ଉତ୍ତର ଓ ଉତ୍ତର ପଶ୍ଚିମରେ ଲାଗିରହିବ ଶୀତ ଲହରୀ

ନୂଆଦିଲ୍ଲୀ: ଦେଶର ଉତ୍ତର ଓ ଉତ୍ତର ପଶ୍ଚିମ ଭାଗରେ ଶୀତ ଲହରୀ ଲାଗିରହିବ । ଦିଲ୍ଲୀ, ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଭୀଷଣ ଥଣ୍ଡା ଅନୁଭୂତ ହେବାନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିସହିତ ରାଜସ୍ଥାନର ଉତ୍ତର ଭାଗରେ ମଧ୍ୟ ଥଣ୍ଡାର ପ୍ରକୋପ ଲାଗି ରହିବ । ଏଥିସହିତ ଏହିସବୁ ଅଞ୍ଚଳରେ ଆଗାମୀ ଦୁଇ ତିନିଦିନ ଧରି ଘନ କୁହୁଡି ଦେଖାଦେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷକରି ପଞ୍ଜାବ ଏବଂ ରାଜସ୍ଥାନର ଉତ୍ତର ପଶ୍ଚିମ, ଉତ୍ତରାଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶାରେ କୁହୁଡି ସୃଷ୍ଟିହେବ ।
ବିଭାଗ ପକ୍ଷରୁ ପ୍ରକାଶିତ ବୁଲେଟିନରେ କୁହାଯାଇଛି ଯେ ଉତ୍ତର ପଶ୍ଚିମ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ଅନୁମାନ କରାଯାଇଛି । ଏଥିସହିତ ଉତ୍ତର ପଶ୍ଚିମ ଭାରତର ଅନ୍ୟାନ୍ୟ ଭାଗରେ ସର୍ବନିମ୍ନ ତାପମାତ୍ରାରେ ପୁନଃ ହ୍ରାସ ଲକ୍ଷ୍ୟ କରାଯାଇପାରେ । ଉତ୍ତର କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଗାମୀ କିଛିଦିନ ଧରି ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପରିଲକ୍ଷିତ ହେବ । ଏହାର ପ୍ରଭାବରେ ଦିଲ୍ଲୀ, ପଞ୍ଜାବ, ହରିଆଣା, ଚଣ୍ଡିଗଡ, ଉତ୍ତର ପ୍ରଦେଶ, ରାଜସ୍ଥାନର ଉତ୍ତର ଭାଗରେ ଶୀତ ଲହରୀ ଲାଗି ରହିବ । ବୁଧବାର ରାତିରେ ରାଜସ୍ଥାନରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି । ରାଜ୍ୟର ସିକର ଅନ୍ତର୍ଗତ ଫତେହପୁରରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତାହାପଛକୁ ଚୁକୁରେ ରାତିର ତାପମାତ୍ରା ୩.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

Comments are closed.