବିହାରରେ ନିର୍ବାଚନ ପ୍ରଚାର ଜୋର ଧରିଥିବାବେଳେ ରାହୁଲ ମାତ୍ର ତିନି ଦିନ ବିହାରରେ ପ୍ରଚାର କରିଥିଲେ ଓ ଅବଶିଷ୍ଟ ଦିନ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ଘରେ ପିକ୍‌ନିକ୍‌ କରୁଥିଲେ। ନିର୍ବାଚନକୁ ଗମ୍ଭୀରତାର ସହ ନେଇ ନ ଥିଲେ କିମ୍ବା ଏହାର ବାସ୍ତବତାକୁ ଉପଲବ୍ଧି କରି ନ ଥିଲେ। କଂଗ୍ରେସ ଜିଦ୍‌କରି ୭୦ଟି ନିର୍ବାଚନ ମଣ୍ଡଳୀରେ ଲଢ଼ିବା ପାଇଁ ନେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିପାରି ନ ଥିଲେ ବୋଲି ସମାଲୋଚନା କରିଛନ୍ତି ଶିବାନନ୍ଦ।

ଅନ୍ୟ ଏକ ମହତ୍ତ୍ବପୂର୍ଣ୍ଣ ଘଟଣାକ୍ରମେ ଉତ୍ତର ପ୍ରଦେଶରେ କଂଗ୍ରେସ ସହ ମେଣ୍ଟ ସମ୍ଭାବନାକୁ ସମାଜବାଦୀ ପାର୍ଟି ଖଣ୍ଡନ କରିଛି; ଯାହାକି କଂଗ୍ରେସ ପାଇଁ ବଡ଼ ଧକ୍କା ହୋଇଛି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ଦାୟିତ୍ବରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରଚାରର ମଙ୍ଗ ଧରିବେ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ଦାୟିତ୍ବ ନେବା ପରଠାରୁ ଚଳିତ ବର୍ଷ ମଧ୍ୟରେ ପ୍ରିୟଙ୍କା ମାତ୍ର ଦୁଇ ଥର ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି। ଖୁବ୍‌ ଶୀଘ୍ର ସେ ଲକ୍ଷ୍ନୌରେ ପହଞ୍ଚି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ସୂଚନା ମିଳିଛି। ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ଦଳ ୭ ମଧ୍ୟରୁ ୬ଟି​ ଆସନରେ ପ୍ରତିଦ୍ବନ୍ଦ୍ବିତା କରି ସବୁଗୁଡ଼ିକରେ ପରାଜିତ ହୋଇଛି। ପ୍ରିୟଙ୍କା ଏହି ନିର୍ବାଚନରେ ପ୍ରଚାର ପାଇଁ ଯାଇ ନ ଥିଲାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁ ଅଞ୍ଚଳରେ ପ୍ରଚାରେ କରିଥିଲେ।

Comments are closed.