କନ୍ଧମାଳ ପୁଲିସର କୁମ୍ବିଂ ଅପରେସନ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ପୁଲିସ ହାତରେ ପଡିଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲେଟିନ ଷ୍ଟିକ, ହାତ ତିଆରି ଇନସାସ ମାଗାଜିନ, ବହୁ ମାତ୍ରାରେ ଅପ୍ରସ୍ତୁତ ମାଗାଜିନ, ୟୁନିଫର୍ମ, ଔଷଧ, ଗର୍ଭ ନିରୋଧକ ବଟିକା, ସୋଲାର ପ୍ଲେଟ, ମାଓବାଦୀ ପୁସ୍ତିକା ଭଳି ଜିନିଷ । ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଶୀକେତା ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ବେଳେ ଏସବୁ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି ବିନିତ ଅଗ୍ରଓ୍ଵାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି, ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ପୁଲିସ, ଏସଓଜି ଏବଂ ଡିଭିଏଫ ଯବାନଙ୍କ ଦ୍ବାରା ମିଳିତ କମ୍ବିଂ ଅପରେସନ କରାଯାଇଥିଲା । ଅପରେସନ ବେଳେ ସଶୀକେତା ଗ୍ରାମ ନିକଟରେ ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫା ଭିତରେ ଏହି ସବୁ ସାମଗ୍ରୀ ଲୁଚାଇ ରଖାଯାଇଥିବା ଦେଖାଯାଇଥିଲା । ତେବେ ସର୍ଚ୍ଚ ଅପରେସନରୁ ବିପୁଳ ପରିମାଣର ଗର୍ଭ ନିରୋଧକ ବଟିକା ଓ ଗର୍ଭ ପରୀକ୍ଷଣ କିଟ ମିଳିବା ଘଟଣାରୁ ମାଓ କ୍ୟାମ୍ପମାନଙ୍କରେ ମହିଳା କ୍ୟାଡରମାନଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିବା ସ୍ପଷ୍ଟ ହେଉଛି ବୋଲି ଏସପି କହିଛନ୍ତି । ମାଓବାଦୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଥିଲେ ମଧ୍ୟ ପୁଲିସ ନଜରରେ କୌଣସି ମାଓବାଦୀ ପଡିନାହାନ୍ତି । ଲାଲ ବାହିନୀର କେକେବିଏନ ସଂଗଠନ କାର୍ଯ୍ୟ କରୁଥିବା କହିଛନ୍ତି ଏସପି । ପୁଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଛି ।

Comments are closed.