ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ମିହିର ଦାସଙ୍କ ଅବଦାନ ଅତୁଳନୀୟ

ଅଭିନେତା ମିହିର ଦାସଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ବର: ସିନେ ତାରକା ମିହିର ଦାସଙ୍କ ବିୟୋଗରେ ଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ମିହିର ଦାସଙ୍କ ପରଲୋକ ସମ୍ବାଦରେ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ମିହିର ଦାସ ତାଙ୍କର ବିବିଧ ତଥା ପ୍ରଭାବଶାଳୀ ଅଭିନୟ ମାଧ୍ୟମରେ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ମିହିର ଦାସଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ଶୂନ୍ୟତା ଚଳଚ୍ଚିତ୍ର ଜଗତ ନିମନ୍ତେ ଅପୂରଣୀୟ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରକୁ ମିହିର ଦାସଙ୍କର ଅବିସ୍ମରଣୀୟ ଅବଦାନ ରହିଛି। ଅଭିନୟ ଓ ନିର୍ଦ୍ଦେଶନାରେ ଅଭିନବତ୍ୱ ପ୍ରଦର୍ଶନ କରି ସେ ବିଶେଷ ଭାବେ ଆଦୃତି ଲାଭ କରିଥିଲେ। ସେ ଏକାଧିକ ଥର ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। କଳାତ୍ମକ ଚିତ୍ର ‘ସ୍କୁଲ ମାଷ୍ଟର’ରୁ ସେ ତାଙ୍କ ସିନେମା ଯାତ୍ରା ଆରମ୍ଭ କରିଥିଲେ। ଏହା ବ୍ୟତୀତ ଛୋଟ ପରଦାରେ ତାଙ୍କର ନିଖୁଣ ଅଭିନୟ ଓ ଉପସ୍ଥାପନ ଦର୍ଶକମାନଙ୍କୁ ଅଭିଭୂତ କରୁଥିଲା। ତାଙ୍କ ବିୟୋଗରେ
ଓଡ଼ିଶାର ସାଂସ୍କୃତିକ ପରିବେଶରୁ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଅବସାନ ଘଟିଲା। ଶ୍ରୀ ଦାସବର୍ମା ସ୍ୱର୍ଗତ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ହୋଇଛି। ସୁନାମଧନ୍ୟ ଓ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ତାଙ୍କର ନିଖୁଣ ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଟ୍ବିଟ ଯୋଗେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ସୁନାମଧନ୍ୟ ଓ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ତାଙ୍କର ନିଖୁଣ ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା।
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଓଡ଼ିଆ ସିନେମା ଜଗତର ଜଣେ ଶ୍ରେଷ୍ଠ ଅଭିନେତା, ଜଣେ ବଳିଷ୍ଠ ବ୍ୟକ୍ତିତ୍ବ ତଥା ଆମ ସମସ୍ତଙ୍କର ଅତିପ୍ରିୟ ମିହିର ଦାସ ଭାଇଙ୍କର ଦେହାନ୍ତ ଖବର ଶୁଣି ମୁଁ ସ୍ତବ୍ଧପ୍ରାୟ। ତାଙ୍କର ଅସମୟରେ ଇହଲୀଳା ତ୍ୟାଗ କରିବା ଓଡ଼ିଶା ତଥା ପୁରା ଭାରତବର୍ଷ ନିମନ୍ତେ ଏକ ଅପୂରଣୀୟ କ୍ଷତି। କଳା କ୍ଷେତ୍ରରେ ସମ୍ପୂର୍ଣ୍ଣ ସମାଜ ପାଇଁ ତାଙ୍କର ଅବଦାନ ଏବଂ ଅମଳୀନ କୃତିତ୍ତ୍ୱ ସବୁଦିନ ପାଇଁ ସ୍ମୃତିବଦ୍ଧ ହୋଇ ରହିବ। ଏଭଳି ଏକ କଠିନ ପରିସ୍ଥିତିରେ ମୁଁ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ନିଖୁଣ ଅଭିନୟ ଓ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶାର କଳାଜଗତରେ ହୋଇଥିବା କ୍ଷତି ଅପୂରଣୀୟ ରହିବ। ମନ୍ତ୍ରୀ ଶ୍ରୀ ଦାଶ ସ୍ୱର୍ଗତ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ମିହିର ଦାସଙ୍କ ପରଲୋକରେ ରାଜ୍ୟ ଜଳସମ୍ପଦ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଅସୁସ୍ଥତା ମଧ୍ୟରେ ଥାଇ ମିହିର ଦାସଙ୍କ ବିୟୋଗ ଜାଣି ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ମିହିର ଦାସଙ୍କ ଅବଦାନ ଅତୁଳନୀୟ ରହିଥିଲା। ତାଙ୍କର ନିଖୁଣ ଅଭିନୟ ଯୋଗୁଁ ଲୋକପ୍ରିୟତା ପାଇଁ ସେ ସମସ୍ତଙ୍କ ଠାରେ ସବୁଦିନପାଇଁ ମନେ ରହିବେ। ମିହିର ଦାସଙ୍କ ବିୟୋଗ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଓ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ଓଡ଼ିଆ ଚଳଚ୍ଚିତ୍ର ତାରକା ମିହିର ଦାସଙ୍କ ବିୟୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତା ମିହିର ଦାସଙ୍କ ପରଲୋକ ସମ୍ବାଦରେ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ମିହିର ଦାସ ତାଙ୍କର ପ୍ରଭାବଶାଳୀ ଅଭିନୟ ମାଧ୍ୟମରେ ଓଡ଼ିଆ ଜନମାନସରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ମିହିର ଦାସଙ୍କ ପରଲୋକରେ ହୋଇଥିବା ଶୂନ୍ୟତା ଓଡ଼ିଆ ଚଳଚ୍ଚିତ୍ର ଜଗତ ନିମନ୍ତେ ଅପୂରଣୀୟ। ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରୁଛି।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ତଥା ଲୋକପ୍ରିୟ ଟିଭି ଧାରାବାହିକ ଆଶାର ଆଲୋକର ଉପସ୍ଥାପକ ମିହିର ଦାସ ଙ୍କର ଅକାଳ ବିୟୋଗ ଖବର ପାଇ ବିଶେଷ ମର୍ମାହତ ହୋଇଥିବା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ମଞ୍ଚ ଓ ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କର ଅଶେଷ ଅବଦାନ ସ୍ମରଣ କରି ଏହି ପ୍ରବୀଣ କଳାକାରଙ୍କୁ ତାଙ୍କର ଅନନ୍ଯ ଅଭିନୟ ପାଇଁ ସମଗ୍ର ଓଡିଶାବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି। ତାଙ୍କ ବିୟୋଗ ଜନିତ ଦୁଃଖ ରେ ମ୍ରିୟମାଣ ପରିବାର ବର୍ଗଙ୍କୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସମବେଦନା ଜଣାଇବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରଛିନ୍ତି।

Comments are closed.