ଓଡ଼ିଶା ବନ୍ଦ ଡାକରାକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ପିସିସି ସଭାପତିଙ୍କ ନିବେଦନ

ତୈଳଦର ବୃଦ୍ଧି, କଳା କୃଷି ଆଇନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ବେକାରୀ ସମସ୍ୟା ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ଆସନ୍ତା ୧୫ ତାରିଖ ସୋମବାର ପ୍ରାତଃ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛି । ଏହି ବନ୍ଦ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ରାଜ୍ୟରେ ହୁ-ହୁ ବେକାରୀ ସଂଖ୍ୟା ବୃଦ୍ଧି, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ସମେତ ରାଜ୍ୟର ଜଳ, ଜମି ଓ ଜଙ୍ଗଲକୁ ରକ୍ଷା କରିବାରେ ରାଜ୍ୟ ସରକାରଙ୍କର ଅପାରଗତାର ପ୍ରତିବାଦକରି ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ବନ୍ଦ ସମୟରେ ହସ୍‌ପିଟାଲ, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାପ, ଦମକଳ, ଆମ୍ବୁଲାନ୍ସ, ଦୁଗ୍ଧ ଗାଡ଼ି, ବର ଗାଡ଼ି ଏବଂ ସ୍ୱର୍ଗରଥ ଗାଡ଼ିକୁ ନ ଅଟେକାଇବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ନେତୃବର୍ଗ ଏବଂ ବ୍ଲକ କଂଗ୍ରେସ ନେତୃବୃନ୍ଦ ତତ୍ ସହିତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ରାଜ୍ୟ କଂଗ୍ରେସର ସମସ୍ତ ଛାମୁଆ ଓ ପ୍ରକୋଷ୍ଠର ନେତୃବର୍ଗ ବନ୍ଦରେ ସାମିଲ ହୋଇ ସଫଳ କରିବାକୁ  ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରାଜ୍ୟବାସୀଙ୍କର ସମର୍ଥନ ଓ ସହଯୋଗର ଆବଶ୍ୟକତା ଲୋଡ଼ିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

Comments are closed.