ଭାରତକୁ ଅପମାନିତ କରିବା ନେଇ ମାମଲା

ନୂଆଦିଲ୍ଲୀ: ହାସ୍ୟକାର ବୀର ଦାସ ଏବେ ବଡ଼ ବିବାଦରେ ଫସିଯାଇଛନ୍ତି। ୱାଶିଂଟନ ଡିସିସ୍ଥିତ ଜନ୍‌ ଏଫ୍‌ କେନେଡି ସେଣ୍ଟରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କର ‘ଆଇ କମ ଫ୍ରମ ଟୁ ଇଣ୍ଡିଆସ୍‌’ ଶୀର୍ଷକ ହାସ୍ୟରସାତ୍ମକ ଉପସ୍ଥାପନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଉପସ୍ଥାପନାର ଏକ ୬ମିନିଟ୍‌ର ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହୋଇଛି; ଯେଉଁଥିରେ ସେ କହୁଛନ୍ତି ଯେ ‘ଭାରତରେ ୩୦ବର୍ଷରୁ କମ୍‌ ସର୍ବାଧିକ କାର୍ଯ୍ୟକ୍ଷମ ଶ୍ରେଣୀ ରହିଥିଲାବେଳେ ସେମାନଙ୍କୁ ୭୫ବର୍ଷ ବୟସ୍କ ନେତା ଶାସନ କରୁଛନ୍ତି ଏବଂ ଦେଶରେ ୧୫୦ ବର୍ଷ ପୁରୁଣା ବିଚାରଧାରା ପ୍ରବର୍ତ୍ତନ କରାଯାଉଛି।’ ଏଥିରେ ସେ କୃଷକ ଆନ୍ଦୋଳନଠାରୁ ଆରମ୍ଭ କରି ପ୍ରଦୂଷଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗକୁ ହାସ୍ୟରସାତ୍ମକ ଢ଼ଙ୍ଗରେ ଉପସ୍ଥାପନ କରିବା ସହ ଦୁଇଟି ବିପରୀତଧର୍ମୀ ବର୍ଣ୍ଣନା କରିଛନ୍ତି।

‘ମୁଁ ଏପରି ଏକ ଦେଶରୁ ଆସିଛି; ଯେଉଁଠି ମହିଳାଙ୍କୁ ଦିନ ବେଳା ପୂଜା କରାଯାଏ; କିନ୍ତୁ ରାତିରେ ଗଣବଳାତ୍କାର କରାଯାଏ’ ବୋଲି ସେ କହିଛନ୍ତି। ବୀର୍‌ ଦାସଙ୍କର ଏଭଳି ମନ୍ତବ୍ୟ ଭାରତକୁ ବିଦେଶରେ ଲଜ୍ଜିତ କରିଛି ଦର୍ଶାଇ ଦିଲ୍ଲୀର ବିଜେପି ନେତା ଆଦିତ୍ୟ ଝା ତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ବିଦେଶରେ ଭାରତର ଅପମାନକୁ ବରଦାସ୍ତ କରାଯିବ ନାହିଁ ବୋଲି ଝା କହିଛନ୍ତି ଏବଂ ବୀର ଦାସଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ସେହିପରି ମହାରାଷ୍ଟ୍ରର ପାଲଘରଠାରେ ଆଶୁତୋଷ ଦୁବେ ନାମକ ଜଣେ ଆଇନଜୀବୀ ତଥା​‌ ବିଜେପି ନେତା ମଧ୍ୟ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ବୀର ଦାସଙ୍କ ବକ୍ତବ୍ୟକୁ ନେଇ ବିତର୍କରେ ଝାସ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଓ ଶଶୀ ତରୁର ତାଙ୍କୁ ସମର୍ଥନ କରିଥିବାବେଳେ କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂହଭୀ ଏହା ଅତ୍ୟନ୍ତ ଅଶୋଭନୀୟ ବୋଲି କହିଛନ୍ତି। ଅପରପକ୍ଷରେ ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କୁ ‘ଅପରାଧୀ’ ବୋଲି ଦର୍ଶାଇବା ସହ ତାଙ୍କର ତଥାକଥିତ ସୃଜନଶୀଳ କାର୍ଯ୍ୟ ଆତଙ୍କବାଦ ସହ ସମାନ ବୋଲି କହିଛନ୍ତି। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କଙ୍ଗନା ଦାବି କରିଛନ୍ତି। ବିବାଦ ଦେଖି ବୀର ଦାସ କହିଛନ୍ତି ଯେ ସେ କେବଳ ବ୍ୟଙ୍ଗ ଛଳରେ ଏଭଳି କହିଥିଲେ; ଦେଶକୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ଭାରତର ଭାବଧାରାକୁ ସେ ବ୍ୟଙ୍ଗାତ୍ମକ ଭାବେ ଉପସ୍ଥାପନ କଲାବେଳେ ଅନେକ ପ୍ରଶଂସନୀୟ ବିଷୟ ମଧ୍ୟ ଉପସ୍ଥାପନ କରିଥିବା ସେ କହିଛନ୍ତି। ‘ଦେଶ ପାଇଁ ଘୃଣା ନୁହେଁ; ଆନନ୍ଦ ପରିବେଷଣ’ କରିବାକୁ ସେ ଆହ୍ବାନ ଦେଇଥିବା ମଧ୍ୟ କହିଛନ୍ତି। ଏପରିସ୍ଥଳେ ପ୍ରଚାର ହେଉଥିବା ତାଙ୍କ ବକ୍ତବ୍ୟର କିଛି ଅଂଶକୁ ନେଇ ବିଭ୍ରାନ୍ତ ନ ହେବାକୁ ସେ ନିବେଦନ କରିଛନ୍ତି।

Comments are closed.