ମନଇଚ୍ଛା ବିଲ୍‌ ଦେଇ ଗ୍ରାହକଙ୍କୁ ଲୁଟୁଛି ଟାଟା

ମୋହନା: ଟାଟା କମ୍ପାନୀ ଏବେ ଗଜପତି ଜିଲ୍ଲାରେ ନିଜର କାୟାବିସ୍ତାର କରି ବାରମ୍ବାର ବିଦ୍ୟୁତ କାଟ କରିବା ସହ ଲୋକଙ୍କୁ ଚଢ଼ା ଦରରେ ବିଦ୍ୟୁତ ବିଲ ଦେଇ ଲୁଟୁଥିବା ଅଭିଯୋଗ ହେଉଛି। କିଛିଦିନ ପୂର୍ବରୁ ମୋହନା ବ୍ଲକର ଗୋବିନ୍ଦପୁର ଗ୍ରାମରେ ବିଦ୍ୟୁତ ବିଲ ବାହାର କରୁଥିବା ବ୍ୟକ୍ତି ୧୦ଦିନ ପୂର୍ବର ରସିଦ ବିଲ କାଟି ଉପଭୋକ୍ତାଙ୍କୁ ଦେଇ ଭୁଆଁ ବୁଲାଉଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ଉକ୍ତ ବ୍ୟକ୍ତିଙ୍କୁ ଘେରାବନ୍ଦି କରି ରଖିବା ଓ ଉତେଜନା ସୃଷ୍ଟି ହେବାରୁ ବିଲ ସଂଶୋଧନ କରି ଉଚିତ ପ୍ରାପ୍ୟ ନେଇଥିଲେ। ସେହିପରି ମୋହନା ମୁଖ୍ୟ ବଜାରରେ ଏକ ମୋବାଇଲ ଦୋକାନ କରିଥିବା ଚନ୍ଦନ ପାଣିଗ୍ରାହୀଙ୍କୁ କମ୍ପାନୀର ଜଣେ କର୍ମଚାରୀ ସୋମବାର ତାଙ୍କୁ ବିଦ୍ୟୁତ ବିଲ ଦେଇଥିଲେ। ସେଥିରେ ତାଙ୍କର ବିଦ୍ୟୁତ ବିଲ ପୈଠ କରିବାକୁ ୭୧ ହଜାର ଟଙ୍କା ଆସିଛି। ଏହି ବିଲ ଦେଖି ସେ ଚକିତ ହୋଇଥିଲେ। ବିଲ ବାହାର କରୁଥିବା ବ୍ୟକ୍ତିମାନେ ନିଜ ମନ ମୁତାବକ ରିଡିଙ୍ଗ ନେଇ ବିଲ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦୁଇଟି ଲାଇଟ ଗୋଟିଏ ପଙ୍ଖା ଲଗାଇ ଆସୁଛି ୭୧ହଜାର ଟଙ୍କା । ଅଗଷ୍ଟ ମାସରେ ୨୦୦ଟଙ୍କା ବିଲ ଆସିଥିବା ବେଳେ ସମାନ ପରିମାଣର ବିଦ୍ୟୁତ ଖର୍ଚ ହୋଇଥିବା ବେଳେ ଏତେ ପରିମାଣର ବିଲ ଓ ରିଡିଙ୍ଗ କିପରି ଆସିଲା ବୋଲି ଉପଭୋକ୍ତା ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଏହି ବିଷୟରେ ବିଭାଗୀୟ ଯନ୍ତ୍ରୀ ଅକ୍ଷୟ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ କରି ସମସ୍ୟାର ସମାଧାନ କରାଯିବ।

Comments are closed.