ଶିବସେନାର କଟାକ୍ଷ: ପୁରୁଣା ଖଟିଆ ପରି କଂଗ୍ରେସ କଟରକଟର କରୁଛି

ବିଜେପି କହିଲା: କରୋନା ଅପେକ୍ଷା କିଛି ଲୋକଙ୍କ ପାଇଁ କୁର୍ସି ବଡ଼

ମୁମ୍ବାଇ: ଗତ କିଛିଦିନ ହେଲା ମହାରାଷ୍ଟ୍ର ରାଜନୀତି ସରଗରମ ଚାଲିଛି । କରୋନା ଅପେକ୍ଷା ନେତାମାନଙ୍କୁ କୁର୍ସି ଚିନ୍ତା ବେଶୀ ଥିବାପରି ମନେ ହେଉଛି । ମେଣ୍ଟ ସରକାରରେ ଥାଇ ମଧ୍ୟ କଂଗ୍ରେସ ସୁଖୀ ନାହିଁ ଓ ଶିବସେନା ବି ଅଣନିଶ୍ବାସୀ । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି ଆଲୋଚନା ନିମନ୍ତେ କଂଗ୍ରେସର ଦୁଇ ମନ୍ତ୍ରୀଙ୍କ ପ୍ରସ୍ତାବକୁ ଶିବସେନା କଟାକ୍ଷ କରିଛି । ଦଳୀୟ ମୁଖପତ୍ର ‘‘ସାମନା’’ରେ  ସହଯୋଗୀ କଂଗ୍ରେସକୁ ‘‘ପୁରୁଣା ଖଟିଆ’’ ଭାବରେ ଆକ୍ଷେପ କରିଛି ଶିବସେନା।

’ସାମନା’ର ସମ୍ପାଦକୀୟରେ କୁହାଯାଇଛି – “କଂଗ୍ରେସର ଅବସ୍ଥା ଏବେ ଏକ ପୁରୁଣା ଖଟିଆ ଭଳି | ଏବେ ଏହା ଭାଙ୍ଗିଯିବାକୁ ବସିଲାଣି | ଯେତେବେଳେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୁଅନ୍ତି, ସେତେବେଳେ ସେ ବିଭିନ୍ନ ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତି ଚୂଡାନ୍ତ | ଯାହାକୁ ମେଣ୍ଟ ସରକାରରେ ସାମିଲ ଥିବା ଏନସିପି ସୁପ୍ରିମୋ ଶରଦ ପାୱର ପାଳନ କରୁଛନ୍ତି | ଆବଶ୍ୟକ ପଡିଲେ ସମୟ ସମୟରେ ସରକାରଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଉଛନ୍ତି | କଂଗ୍ରେସ ଯଦିଓ ଏହି ନିୟମକୁ ମାନୁଛି, ସେମାନଙ୍କ ଅବସ୍ଥା ଏକ ପୁରୁଣା ଖଟ ଭଳି ହୋଇଗଲାଣି | କଂଗ୍ରେସ ହେଉଛି ଦେଶର ସର୍ବପୁରାତନ ରାଜନୈତିକ ଦଳ | ତାଙ୍କ ଦଳରେ ଥିବା ହେଭିୱେଟଙ୍କ ଯୋଗୁଁ ଏହି ପୁରୁଣା ଖଟିଆରୁ ଶବ୍ଦ ବାହାରିୁଛି |’’

ସାମନାରେ ପ୍ରକାଶିତ ଏହି ଅଗ୍ରଲେଖ ମହାରାଷ୍ଟ୍ର ରାଜନୀତିରେ ତୁମ୍ଭୀତୋଫାନ ସୃଷ୍ଟି କରିଛି । କଂଗ୍ରେସ ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏନସିପି କୌଣସି ମନ୍ତବ୍ୟ ଦେଇନାହିଁ । ତେବେ ସାମନାର ଏହି ଟିପ୍ପଣୀକୁ ନେଇ ବିଜେପି ନିଆଁ ଢ଼ାଳିଛି । କରୋନା ମୁକାବିଲା ସମୟରେ କିଛି ଲୋକଙ୍କୁ କୁର୍ସି ଚିନ୍ତା ଘାରିଛି ବୋଲି ଦଳ କହିଛି ।

ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ମହାରାଷ୍ଟ୍ର କଂଗ୍ରେସ ସଭାପତି ବାଲାସାହେବ ଥୋରାଟ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ ମୁଖ୍ୟମନ୍ତ୍ରୀଙ୍କ ଭେଟିବାକୁ ଚାହୁଁଛନ୍ତି । ମାତ୍ର ଏଥିପାଇଁ ଉଦ୍ଧବ ସମୟ ଦେଉନାହାନ୍ତି।  ସରକାରୀ ଅଧିକାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇ ପାରୁନଥିବା କଂଗ୍ରେସ ନେତାମାନେ ଭାବୁଛନ୍ତି । ଅନ୍ୟପକ୍ଷରେ ଶିବସେନା ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ ଓ ଆଚରଣକୁ ନେଇ ଭିତରେ ଅସନ୍ତୋଷ ପ୍ରକାଶ କରିଛି । ଦଳର ନେତାମାନେ ଉଦ୍ଧବଙ୍କୁ କଂଗ୍ରେସକୁ ବେଶୀ ଗୁରୁତ୍ବ ନ ଦେବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି ।

Comments are closed.