କୋଭିଡ-୧୯ରୁ ସୁରକ୍ଷା ଦେଇପାରିବ ସାଧାରଣ ଥଣ୍ଡା ରୋଗର ଭୂତାଣୁ

ୱାଶିଂଟନ: ମଣିଷ ଶରୀରରେ ସାଧାରଣ ଥଣ୍ଡା ରୋଗ ସୃଷ୍ଟି କରୁଥିବା ରାଇନୋଭାଇରସ୍‍ କୋଭିଡ-୧୯ ଭୂତାଣୁର ବଂଶବୃଦ୍ଧିକୁ ରୋକିପାରିବ ଏବଂ ତଦ୍ଦ୍ୱାରା ମଣିଷକୁ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷା ଦେଇପାରିବ। ଜର୍ଣ୍ଣାଲ ଅଫ ଏକ୍ସପେରିମେଣ୍ଟାଲ ମେଡିସିନରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏଥିରେ କୁହାଯାଇଛି, ରାଇନୋଭାଇରସ୍‍ ମଣିଷ ଶରୀରକୁ ପ୍ରବେଶ କଲେ ତାହା ଇଣ୍ଟରଫେରନ-ଷ୍ଟିମୁଲେଟେଡ ଜିନଗୁଡିକର କାର୍ଯ୍ୟକଳାପରେ ବୃଦ୍ଧି ଘଟାଇଥାଏ। ଏହି ଜିନଗୁଡିକ ରୋଗ ପ୍ରତିରୋଧ ବ୍ୟବସ୍ଥାରେ ଥିବା ତ୍ୱରିତ ଜବାବୀ ମଲିକ୍ୟୁଲଗୁଡିକୁ ସକ୍ରିୟ କରିଦିଅନ୍ତି, ଯାହା ସାର୍ସ-ସିଓଭି-୨ ଭୂତାଣୁର ବଂଶବୃଦ୍ଧିକୁ ରୋକିଥାଏ। ଆମେରିକାର ୟାଲେ ସ୍କୁଲ ଅଫ ମେଡିସିନର ସହକାରୀ ପ୍ରଫେସର ତଥା ଏହି ଗବେଷକ ଦଳର ବରିଷ୍ଠ ସଦସ୍ୟ ଏଲେନ ଫକ୍ସମ୍ୟାନ କହିଛନ୍ତି, ଯଦି ଶରୀରରେ ଏହିଭଳି ଭାବରେ ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରାଯାଇପାରିବ, ତେବେ ତାହା କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷା ଦେବାକୁ ଏକ ଭରସାଯୋଗ୍ୟ ପଦକ୍ଷେପ ହୋଇପାରିବ। ଗବେଷକ ଦଳ ଲାବୋରେଟୋରୀରେ ବିକଶିତ ମଣିଷର ଶ୍ୱାସ ପ୍ରଶ୍ୱାସ ବ୍ୟବସ୍ଥାରେ ଥିବା ଟିସ୍ୟୁକୁ କୋଭିଡ-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ କରାଇଥିଲେ। ସେମାନେ ପ୍ରଥମ ତିନିଦିନ ମଧ୍ୟରେ ଲକ୍ଷ୍ୟକଲେ ଯେ ଉକ୍ତ ଟିସ୍ୟୁରେ ଭାଇରାଲ ଲୋଡ୍‍ ମାତ୍ର ଛଅଘଣ୍ଟା ମଧ୍ୟରେ ଦୁଇଗୁଣ ବୃଦ୍ଧି ଘଟିଛି। ତେବେ କୋଭିଡ-୧୯ର ଭୂତାଣୁର ବଂଶବୃଦ୍ଧି ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ସେମାନେ ଗବେଷଣାରୁ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ କୋଭିଡ-୧୯ ଭୂତାଣୁ ଜଣକୁ ସଂକ୍ରମିତ କରିବାର ପ୍ରଥମ କିଛିଦିନ ମଧ୍ୟରେ ଏହା ଦ୍ରୁତଗତିରେ ସଂକ୍ରମଣ ସ୍ତର ବୃଦ୍ଧି କରୁଛି। ଏହାପରେ ଶରୀର ମଧ୍ୟରେ ଥିବା ରୋଗ ପ୍ରତିରୋଧ ଶକ୍ତି ଏହାର ମୁକାବିଲା କରିବା ଆରମ୍ଭ କରୁଛି। ତେଣୁ କୋଭିଡ-୧୯ ଚିକିତ୍ସାରେ ଇଣ୍ଟରଫେରନ ଚିକିତ୍ସାର ପ୍ରଭାବୀ ଗୁଣ ରହିଛି। ବିଶେଷକରି କୋଭିଡ-୧୯ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଅନ୍ୟମାନଙ୍କୁ ପ୍ରତିଷେଧମୂଳକ ଚିକିତ୍ସା ଭାବରେ ଇଣ୍ଟରଫେରନ ଚିକିିତ୍ସାକୁ ବ୍ୟବହାର କରାଯାଇପାରିବ।

Comments are closed.