ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଚୁପ୍‌, ଲୋକସଭାରେ କଡ଼ା ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ: ମହିଳା ବିରୋଧୀ ହିଂସା ବଢି ଚାଲିଥିଲାବବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୁପ୍‌ ରହିଛନ୍ତି। ଏହାକୁ ନେଇ କଂଗ୍ରେସ ଲୋକସଭାରେ ମୋଦୀଙ୍କୁ ଟାର୍ଗେଟ କରିବା ସହିତ କଡ଼ା ସମାଲୋଚନା କରିଛି। ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ମୋଦୀ ଏହି ପ୍ରସଙ୍ଗ ଉପରେ କୌଣସି ମନ୍ତବ୍ୟ ଦେଉନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ, ପ୍ରଧାନମନ୍ତ୍ରୀ ସବୁ ପ୍ରସଙ୍ଗରେ କିଛି ନା କିଛି କହୁଥିବାବେଳେ ଏହି ପ୍ରସଙ୍ଗରେ ପାଟି ଖୋଲୁନାହାନ୍ତି। ଭାରତ ଧୀରେ ଧୀରେ ‘ମେକ୍‌ ଇନ୍‌ ଇଣ୍ଡିଆ’ରୁ ‘ରେପ୍‌ ଇନ ଇଣ୍ଡିଆ’ ଦିଗରେ ଆଗକୁ ବଢ଼ିବାରେ ଲାଗିଛି।

ଏହା ପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିସାରିଛନ୍ତି। ୱାୟନାଡରେ ଏକ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେଇ ମହିଳା ବିରୋଧୀ ହିଂସା ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହିଥିଲେ। ଭାରତ ବିଶ୍ଵରେ ‘ବଳାତ୍କାର’ର ରାଜଧାନୀ ଭାବେ ପରିଚିତ ହେଉଛି। ଏହି ଦେଶକୁ ଚଳାଉଥିବା ବ୍ୟକ୍ତି ହିଂସାରେ ବିଶ୍ଵାସ ରଖୁଥିବାରୁ ଲୋକମାନେ ଆଇନକୁ ହାତକୁ ନେଉଛନ୍ତି। ଅନ୍ୟ ଦେଶ ପ୍ରଶ୍ନ କରୁଛନ୍ତି ଭାରତ କ’ଣ ପାଇଁ ନିଜର ଝିଅ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି। ଉତ୍ତରପ୍ରଦେଶରେ ଜଣେ ବିଜେପି ବିଧାୟକ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହେଲା। ଏହା ସତ୍ବେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଗୋଟିଏ ହେଲେ ଶବ୍ଦ ବାହାରିଲା ନାହିଁ।

Comments are closed.