କଂଗ୍ରେସର ଅଭିଯୋଗ: ବିପତ୍ତି ସମୟରେ ସାମ୍ନାକୁ ଆସିଲା ଅର୍ଥନୀତିର ବିକଳ ଚିତ୍ର

ଭୁବନେଶ୍ୱର : କରୋନା ସଂକଟ ଯୋଗୁ ରାଜ୍ୟରେ ବିପତ୍ତି ସୃଷ୍ଟି ହୋଇଛି। ବହୁ ଲୋକ ନିଜର ଜୀବୀକା ହରାଇଥିବାବେଳେ ଦୋକାନବଜାର ବନ୍ଦ ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ଏହି ବିପତ୍ତି ସମୟରେ ଅର୍ଥନୀତିର ବିକଳ ଚିତ୍ର ସାମ୍ନାକୁ ଆସିଛି ବୋଲି ଅଭିଯୋଗ ଆଣିବା ସହିତ କରୋନା ମୁକାବିଲାରେ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ବିଫଳ ହୋଇଛନ୍ତି ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ମୋଦି ସରକାରଙ୍କ ୬ବର୍ଷ ନିରାଶା ଓ ହତାଶ ସମୟ ଭାବେ ଚଳନ୍ତି ଇତିହାସରେ ସ୍ଥାନ ପାଇସାରିଲାଣି। ଗତ ଦୁଇଦିନ ତଳେ ବିଜେପି ସଭାପତି ଜେପି ନଡ୍ଡା ଓ ଗତ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବର୍ତମାନର ବାସ୍ତବ ଚିତ୍ର ଦେବା ପରିବର୍ତ୍ତେ ଏକ କାଳ୍ପିନିକ ଛବି ଉପସ୍ଥାପନ କରିଛନ୍ତି । ବିମୁଦ୍ରୀକରଣ ଓ ତ୍ରୁଟିପୂର୍ଣ୍ଣ ଭାବରେ ଜିଏସଟି ଆଇନ୍ ଲାଗୁ କରିବା ଯୋଗୁ କୋଟି କୋଟି ଜନସାଧାରଣ ନିଯୁକ୍ତି ହରାଇବା ସହିତ ବ୍ୟବସାୟ ଜଗତ ଅପୂରଣୀୟ କ୍ଷତିର ସମ୍ମୁଖିନ ହୋଇଛନ୍ତି। ସେହିପରି ଦେଶରେ ଯେଉଁଭଳି ଭାବେ ତତ୍‌କ୍ଷାଣିକ ଲକଡାଉନ ଘୋଷଣା କରାଗଲା, ତାହା କୋଭିଡ୍ ସ୍ଥିତିକୁ ଅଧିକ ସଙ୍ଗୀନ ତଥା କୋଟି କୋଟି ପ୍ରବାସୀ ଶ୍ରମିକମାନଙ୍କୁ ବେଘର କରିବା ସହିତ କ୍ଷୁଧାର ଜ୍ୱାଳା ଭିତରକୁ ନିକ୍ଷେପ କରିଛି। ଦେଶର ଅର୍ଥନୀତିକୁ ମୋଦି ସରକାର ରସାତଳଗାମୀ କରିସାରିଲେଣି। ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନ ବଣ୍ଟନ କରୁଥିବା ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ଦେଶର ସ୍ଥିତି ଦିନକୁ ଦିନ ଖରାପ ହେବାକୁ ଯାଉଛି। ଊତ୍ପାଦନ ଓ ନିର୍ମାଣ କ୍ଷେତ୍ରରେ ସଙ୍କୋଚନ ଯୋଗୁ ଦେଶର ବିକାଶ ହାର ଭୟଙ୍କର ଭାବରେ ବାଧାପ୍ରାପ୍ତ ହୋଇଛି। ଏହା ସହିତ ଚାଷୀଙ୍କ ଆୟ ୨ ଗୁଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି, ବ୍ୟବସାୟ, ବାଣିଜ୍ୟ ଓ ଆମଦାନି ରପ୍ତାନୀକୁ ଆଗକୁ ନେବାରେ କେନ୍ଦ୍ରର ମୋଦି ସରକାର ସଂପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ଆଜି ଶ୍ରମିକ ବେସାହାରା, ଚାଷୀକୁ ତା’ର ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ, ଲକ୍ଷ ଲକ୍ଷ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ସଂପୂର୍ଣ୍ଣ ଭାବରେ ଅଚଳ, ବ୍ୟବସାୟ ଠପ୍‌, ମଧ୍ୟବିତ ଓ ନିମ୍ନମଧ୍ୟବିତ ପରିବାରଙ୍କ ରୋଜଗାର ସଂକଟ ଭିତରେ ଥିବା ବେଳେ ‘ଆତ୍ମନିର୍ଭର ଭାରତ’ର ସ୍ଲୋଗାନ ଦେଶ ପାଇଁ ଏକ ବ୍ୟଙ୍ଗ ଛଡା ଅନ୍ୟ କିଛି ନୁହେଁ।
ବର୍ତମାନ ଆସିବା ଓଡିଶା ସରକାରଙ୍କ ପାରିବା ପଣିଆ ଉପରେ – କୋଭିଡ୍‌-୧୯ ଲକଡାଉନ ନବୀନ ପଟ୍ଟନାୟକ ସରକାରଙ୍କ ପାରିବାପଣିଆ ପଦାରେ ପକାଇ ଦେଇଛି । ରାଜ୍ୟରେ କାମଧନ୍ଦା ନପାଇ ପ୍ରବାସରେ ପେଟ ଚାଖଣ୍ଡକ ପାଇଁ ଲକ୍ଷ ଲକ୍ଷ ଓଡିଆ ଲୋକ କଠିନ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ଦିନକୁ ୧୨ରୁ ୧୮ ଘଣ୍ଟା କାମ କରିବା ଭଳି ନିଷ୍ଠୁର ସତ୍ୟ ଏବେ ଜଣାପଡିଲା। ଲୋକଦେଖାଣିଆ ଭାବରେ ରାଜ୍ୟ ସରକାରଙ୍କ ୧୯ ଏପ୍ରିଲ୍‌ରେ ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ନିଷ୍ପତି ଏକ ପ୍ରବଚଂନାରେ ପରିଣତ ହୋଇଛି । ପ୍ରତ୍ୟେକ ପଞ୍ଚାୟତରେ ସଙ୍ଗରୋଧ ଗୃହରେ ହେଉଥିବା ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି ଓ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ କାର୍ଯ୍ୟ କରୁଛି। ସରକାର ଘୋଷଣା କରିଥିବା ଅର୍ଥ ସହାୟତା ରାଶି ବର୍ତମାନ ସୁଦ୍ଧା ପଞ୍ଚାୟତମାନଙ୍କୁ ଦିଆଯାଇନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Comments are closed.