ଶୀତଳ ଯୁଦ୍ଧର ଉଷ୍ମ ପ୍ରଭାବ : ଚୀନ-ଆମେରିକା ଦ୍ବନ୍ଦ୍ବ ବିଶ୍ବ ପାଇଁ ବିପଜ୍ଜନକ

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା ଏବଂ ଯଥେଷ୍ଟ ଆଗରୁ ତାହା ଘଟିଲା। କରୋନା ବିଧ୍ବସ୍ତ ବିଶ୍ବ ଅର୍ଥନୀତି ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଦେଲା କହିଲେ ଭୁଲ ହେବ ନାହିଁ। ବିଶ୍ବର ଦୁଇ ବୃହତ୍‌ ଅର୍ଥନୀତି ଆମେରିକା ଓ ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଟ୍ରମ୍ପ ପ୍ରଶାସନ ଏହି ଯୁଦ୍ଧ ବିଷୟରେ ଆନୁଷ୍ଠାନିକ ଭା​‌େ​‌ବ ​‌େ​‌ଘାଷଣା କରିଛି। ଶୀତଳ ଯୁଦ୍ଧ ସ୍ନାୟୁର ଲଢ଼େଇ ଏବଂ ଏହା ଯୁଦ୍ଧ କ୍ଷେତ୍ରରେ ଲଢ଼ା​‌ ନ’ଯାଇ ଆଦର୍ଶଗତ ପ୍ରସଙ୍ଗରେ ବିଭିନ୍ନ ମୋର୍ଚ୍ଚାରେ ଚାଲେ। ଆମେରିକା ସରକାରଙ୍କର ଚୀନ ସଂକ୍ରାନ୍ତ ଯେଉଁ ଭିଜନ ଡକୁମେଣ୍ଟ (ଦୂରଦୃଷ୍ଟି ନଥି) ପ୍ରସ୍ତୁତ ହୋଇଛି ସେଥିରେ ଏହି ଶୀତଳଯୁଦ୍ଧ ଘୋଷଣାର ଆନୁଷ୍ଠାନିକ ସୂଚନା ରହିଛି। ଆମେରିକାର ଅଭିଯୋଗ ଯେ ଚୀନ ତାହାର ଶାସକଦଳ କମ୍ୟୁନିଷ୍ଟ ପାର୍ଟିର ଆଦର୍ଶ ଏବଂ ନିଜର ଜାତୀୟ ସ୍ବାର୍ଥର ପରିବର୍ଦ୍ଧନ ଏବଂ ସୁରକ୍ଷା ପାଇଁ ନୀତିଭିତ୍ତିକ ବିଶ୍ବ ବ୍ୟବସ୍ଥାକୁ ବଦଳାଇବାକୁ ଚେଷ୍ଟିତ। ପରିସ୍ଥିତିରୁ ଫାଇଦା ଉଠାଇ ଆନ୍ତର୍ଜାତିକ ବ୍ୟବସ୍ଥାକୁ ନିଜ ସପକ୍ଷରେ ନେବାକୁ ବେଜିଂ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ଆମେରିକା ବିରୋଧ କରେ ବୋଲି ଏହି ନଥିରେ କୁହାଯାଇଛି।
ଆମେରିକାରେ ଏଥର ରାଷ୍ଟ୍ରପତି ନିର୍ବାଚନ ହେବ। କରୋନା ଯୋଗୁଁ ଏହି ଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିଛି। ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ପ୍ରାର୍ଥୀ ହେଉଥିବାରୁ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ତାଙ୍କୁ ନିର୍ବାଚନକାଳୀନ ରାଜନୀତି କରିବାକୁ ପଡ଼ିବ। ଏହି ଶୀତଳ ଯୁଦ୍ଧ ତାହାର ଏକ ଅଂଶ। ‘ଚାଇନା ଭାଇରସ’ (କରୋନା ଭୂତାଣୁ) ଦୁଇଦେଶର ସମ୍ପର୍କରେ କେବଳ ଏକ ବାହାନା ମାତ୍ର। ବୃହତ୍ତର ପ୍ରସଙ୍ଗଟି ହେଲା ଆମେରିକାର ଆଭ୍ୟନ୍ତରୀଣ ରାଜନୀତି ଏବଂ ଟ୍ରମ୍ପଙ୍କ ପାରିବାରପଣିଆ।
ଟ୍ରମ୍ପଙ୍କ ସଫେଇ ହେଲା ତାଙ୍କ ଦେଶ ଏକ ବିଶ୍ବାସ ରଖି ଚୀନ ସହିତ ସମ୍ପର୍କ ବଢ଼ାଇଥିଲା ଏବଂ ଦ୍ବି-ପାକ୍ଷିକ ଓ ଆନ୍ତର୍ଜାତିକ ସମ୍ପର୍କରକ୍ଷା ତଥା ଏକ ନ୍ୟାୟୋଚିତ ବିଶ୍ବ ଅର୍ଥବ୍ୟବସ୍ଥା ସ୍ଥାପନରେ ଚୀନ ସହଯୋଗ କରିବବୋଲି ଆଶା କରାଯାଉଥିଲା। ହେଲେ ଚୀନ କମ୍ୟୁନିଷ୍ଟ ବିଚାର, ଆଦର୍ଶ ଓ ଜାତୀୟ ସ୍ବାର୍ଥର ଗଣ୍ଡି ବାହାରକୁ ବାହାରିବାରେ ବିଫଳ ହୋଇଛି ବୋଲି ଟ୍ରମ୍ପ ଦୋଷାରୋପ କରୁଛନ୍ତି। ଟ୍ରମ୍ପଙ୍କ ଅଭିଯୋଗ ସତ ହୋଇପାରେ; କିନ୍ତୁ ସେ କ’ଣ ଚୀନର ଅସଲ ସ୍ବରୂପକୁ ବୁଝିପାରିନଥିଲେ। ଏକ ପୁଞ୍ଜିବାଦୀ ବ୍ୟବସ୍ଥା ସହ ଏକ କମ୍ୟନିଷ୍ଟ ବିଚାର ବ୍ୟବସ୍ଥାର ସମନ୍ବୟ ଓ ମିଳନ ହେବ କେମିତି? ଚୀନ ତାହାର ୧୫୦ କୋଟିର ବିରାଟ ଜନସଂଖ୍ୟା ବୋଝ ସମ୍ଭାଳି ଆଗକୁ ମାଡ଼ି ଚାଲିବା ପଛରେ ଜାତୀୟ ବାସ୍ତବତା ରହିଛି। ନିଜକୁ ବିଶ୍ବ ରାଜନୀତି, ଅର୍ଥନୀତି, ସାମରିକ ସ୍ଥିତି ଆଦିରେ ଅଗ୍ରଣୀ ଓ ଅପ୍ରତିଦ୍ବନ୍ଦ୍ବୀ ନ’କଲେ ସେ ଦେଶ ଯେ ପଛେଇ ଯିବ ତାହା ଚୀନ ନେତାମାନେ ବୁଝିଛନ୍ତି। ଆମେରିକାର ମୋଟ ଜନସଂଖ୍ୟା ପ୍ରାୟ ୩୪ କୋଟି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚାଲିିଥିଲେ ହେଁ ବିଶ୍ବର ମାମଲତକାର ସାଜିଛି। ସମଗ୍ର ବିଶ୍ବର ପୁଞ୍ଜିର ଅଧାରୁ ଅଧିକର ଏହା ମାଲିକ। ଏହା କେତେଦୂର ଯୁକ୍ତିଯୁକ୍ତ ତାହା ମଧ୍ୟ ବିଚାର୍ଯ୍ୟ।
ତେଣୁ ସକ୍ଷେପରେ କହିଲେ ଉଭୟ ଆମେରିକା ଓ ଚୀନ ନିଜନିଜର ଶ୍ରେଷ୍ଠତ୍ବ ଓ ଶକ୍ତି ବଜାୟ ରଖିବାକୁ ଆପଣା ନୀତିରେ କାର୍ଯ୍ୟ କରୁଛନ୍ତି ଏବଂ ପରସ୍ପରର ଶକ୍ତି ପରୀକ୍ଷା କରିବାକୁ ଚାହୁଁଛନ୍ତି। ବିଶେଷକରି କରୋନା ପରବର୍ତ୍ତୀ ଯେଉଁ ଅସ୍ଥିର ବିଶ୍ବ ଅର୍ଥନୈତିକ-ରାଜନୈତିକ ବ୍ୟବସ୍ଥା ସୃଷ୍ଟି ହେବାକୁ ଯାଉଛି ସେଥିରୁ ଚୀନ ଅଧିକ ଫାଇଦା ନେବା ସ୍ଥିତିରେ ଥିବାରୁ ଆମେରିକାର ଚିନ୍ତା ବଢ଼ିଯାଇଛି। ଚୀନରୁ କରୋନା ମହାମାରୀ ଆରମ୍ଭ ହୋଇଥିଲେ ହେଁ ସେ ଦେଶର ସ୍ଥିତି ଅପେକ୍ଷାକୃତ ଯଥେଷ୍ଟ ଭଲ ଅଛି। ନିଜର ବୁଦ୍ଧି ଓ କୌଶଳ ଖଟାଇ ଚୀନ କର୍ତ୍ତୃପକ୍ଷ ଏବେ କରୋନାମୁକ୍ତ ହୋଇଥିବାବେଳେ ନିଜର ଅର୍ଥନୀତିକୁ ମଧ୍ୟ ଦୃଢ଼ତର କରିବାରେ ସକ୍ଷମ ହୋଇଛନ୍ତି। ଅଥଚ ଚୀନ ଭୂତାଣୁ ଯୋଗୁଁ ସମଗ୍ର ବିଶ୍ବ କଣ୍ଠାଗତ ସ୍ଥିତିରେ ରହିଛି। ଏଥିରୁ କରୋନାର ଉତ୍ପତ୍ତି ଓ ବ୍ୟାପ୍ତିକୁ ନେଇ ସଂଶୟ ସୃଷ୍ଟି ହେବା ସ୍ବାଭାବିକ।
ଆହୁରି ମଧ୍ୟ ବିଶ୍ବର ଏହି ସଂକଟକାଳରେ ଚୀନ ଯେଉଁସବୁ ରଣନୀତି ଓ କୂଟନୀତି ଅନୁସରଣ କରୁଛି ତାହା ତା’ର ନବ ସାମ୍ରାଜ୍ୟବାଦୀ ଚେହେରାକୁ ପଦାରେ ପକାଇ ଦେଉଛି। ପୀତସାଗର, ପୂର୍ବ ଓ ଦକ୍ଷିଣଚୀନ ସାଗର, ତାଇୱାନ ପ୍ରଣାଳୀ, ହଂକଂ, ଭାରତ ସୀମାନ୍ତ ଆଦି ଅଞ୍ଚଳରେ ଚୀନ ଯେଉଁ ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନ ତଥା ଉସୁକାଣମାନ ଚଳାଇଛି ସେଥିରୁ ତାହାର ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ଜାଣି ହେଉଛି। ସେ ଯେ ଏକ ବୈଶ୍ବିକ ସଂକଟ କାଳରେ ଅନ୍ୟ ରାଷ୍ଟ୍ରଙ୍କୁ ଶୋଷଣ କରିବା ସହ ବିଶ୍ବ ଆର୍ଥିକ, ବାଣିଜ୍ୟ ଓ ଶାନ୍ତି ବ୍ୟବସ୍ଥାକୁ ନିଜ ହାତମୁଠାକୁ ନେବାକୁ ଚାହୁଁଛି ଏହା ସ୍ପଷ୍ଟ। ଟ୍ରମ୍ପ ଏକଥା ଭଲଭାବେ ବୁଝିପାରିବା ଏକ ଉତ୍ତମ ବାର୍ତ୍ତା ଦେଉଛି। ସେ ଯଦି ଚୀନକୁ ଅଟକାଇବାକୁ ଚାହାନ୍ତି ତେବେ ବାଣିଜ୍ୟ ଓ କୂଟନୈତିକ ଲଢ଼େଇ ହିଁ ଏକମାତ୍ର ପନ୍ଥା; କାରଣ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ବାରା ଚୀନକୁ ହରାଇବା ସହଜ ନୁହେଁ। ଚୀନ ମଧ୍ୟ ବୁଝିଛି ଯେ ସେ ନିଜର ଅସୀମ ସାମରିକ ଶକ୍ତି ଦ୍ବାରା ସମଗ୍ର ବିଶ୍ବକୁ ନାଲି ଆଖି ଦେଖାଇ ଦବାଇ ପାରିବ ନାହିଁ। ନିଜର ପଡ଼ୋଶୀ ଜାପାନ, ଦକ୍ଷିଣ କୋରିଆ ଓ ଭାରତ ଭଳି ପ୍ରମୁଖ ଏସୀୟ ରାଷ୍ଟ୍ରଙ୍କୁ ମଧ୍ୟ ଧମକାଇ ନିଜର ମର୍ଜି ଜାହିର କରିବା ଅବସ୍ଥାରେ ଚୀନ ନାହିଁ। ଚୀନ୍‌ ନେତା ଏକଥା ଜାଣନ୍ତି।
ତେଣୁ ଏଯେଉଁ ଶୀତଳ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି ସେଥିରେ ଦୁର୍ବଳ ଓ ଛୋଟଛୋଟ ଦେଶମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଧିକ। ଚୀନ, ଆମେରିକା ବାଣିଜ୍ୟ ଲଢ଼େଇର କୁ-ପ୍ରଭାବ କରୋନା ପ୍ରଭାବିତ ଅନ୍ୟାନ୍ୟ ଦେଶଙ୍କ ଉପରେ ପଡ଼ିବ। ତୈଳବଜାର ଓ ପୁଞ୍ଜିବଜାର ଅସ୍ଥିର ରହିବାସହ ଆନ୍ତର୍ଜାତିକ ବାଣିଜ୍ୟ ଗୁରୁତର ଭାବେ ପ୍ରଭାବିତ ହେବ। ତେଣୁ ଶୀତଳଯୁଦ୍ଧ ଲଢ଼ିବାକୁ ଅଗ୍ରସର ହେଉଥିବା ଆମେରିକା ପ୍ରଶାସନ ପ୍ରଥମେ ନିଜର ୟୁରୋପୀୟ, ଏସୀୟ, ଆରବ ଓ ପ୍ରଶାନ୍ତ ମହାସାଗରୀୟ ମିତ୍ର ରାଷ୍ଟ୍ରଙ୍କୁ ସାଙ୍ଗରେ ନେଇ ସେମାନଙ୍କର ବିଶ୍ବାସଭାଜନ ହେବା ଆବଶ୍ୟକ। ଚୀନ ଏକ ହିଂସ୍ର ଓ ଅଗଣତାନ୍ତ୍ରିକ ନୀତିକୁ ଅଗ୍ରାଧିକାର ଦେଇ ଜାତୀୟ ସ୍ବାର୍ଥ ଓ ଦଳୀୟ ଆଦର୍ଶକୁ ସୁରକ୍ଷିତ, ପରିବ୍ୟାପ୍ତ କରିବାକୁ ଚାହୁଁଛି। ଆଧୁନିକ ଗଣତନ୍ତ୍ର ଓ ବିଶ୍ବର ଅଧିକାଂଶ ରାଷ୍ଟ୍ର ଏ ନୀତିକୁ ନା’ପସନ୍ଦ କରେ। ଟ୍ରମ୍ପ ଓ ତାଙ୍କ ପରାମର୍ଶଦାତାମାନେ ଏ ଲଢ଼େଇ କିପରି ଲଢ଼ିବେ ତାହା ସେମାନଙ୍କ ଦୂରଦୃଷ୍ଟି, ରଣକୌଶଳ ଓ ଅନ୍ୟ ମିତ୍ର ରାଷ୍ଟ୍ରଙ୍କସହ ସମ୍ପର୍କ ଉପରେ ନିର୍ଭର କରେ। ଚୀନର ଏହି ଅବିମୃଶ୍ୟକାରିତା ପାଇଁ ଆନ୍ତର୍ଜାତିକ ବ୍ୟବସ୍ଥା ଯେ ଅନୁକୂଳ ନାହିଁ, ଏକଥା ସେଠା ଶାସକଙ୍କୁ ମନେ ରଖିବାକୁ ପଡ଼ିବ।

Comments are closed.