‘ଫେସବୁକ’କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ: ସଂସଦୀୟ କମିଟି ତଦନ୍ତ ଦାବି କଲା କଂଗ୍ରେସ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ‘ଫେସବୁକ୍’ ଓ ‘ହ୍ବାଟ୍ସଆପ’କୁ ନେଇ ଏବେ ଦେଶବ୍ୟାପୀ ସୃଷ୍ଟି ହୋଇଛି ବିବାଦ । ଫେସବୁକ୍ ବିଜେପି ଓ ଆରଏସଏସ୍ ନେତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି କଂଗ୍ରେସ ଏହାର ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ତଦନ୍ତ ନିମନ୍ତେ ଦାବି କରିଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିନକ ତଳେ ଫେସବୁକ୍ ଓ ହ୍ବାଟସଅପକୁ ବିଜେପି ଓ ଆରଏସଏସ୍ ନିୟନ୍ତ୍ରଣ କରୁଥିବା ଅଭିଯୋଗ କରିଥିଲେ । ଏହା ସହ ଭୁଲ ଖବର ପ୍ରସାରିତ କରୁଥିବା କହିଥିଲେ । ଏକ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ରାହୁଳ ଏପରି ଅଭିଯୋଗ କରିବା ସହ ପ୍ରକାଶିତ ଖବରଟିକୁ ନିଜ  ଟ୍ବିଟରରେ ସ୍ଥାନ ଦେଇଥିଲେ ।

ଅନ୍ୟପକ୍ଷରେ ଫେସବୁକ୍ ପକ୍ଷରୁ କୁହାଯାଇଛି ଯେ ଆମ ନିମନ୍ତେ ସମସ୍ତେ ସମାନ ଓ ଆମର ନୀତିରେ କୌଣସି ପାତର ଅନ୍ତର କରାଯାଉ ନାହିଁ । ଆମ କମ୍ପାନୀ ସବୁ ଦେଶ ନିମନ୍ତେ ଗୋଟିଏ ନୀତି ଅବଲମ୍ବନ କରୁଛି । ଏଥିରେ କୌଣସି ଦଳ ପାଇଁ ବିଶେଷ ସ୍ଥାନ ନାହିଁ । ଫେସବୁକ୍ ମୁଖପାତ୍ର କହିଛନ୍ତି ​‌ଯେ ଆମେ ନିରପେକ୍ଷତା ସଠିକତାକୁ ନେଇ କାର୍ଯ୍ୟ କରୁଛୁ ଏବଂ ଏହାର ନିୟମିତ ଅନୁଧ୍ୟାନ କରାଯାଉଛି ।

ଅନ୍ୟପକ୍ଷରେ କଂଗ୍ରେସ ଓ ରାହୁଳଙ୍କ ଅଭିଯୋଗକୁ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାହୁଳଙ୍କୁ କଟାକ୍ଷ କରିଛନ୍ତି । ତାଙ୍କୁ ‘ଲୁଜର’ ବୋଲି ଆକ୍ଷେପ କରି ନିର୍ବାଚନ ସମୟରେ ଫେସବୁକ ତଥ୍ୟ ଏପଟସେପଟ କରିଥିବା ନେଇ ରାହୁଳଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

Comments are closed.