ସାୱରକରଙ୍କୁ ନେଇ ଶିବସେନା-କଂଗ୍ରେସରେ ମତଭେଦ

ରାହୁଲଙ୍କ ମନ୍ତବ୍ୟକୁ ଉଦ୍ଧବଙ୍କ ନାପସନ୍ଦ

-ସାୱରକରଙ୍କ ତ୍ୟାଗ ସମ୍ପର୍କରେ ସମସ୍ତେ ଅବଗତ: ସିନ୍ଧେ,-କଂଗ୍ରେସ ତାର ନୀତି ସ୍ପଷ୍ଟ କରୁ: ମାୟାବତୀ

ନୂଆଦିଲ୍ଲୀ : ବୀର ସାୱରକରଙ୍କୁ ନେଇ ମହାରାଷ୍ଟ୍ରର ଶିବସେନା-ଏନସିପି-କଂଗ୍ରେସ ମେଣ୍ଟରେ ମତଭେଦ ସୃଷ୍ଟି ହୋଇଛି। ସାୱରକରଙ୍କ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନାପସନ୍ଦ କରିଛନ୍ତି। ସାୱରକରଙ୍କ ସମ୍ପର୍କରେ ମନ୍ତବ୍ୟକୁ ନେଇ ଶିବସେନା ରାହୁଲଙ୍କୁ ଅନେକ ପରାମର୍ଶ ଦେଇଛି। ଶିବସେନା କହିଛି ଯେ ରାହୁଲ ଏବଂ ତାଙ୍କ ଦଳ ସାୱରକରଙ୍କୁ ଅପମାନିତ କରିବା ଠିକ୍ ନୁହେଁ। ଦେଶର ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ହିନ୍ଦୁ ଆଦର୍ଶବାଦୀ ସାୱରକରଙ୍କୁ ଶିବସେନା ନିଜର ଆଦର୍ଶ ତଥା ଭଗବାନ ଭଳି ମନେକରେ। ଏପରିସ୍ଥଳେ ସାୱରକରଙ୍କ ପ୍ରତି ରାହୁଲଙ୍କ ତାତ୍ସଲ୍ୟ ଶିବସେନା ପ୍ରତି ଅସହ୍ୟ ହୋଇଛି। ରାହୁଲଙ୍କ ମନ୍ତବ୍ୟ ଉପରେ ଶିବସେନା ନେତା ସଞ୍ଜୟ ରାଉତ ପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ରାଉତ ଟୁଇଟ୍‌ କରିଥିଲେ ‘ଆମେ ଜବାହାରଲାଲ ନେହେରୁ ଓ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁଛୁ। ତେଣୁ ତୁମେ ବୀର ସାୱରକରଙ୍କୁ ଅପମାନିତ କର ନାହିଁ। ସାୱରକର କେବଳ ମହାରାଷ୍ଟ୍ରଙ୍କ ପାଇଁ ଭଗବାନ ନୁହନ୍ତି ସେ ସମଗ୍ର ଦେଶ ପାଇଁ ଭଗବାନ।’ ସଞ୍ଜୟଙ୍କ ପରେ ଶିବସେନାର ଅନ୍ୟତମ ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ ମଧ୍ୟ ରାହୁଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିନ୍ଧେ କହିଛନ୍ତି ସ୍ବତନ୍ତ୍ର ବୀର ସାୱରକରଙ୍କ ତ୍ୟାଗ ସମ୍ପର୍କରେ ସମସ୍ତେ ଅବଗତ। ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ତେଣୁ ସମସ୍ତେ ତାଙ୍କୁ ସମ୍ମାନ କରିବା ଉଚିତ। ସାୱରକରଙ୍କ ନାତି ରଞ୍ଜିତ ସାୱରକର ରବିବାର କହିଛନ୍ତି ଯେ ରାହୁଲଙ୍କ ମନ୍ତବ୍ୟ ଉପରେ ସେ ମାନହାନି ମାମଲା ରୁଜୁ କରିବେ। ଏ ପ୍ରସଙ୍ଗରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଓ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବେ। ରଞ୍ଜିତ କହିଛନ୍ତି ଶିବସେନା ଏହି ପ୍ରସଙ୍ଗରେ କଂଗ୍ରେସ ଠାରୁ ସମ୍ପର୍କ ଛିନ୍ନ କରିବା ଦରକାର।
ଏହି ପ୍ରସଙ୍ଗରେ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ କଂଗ୍ରେସ ଠାରୁ ଜବାବ ଲୋଡିଛନ୍ତି। ରବିବାର ମାୟାବତୀ କହିଛନ୍ତି ଯେ ମହାରାଷ୍ଟ୍ରରେ ମେଣ୍ଟ ସରକାର ସତ୍ତ୍ବେ ଶିବସେନା ଏହାର ଆଦର୍ଶରେ ଅତୁଟ ରହିଛି। ନିଜ ଆଦର୍ଶରେ ଅତୁଟ ରହିଥିବାରୁ ଶିବସେନା ସଂସଦରେ ନାଗରିକତ୍ବ ସଂଶୋଧନ ବିଧେୟକକୁ ସମର୍ଥନ କରିଥିଲା। ଏବେ ସାୱରକରଙ୍କ ପ୍ରସଙ୍ଗରେ ରାହୁଲଙ୍କ ମନ୍ତବ୍ୟକୁ ବିରୋଧ କରିଛି। ତେଣୁ କଂଗ୍ରେସ ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ମହାରାଷ୍ଟ୍ରରେ ଶିବସେନା ସହିତ କଂଗ୍ରେସର ମେଣ୍ଟ ଅତୁଟ ରହିବ କି ନାହିଁ ତାହା ଦଳ ଜଣାଇବା ଦରକାର। ଅନ୍ୟଥା କଂଗ୍ରେସର ଦୋମୁହଁା ନୀତି ଜନତାଙ୍କ ନିକଟରେ ଧରାପଡିବ। ରାହୁଲଙ୍କ ସାୱରକର ବିରୋଧୀ ମନ୍ତବ୍ୟକୁ ବିଜେପି ତୀବ୍ର ବିରୋଧ କରିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରମୁଖ ରାହୁଲଙ୍କୁ ସମାଲୋଚନା କରିଛନ୍ତି। ଶନିବାର ରାହୁଲ କଂଗ୍ରେସର ‘ଭାରତ ବଞ୍ଚାଅ ସମାବେଶ’ରେ ବୀର ସାୱରକରଙ୍କ ପ୍ରତି ତାତ୍ସଲ୍ୟ କରିଥିଲେ। ରାହୁଲ କହିଥିଲେ ‘ବିଜେପି ମୋତେ କ୍ଷମା ମାଗିବାକୁ କହୁଛି। ମୋର ନାମ ରାହୁଲ ଗାନ୍ଧୀ, ରାହୁଲ ସାୱରକର ନୁହେଁ। ସତ କହିବାକୁ ନେଇ ମୁଁ କେବେ କ୍ଷମା ମାଗିବି ନାହିଁ। ମୁଁ ମରି ପାରେ; ମାତ୍ର କେବେହେଲେ କ୍ଷମା ମାଗିବି ନାହିଁ।’ ରେପ ଇନ ଇଣ୍ଡିଆ ମନ୍ତବ୍ୟ ପାଇଁ ବିଜେପି ରାହୁଲଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିବାବେଳେ ସେ ଏପରି କହିଥିଲେ।

Comments are closed.