୧୩ ବର୍ଷରେ ପାଦ ଦେଲା କମିଶନରେଟ ପୁଲିସ; ମହିଳାଙ୍କ ସୁରକ୍ଷା ପାଇଁ ଏସପିଓ ୟୁନିଟ୍‌ ଆରମ୍ଭ

ବଦଳିବ କମିଶନରେଟ ମୁଖ୍ୟାଳୟ ନାମ, ‘ପୁଲିସ ସେବା ଭବନ’ରେ ନାମିତ ହେବ

ଭୁବନେଶ୍ଵର: ୧୩ ବର୍ଷରେ ପଦାର୍ପଣ କରିଛି ଭୁବନେଶ୍ଵର-କଟକ କମିଶନରେଟ ପୁଲିସ। ୨୦୦୮ରେ ପ୍ରତିଷ୍ଠା ହୋଇଥିବା କମିଶନରେଟ ପୁଲିସକୁ ୧୨ ବର୍ଷ ପୂରିଯାଇଛି। ଏହି ଅବସରରେ ଗୁରୁବାର କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିପାଇଁ ଭୁବନେଶ୍ଵରସ୍ଥିତ ୭ମ ବାଟାଲିୟନ ପଡ଼ିଆରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଡିଜିପି ଶ୍ରୀ ଅଭୟ ଦ୍ଵେତନଗରୀରେ ମହିଳାଙ୍କ ସୁରକ୍ଷା ପାଇଁ ୩୦୦ ମହିଳାଙ୍କୁ ନେଇ ଏକ ଏସପିଓ ୟୁନିଟ୍‌ର ଶୁଭାରମ୍ଭ କରିଛନ୍ତି। ଡିଜିପି କହିଛନ୍ତି, ପୁଲିସ କଠିନ ପରିଶ୍ରମ କରୁଛି ଏବଂ ଜନସାଧାରଣଙ୍କୁ ସେବା ଯୋଗାଉଛି। ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ୟୁନିଫାଏଡ କଂଟ୍ରୋଲ ରୁମ୍‌ ପ୍ରତିଷ୍ଠା ହେବ। ପିସିଆର ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବ।

ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ, ଆମେ ଉଇ କେୟାର ଉଇ ଡେୟାର ସୀମିତ ନ ରହି ଆହୁରି ଦୁଇ ପାଦ ଆଗକୁ ବଢ଼ିବୁ। ଆମ ପୁଲିସ ଆମ ସୁରକ୍ଷା ଆମେ କିଭଳି କରିବୁ ସେ ଦିଗରେ ଗୁରୁତ୍ଵ ଦେବୁ। କମିଶନରେଟ ପୁଲିସ ମୁଖ୍ୟାଳୟକୁ ପୁଲିସ ସେବା ଭବନରେ ନାମିତ କରାଯିବ। ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା, ଏହି ୩ଟି ଶବ୍ଦକୁ ପାଥେୟ କରି କମିଶନରେଟ ପୁଲିସ ଆଗକୁ ବଢ଼ିବ ଏବଂ ତା’ର ରଣନୀତି ସେହି ଅନୁସାରେ ପ୍ରସ୍ତୁତ କରିବ। ଆଗରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜକୁ ଆମେ କିପରି ସଫଳତାର ସହିତ ମୁକାବିଲା କରିବୁ ତାହା ଉପରେ ମଧ୍ୟ ପ୍ରାଥମିକତା ଦିଆଯିବ। ଅପରାଧୀଙ୍କ ପାଖରେ ପହଞ୍ଚିବାରେ ସିସିଟିଭି ବେଶ୍‌ ସହାୟକ ହୋଇଥାଏ। ତେଣୁ ଆଗକୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହେବ। ବରିଷ୍ଠ ନାଗରିକଙ୍କ ସୁରକ୍ଷା, ମହିଳା ସଶକ୍ତୀକରଣ ଆଦି ଉପରେ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।

ଗୁରୁବାର ରାଇଜିଂ ଡେ ପରେଡ୍‌ ଅନୁଷ୍ଠିତ ହୋଇଥିଲା। କମିଶନରେଟ ପୁଲିସ ପକ୍ଷରୁ ଚିତ୍ତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଇଥିଲା। ଡିଜିପି ଶ୍ରୀ ଅଭୟ ଏବଂ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପରେଡ୍‌ ଅଭିଭାଦନ ଗ୍ରହଣ କରିଥିଲେ। ଡିଜିପି ଅଭୟ ପରେଡ୍‌ର ପ୍ରଶଂସା କରିଥିଲେ।

Comments are closed.