ସ୍ମିତାରାଣୀ ହତ୍ୟା ମାମଲା ; ମାନବାଧିକାର ଓ ମହିଳା କମିଶନଙ୍କୁ ଭେଟିଲା କଂଗ୍ରେସ

ଯାଜପୁର: ଯାଜପୁର ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ଭିଏଲ୍‍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ପ୍ରଦେଶ କଂଗ୍ରେସ ତଥ୍ୟ ଅନୁସନ୍ଧାନକାରୀ କମିଟି ରାଜ୍ୟ ମାନବାଧିକାର କମିଶନ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଓଡିଶା ରାଜ୍ୟ ସରକାର ଓ ଯାଜପୁର ଜିଲା ପ୍ରଶାସନ ଏପରି ସ୍ପର୍ଶକାତର ଘଟଣା ପ୍ରତି ଆନ୍ତରିକତାର ସହ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନେଇ ନ ଥିବାରୁ ପରିବାରବର୍ଗ, ଜିଲା ତଥା ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।  ବିଭିନ୍ନ ସାମାଜିକ ସଙ୍ଗଠନ, ରାଜନୈତିକ ଦଳର ନେତୃମଣ୍ଡଳୀ ଉପରୋକ୍ତ ଘଟଣାକୁ ନେଇ ତର୍ଜମା କରିବାରେ ଲାଗିଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମାନନୀୟ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍‍ଙ୍କ ଅଧ୍ୟକ୍ଷତାରେ ଏକ ୧୧ ଜଣିଆ ତଥ୍ୟ ଅନୁଧ୍ୟାନକାରୀ କମିଟି ଶୁକ୍ରବାର ଦିନ ଘଟଣାସ୍ଥଳ ପରିଦର୍ଶନ କରି ପୀଡିତାଙ୍କ ପରିବାରବର୍ଗଙ୍କୁ ସାକ୍ଷାତ ଆଲୋଚନା କରିବା ସହ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ, ପାଣିକୋଇଲି ଠାରେ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ତଦନ୍ତର ଶୀଥିଳତାକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଆଜି ବାରବାଟୀ କଟକ ବିଧାୟକଙ୍କ ଅଧ୍ୟକ୍ଷତାରେ (ଅନୁସନ୍ଧାନକାରୀ କମିଟି) ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଉପରୋକ୍ତ ଘଟଣାବଳୀର ବିସ୍ତୃତ ଆଲୋଚନା କରିଛନ୍ତି। ଅନୁସନ୍ଧାନକାରୀ ଟିମର ସଦସ୍ୟମାନେ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଏହି ଘଟଣାର ସାକ୍ଷୀମାନଙ୍କୁ ଏବଂ ତାଙ୍କ ପରିବାର ବର୍ଗଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ତତ୍‍ସହିତ ସ୍ୱର୍ଗତା ଶ୍ରୀମତୀ ବିଶ୍ୱାଳଙ୍କର ଏକମାତ୍ର ୭ବର୍ଷର ଝିଅକୁ କିଭଳି ଲାଳନପାଳନ କରାଯାଇପାରିବ ଏବଂ ତାର ଭବିଷ୍ୟତ କିଭଳି ସୁରକ୍ଷିତ ରଖାଯାଇ ପାରିବ ଏ ବାବଦରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିଶନ ଅଧ୍ୟକ୍ଷ ଜଷ୍ଟିସ ଶ୍ରୀ ବିପି ଦାସ ଏବଂ ସଦସ୍ୟ ଅସିମ ଅମିତାଭ ଦାସ ଜିଲାପାଳ ଏବଂ ଏସ୍‍ପିଙ୍କୁ ସାକ୍ଷୀମାନଙ୍କୁ ଏବଂ ସ୍ୱର୍ଗତା ଶ୍ରୀମତୀ ବିଶ୍ୱାଳ ପରିବାର ବର୍ଗଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏବଂ ତାଙ୍କ ଝିଅର ଲାଳନ ପାଳନ ପାଇଁ ୫ ହଜାର ଟଙ୍କା ଦେବାପାଇଁ ନିର୍ଦ୍ଦେଶ ଦେବା ସହିତ ଘଟଣାର ସମସ୍ତ କେସ୍‍ ରେକର୍ଡ଼ ଏବଂ କେସ ଡାଇରୀକୁ ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା କମିଶନଙ୍କ ପାଖରେ ଉପସ୍ଥାପନ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁର ଜିଲା ଆରକ୍ଷୀ ଅଧିକ୍ଷକ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସ୍ପର୍ଶକାତର ଘଟଣାର ପର୍ଦାଫାଶ କରିବାକୁ ଯାଇ ଏହା ଏକ ଆତ୍ମହତ୍ୟା ବୋଲି ପ୍ରକାଶ କରିଛନ୍ତି। ପ୍ରଦେଶ କଂଗ୍ରେସ ତରଫରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ମହମ୍ମଦ ମୋକିମ, ସତ୍ୟପ୍ରକାଶ ନାୟକ ଆରକ୍ଷୀ ଅଧ୍ୟକ୍ଷକଙ୍କ ଏହି ମନଗଡ଼ା କାହାଣୀକୁ ଦୃଢ଼ ବିରୋଧ କରିବା ସହିତ କେଉଁ ପରିସ୍ଥିତିରେ ମହିଳା ଜଣକ ଆତ୍ମହତ୍ୟା କରିବାକୁ ପଡ଼ିଲା ବୋଲି ପ୍ରଶ୍ନ କରିଛନ୍ତି। କିଭଳି ଭାବରେ ଏବଂ କାହିଁକି ରାମକୋ ସିମେଂଟ କମ୍ପାନୀର ଗେଷ୍ଟ ହାଉସକୁ ସରପଞ୍ଚଙ୍କ ସ୍ୱାମୀଙ୍କୁ ବ୍ୟବହାର କରିବା ପାଇଁ ଦିଆଯାଇଥିଲା ଏହା ଏକ ବଡ଼ ପ୍ରଶ୍ନବାଚୀ। ଅନୁସନ୍ଧାନର ସମସ୍ତ ଦିଗକୁ ବାଟବଣା କରିବାପଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅତି ଚତୁରତା ସହିତ ଏବଂ କାହା ଚାପରେ ସ୍ୱର୍ଗତା ମହିଳାଙ୍କର ଚରିତ୍ର ପ୍ରତି ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ତାହା ଅତି ନିନ୍ଦନୀୟ। ଏଥିରୁ ସ୍ପଷ୍ଟ ଅନୁମେୟ ଯଦି ଅନୁସନ୍ଧାନକୁ ବାଟବଣା କରୁଛନ୍ତି ତାହେଲେ କଂଗ୍ରେସ ଦଳର କିଛି ମୌଳିକ ପ୍ରଶ୍ନ ଏ ବାବଦରେ ଉତଥାପିତ କରୁଛି। ସେହି ଗେଷ୍ଟ ହାଉସରେ ସିସି କ୍ୟାମରେ ଲାଗିଥିଲେ ମଧ୍ୟ କିଭଳି ଭାବରେ ସିସି ଟିଭି ଭଙ୍ଗାଗଲା ଏବଂ ସିସିଟିଭିର ହାର୍ଡଡିକ୍ସକୁ ସାଇଂଟିଫକ ଟିମ ଦ୍ୱାରା ଜବତ କଲେ କେଉଁମାନେ ଭାଙ୍ଗିଛନ୍ତି ଏବଂ କେଉ ପରିସ୍ଥିତିରେ ଭାଙ୍ଗିଛନ୍ତି ତାହା ମଧ୍ୟ ଜଣାପଡ଼ିବ। ଖାଲି ସେତିକି ନୁହେଁ ସିସି ଟିଭି କ୍ୟାମେରାରୁ ସେ ସମୟରେ କେଉଁମାନେ ଉପସ୍ଥିତ ଥିଲେ ଖାଦ୍ୟ ସହିତ କଣ ପାନୀୟ ବ୍ୟବସ୍ଥା ହୋଇଥିଲା ଏବଂ କେତେ ସମୟ ଖାଦ୍ୟ ଖାଇବା ପିଇବା ଚାଲିଥିଲା ତାହା ମଧ୍ୟ ଜଣାପଡ଼ିବ। ମୁଖ୍ୟ କଥାଟି କେଉଁ ଏକ ପରିସ୍ଥିତିରେ ମହିଳା ଜଣକ ବସିଥିବା ସ୍ଥାନ ଛାଡ଼ି ଉପର ମହଳାକୁ ଯାଇ ଆତ୍ମହତ୍ୟା କଲେ। ଯଦି ସରପଞ୍ଚଙ୍କ ସ୍ୱାମୀ ମୃତା ଭିଏଲଡବ୍ଲୁଙ୍କ ଫ୍ୟାନରେ ଝୁଲି ପଡ଼ିଛନ୍ତି ବୋଲି ଦେଖିଲେ ତାହାଲେ ସେହି ଘଟଣା ବାବଦରେ ତତକ୍ଷାତ ତାଙ୍କୁ ସେ ଫ୍ୟାନରୁ ଖୋଲିବା ପାଇଁ କାହାର ସାହାଯ୍ୟ ନେଇଥିଲେ ଏବଂ ପୋଲିସ୍‍କୁ ନଜଣାଇ କିଭଳି ଭାବରେ ତାଙ୍କୁ ଡାକ୍ତରଖାନକୁ ନେଇଯାଇଥିଲେ। ଜିଲା ପୁଲିସ ଡାକ୍ତରଖାନାରୁ ଏ ଖବର ପାଇଲେ ଅଥଚ ଏତେ ସମୟ ଭିତରେ ସେଠାରେ ଥିବା ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ପୁଲିସ୍‍କୁ ଜଣାଇବାକୁ ଉଚିତ୍ ମନେ କଲେ ନାହିଁ କାହିଁକି। ଏହି ସବୁ ଦିଗରେ କଂଗ୍ରେସ ପିଶ୍ନ ଉଠାଇଛି । ସେହି ମହିଳାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ କଂଗ୍ରେସ ଦଳ ଆସନ୍ତା ଦିନ ସାରା ରାଜ୍ୟରେ ଜନଆନ୍ଦୋଳନ ଜାରି ରଖିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ ରାଉତ, ସ୍ମୃତିରେଖା ପହି, ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.